ସ୍କୁଲ ଓ ଉଚ୍ଚ ଶିକ୍ଷାରେ ଏଆଇର ଉପଯୋଗ ପାଇଁ ୱାଧୱାନୀ ଫାଉଣ୍ଡେସନର ସହଯୋଗ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ

0
65

By Our Correspondent

BHUBANESWAR:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୃଥକ ଭାବେ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ଡ. ମୁଙ୍ଗ ଚିଆଙ୍ଗ, ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ କିନଡ୍ରିଲର ସିଇଓ ମାର୍ଟିନ ସ୍କୋରିଟର ଏବଂ ଦକ୍ଷତା, ଉଦ୍ୟମିତା ଓ ଗବେଷଣା ଉପରେ କାମ କରୁଥିବା ୱାଧୱାନୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡ. ରମେଶ ୱାଧୱାନୀଙ୍କୁ ଭେଟି ଶିକ୍ଷା ଓ ଦକ୍ଷତା ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

ବୈଠକ କାଳରେ କେନ୍ଦ୍ରମନ୍ତ୍ରୀ ଶିକ୍ଷା ମନ୍ତ୍ରୀ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ଏବଂ ତାଙ୍କ ପ୍ରତିନିଧି ମଣ୍ଡଳୀ ସହ ଉକ୍ତ ବିଶ୍ୱବିଦ୍ୟାଳୟ ସହ ସମ୍ପର୍କକୁ ଆଗକୁ ବଢାଇବା ତଥା ଭାରତ ଓ ଆମେରିକା ମଧ୍ୟରେ ଶିକ୍ଷା ସମ୍ପର୍କକୁ ମଜଭୂତ୍ କରିବା ଉପରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ସୁଲଭ ମୂଲ୍ୟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି । ଜାତୀୟ ଶିକ୍ଷା ନୀତି ଭାରତ ଓ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ସହଯୋଗ ଓ ସମନ୍ୱୟ ସ୍ଥାପନ ପାଇଁ ନୂଆ ମାର୍ଗ ପ୍ରଶସ୍ତ କରିଛି । ଭାରତର ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକ ସହ ଏକାଡେମିକ ସହଯୋଗ ସ୍ଥାପନ, ଟ୍ୱିନିଂ, ଜଏଣ୍ଟ ଏବଂ ଡୁଆଲ୍ ଡିଗ୍ରୀ କାର୍ଯ୍ୟକ୍ରମର ବିକାଶ ସହିତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଲମ୍ବା ଅବଧି ପାଇଁ ଇଣ୍ଟର୍ନସିପର ସୁଯୋଗ ସୃଷ୍ଟି କରି ସେମିକଣ୍ଡକ୍ଟରରେ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧିର ସମ୍ଭାବନା ଉପରେ ଆଲୋଚନା ହୋଇଛି ।

ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ କିନଡ୍ରିଲର ସିଇଓଙ୍କ ମଧ୍ୟରେ ବୈଷୟିକ ଜ୍ଞାନକୌଶଳର ସମସ୍ତ ଦିଗ, ବିଶେଷ କରି ଏକବିଂଶ ଶତାବ୍ଦୀର ଶିକ୍ଷା ଉପରେ ପ୍ରଯୁକ୍ତିବିଦ୍ୟା ଶିକ୍ଷାର ଭୂମିକା ଉପରେ ଫଳପ୍ରଦ ଆଲୋଚନା ହୋଇଛି । କିନଡ୍ରିଲ କମ୍ପାନୀ ଶିକ୍ଷାକୁ ବିଦ୍ୟାର୍ଥୀ କେନ୍ଦ୍ରୀତ କରିବା, ଶିକ୍ଷାକୁ ସର୍ବବ୍ୟାପୀ କରିବା, ଛାତ୍ରଛାତ୍ରୀଙ୍କୁ ଲାଭ ଦେବା ସହ ଜାତୀୟ ଶିକ୍ଷାନୀତିର ଲକ୍ଷ୍ୟକୁ ହାସଲ କରିବାରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି ।

ଏହାବ୍ୟତିତ ଡ.ରମେଶ ୱାଧୱାନୀଙ୍କ ସହ ଅନୁଷ୍ଠିତ ପୃଥକ ବୈଠକରେ କେନ୍ଦ୍ରମନ୍ତ୍ରୀ ଦକ୍ଷତା, ଉଦ୍ୟମିତା, ଗବେଷଣା, ଉଦ୍ଭାବନ ଏବଂ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ୱାଧୱାନୀ ଫାଉଣ୍ଡେସନର ସଫଳତା ଉପରେ ଅବଗତ ହୋଇ ଖୁସିପ୍ରକାଶ କରିଥିଲେ । ଉଭୟ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ଉଦ୍ୟମିତା, ଇନୋଭେସନ ଏବଂ  ଷ୍ଟାର୍ଟ-ଅପକୁ ବଢ଼ାଇବାର ଆହ୍ୱାନର ମୁକାବିଲା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ପ୍ଲାଟଫର୍ମର ଉପଯୋଗ ପାଇଁ ୱାଧୱାନୀ ଫାଉଣ୍ଡେସନର ଦକ୍ଷତାକୁ ଉପଯୋଗ କରିବା ଉପରେ ଚର୍ଚ୍ଚା କରିଥିଲେ ।  ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଭାରତର ଯୁବପିଢ଼ିଙ୍କୁ ସଶକ୍ତ କରିବା ତଥା ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଦିଗରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

 

 

LEAVE A REPLY

Please enter your comment!
Please enter your name here