ସୋନିଆ ଓ ରାହୁଲଙ୍କ ମନ୍ତବ୍ୟ ସାମନ୍ତବାଦୀ ଓ ଅହଙ୍କାରର ମାନସିକତା, ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି କଂଗ୍ରେସ, ଅପମାନସୂଚକ ମନ୍ତବ୍ୟ ପାଇଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

0
68
President Droupadi Murmu --file

By Our Correspondent

BHUBANESWAR:    ସଂସଦରେ ମାନ୍ୟବର ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ । ଏହି ବୟାନ କଂଗ୍ରେସର ସାମନ୍ତବାଦୀ ମାନସିକତା, ସେମାନଙ୍କ ଅହଂକାର ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ପ୍ରତି ଥିବା ନିରାଶା ଭାବନାକୁ ପ୍ରତିଫଳିତ କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କଂଗ୍ରେସର ଚିନ୍ତାଧାରା ସବୁବେଳେ ଏସସି-ଏସଟି-ଓବିସି ବିରୋଧୀ । କଂଗ୍ରେସ ପୁଣି ଥରେ ସେହି ହୀନ ମାନସିକତାର ପରିଚୟ ଦେଇଛି । ଦେଶର ସର୍ବୋଚ୍ଚ ପଦବୀରେ ଦାୟିତ୍ୱରେ ରହୁଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେ ବି ବରଦାସ୍ତ କରିପାରିବେ ନାହିଁ । କଂଗ୍ରେସ କେବଳ ଏସଟି ସମ୍ପ୍ରଦାୟକୁ ଅପମାନିତ କରିନାହିଁ ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି । ଜଣେ ମହିଳା ଏବଂ ଓଡ଼ିଶାକୁ ଅପମାନିତ କରିଛନ୍ତି । ରାଷ୍ଟ୍ରପତିଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗିବା ଦରକାର ।

ଏହାବ୍ୟତୀତ ଶ୍ରୀ ପ୍ରଧାନ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଭୂୟସୀ ପ୍ରଶଂସା କରି କହିଛନ୍ତି ଯେ ରାଷ୍ଟ୍ରପତି ମୁର୍ମୁ ବଜେଟ୍ ଅଧିବେଶନ ୨୦୨୫ର ଅବ୍ୟବହିତ ପୂର୍ବରୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରି ଗତ ଦଶନ୍ଧିରେ ଭାରତର ଉଲ୍ଲେଖନୀୟ ଉପଲବ୍ଧିଗୁଡ଼ିକୁ ପ୍ରଭାବଶାଳୀ ଭାବରେ ଉପସ୍ଥାପନ କରିବା ସହ ୨୦୪୭ ମସିହାରେ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଏକ ଦୂରଦର୍ଶୀ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ମାନ୍ୟବର ରାଷ୍ଟ୍ରପତି କହିଥିଲେ, ଏହା ହେଉଛି ଭାରତର ବିକାଶ ଯାତ୍ରାର ‘ଅମୃତ କାଳ’। ଦେଶରେ ଚାଲିଥିବା ସରକାର ଯୁବବର୍ଗ, ମହିଳା, କୃଷକ, ଅବହେଳିତ ସମ୍ପ୍ରଦାୟ ଏବଂ ଗରିବଙ୍କ ଆକାଂକ୍ଷା ପୂରଣ ପାଇଁ ତିନିଗୁଣା ଗତିରେ କାମ କରୁଛି ।

ବାବାସାହେବଙ୍କ ଦ୍ୱାରା ପ୍ରଦତ୍ତ ସମ୍ବିଧାନର ମୂଳ ଭାବନାକୁ ଗ୍ରହଣ କରିବା, ପ୍ରତ୍ୟେକ ଗରିବ ପରିବାରକୁ ଏକ ପକ୍କା ଘର ପ୍ରଦାନ ଠାରୁ ଆରମ୍ଭ କରି ମଧ୍ୟବିତ୍ତବର୍ଗଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ସଶକ୍ତ କରିବା, ଯୁବ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏବଂ କୃଷକ, ମହିଳା ଏବଂ ଅସହାୟଙ୍କ ଆବଶ୍ୟକତାକୁ ପୂରଣ କରିବା ଉପରେ ରାଷ୍ଟ୍ରପତି ଅଭିଭାଷଣ ଦେଇଥିଲେ । ସେହିପରି ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଶିକ୍ଷାକ୍ଷେତ୍ରରେ ଉଦ୍ଭାବନ, ଗବେଷଣା ଏବଂ ବୈଜ୍ଞାନିକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା,  ଇଜ୍ ଅଫ୍ ଡୁଇଂ ବିଜନେସ୍ ଏବଂ ‘ମେକ୍ ଇନ୍ ଇଣ୍ଡିଆ’କୁ ସୁଦୃଢ଼ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ‘ସେବା’ ଏବଂ ‘କର୍ତ୍ତବ୍ୟ’କୁ ପ୍ରାଥମିକତା ଦେଇ ପ୍ରତିଶ୍ରୁତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ର ଭାବନାରେ ପରିଚାଳିତ ଆମ ସରକାରରେ ସୁନିଶ୍ଚିତ କରିଛନ୍ତି ଯେ ସମାଜର ପ୍ରତ୍ୟେକ ବର୍ଗ କେବଳ ଦେଶର ପ୍ରଗତିରେ ଭାଗୀଦାର ନୁହଁନ୍ତି ବରଂ ସମାନ ଭାବେ ସରକାରଙ୍କ ଯୋଜନାର ଲାଭାର୍ଥୀ ମଧ୍ୟ ଅଟନ୍ତି ।  ଆମର ସାମୂହିକ ପ୍ରୟାସ ଭାରତକୁ ଏକ ଶକ୍ତିଶାଳୀ, ସମୃଦ୍ଧ, ସମାବେଶୀ ଏବଂ ବିକଶିତ ରାଷ୍ଟ୍ରରେ ପରିଣତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 

 

 

 

LEAVE A REPLY

Please enter your comment!
Please enter your name here