ସୁଜିତ କୁମାରଙ୍କ ଯୋଗଦାନରେ ବିଜେପିର ସ୍ଥିତି ଅଧିକ ସୁଦୃଢ଼ ହେବ: ମନମୋହନ ସାମଲ, ବିଜେଡିର ଅସଲି ମୁଖା ଖୋଲି ଦେଲେ ସୁଜିତ୍ କୁମାର, ବିଜେଡିର ଅନେକ ଲାଂଚୁଆ ନେତା ଦୁର୍ନୀତିରେ ସମ୍ପୃକ୍ତ

0
79

By Our Correspondent

BHUBANESWAR:  ଦୁର୍ନୀତିରେ ଲିପ୍ତ ଥିବା ବିଜେଡିର ଦୁର୍ଗ ଭାଙ୍ଗିବାରେ ଲାଗିଛି । ଅପରପକ୍ଷେ ବିଜେପିର ସାଂଗଠନିକ ସ୍ଥିତି ଦିନକୁ ଦିନ ସୁଦୃଢ ହେଉଛି । ବିଜେଡିରେ ଗଣତାନ୍ତ୍ରିକ ବ୍ୟବସ୍ଥା ନ ଥିବାରୁ ଓ ଅଭିବ୍ୟକ୍ତିର ସ୍ୱାଧୀନତା ନ ଥିବାରୁ ବହୁ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି । ଗତ ନିର୍ବାଚନରେ ୨୧ ରୁ ୨୦ ସାଂସଦ ଏବଂ ୭୮ ବିଧାୟକ ବିଜେପିରୁ ନିର୍ବାଚିତ ହୋଇଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଲଗାତାର ତୃତୀୟ ଥର ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି । ଦଳର ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଆଜି ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଜିତ୍ କୁମାର ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ଦଳରେ ତାଙ୍କ ଯୋଗଦାନକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସ୍ୱାଗତ କରିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ଏହା ଅତ୍ୟନ୍ତ ଆନନ୍ଦର ବିଷୟ କି ରାଜ୍ୟସଭାରେ ଓଡିଶାର ପ୍ରତିନିଧିତ୍ୱ କରୁଥିବା ଶ୍ରୀଯୁକ୍ତ ସୁଜିତ୍ କୁମାର ବିଜେପିରେ ସାମିଲ ହୋଇଛନ୍ତି । ସେ ଜଣେ ଅତ୍ୟନ୍ତ ପ୍ରତିଭାବାନ, ଦକ୍ଷ, ବିଦ୍ୱାନ, ଗୁଣୀ ଓ କର୍ମଠ ବ୍ୟକ୍ତି । ଅତି କମ୍ ବୟସରେ ବି ସମାଜ କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ରାଜନୀତିରେ ବିରୋଧି ଦଳରେ ଥାଇ ମଧ୍ୟ ମୋଦିଜୀଙ୍କ ନେତୃତ୍ୱରେ ଓଡ଼ିଶାର ଯେଉଁଭଳି ଭାବେ ବିକାଶ ହୋଇଛି,  ତାହାକୁ ଶ୍ରୀ ସୁଜିତ୍ କୁମାର ଅନେକ ଥର ପ୍ରଶଂସା କରିଛନ୍ତି ।

କେବିକେ ତଥା କଳାହାଣ୍ଡିର ମୌଳିକ ବିକାଶ ଯଥା କୃଷି, ଶିକ୍ଷା, ନିଯୁକ୍ତି ତଥା ପଛୁଆ ବର୍ଗ ଲୋକଙ୍କ ବିକାଶ ପାଇଁ ସେ ସର୍ବଦା ପ୍ରୟାସରତ ଥିଲେ । ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଶ୍ରୀ ସୁଜିତ୍ କୁମାରଙ୍କ ଯୋଗଦାନ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହେବାରେ ସହାୟକ ହେବ ବୋଲି ଶ୍ରୀ ସାମଲ କହିଛନ୍ତି । ଅଗଷ୍ଟ ୧ରେ ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ  ଶ୍ରୀମତୀ ମମତା ମହନ୍ତ ବିଜେଡି ଏବଂ ରାଜ୍ୟସଭା ସାଂସଦ ପଦ ଛାଡ଼ି ବିଜେପିରେ ଯୋଗଦେଇଥିବାବେଳେ ଏବେ ଶ୍ରୀ ସୁଜିତ୍ କୁମାରଙ୍କ ଯୋଗଦାନ ଦଳକୁ ଅଧିକ ମଜ୍‌ଭୁତ କରିବ । ୨୦୨୪ ନିର୍ବାଚନରେ କଳାହାଣ୍ଡି ନିର୍ବାଚନ ମଣ୍ଡଳୀରୁ ଜଣେ ବିଧାୟକ ଓ ଜଣେ ଲୋକସଭା ସାଂସଦ ଥିôବାବେଳ ସୁୁଜିତ୍‌ଙ୍କ ଯୋଗଦାନ ଓଡ଼ିଶା ତଥା କେବିକେ ଅଂଚଳର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଯୋଗଦାନ ଅବସରରେ ଶ୍ରୀ ସୁଜିତ୍ କୁମାର କହିଛନ୍ତି ଯେ, ସେ ବିଶ୍ୱର ସବୁଠାରୁ ବଡ଼ ପାର୍ଟି ବିଜେପିରେ ଯୋଗଦେଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଲକ୍ଷ୍ୟ “ବିକଶିତ ଭାରତ ୨୦୪୭ ଓ  ବିକଶିତ ଓଡ଼ିଶା ୨୦୩୬” ଲକ୍ଷ୍ୟ ତାଙ୍କୁ ପ୍ରଭାବିତ କରିଛି । ତାଙ୍କ ପାଇଁ ମାଟି ପ୍ରଥମେ ଓ ଦଳ ପରେ ।

ଏଥିପାଇଁ ବିଦେଶରୁ କାମ ଛାଡି ସେ ଦେଶ ସେବା କରିବା ପାଇଁ ଚାଲି ଆସିଥିଲେ । ମାତ୍ର ବିଜେଡିରେ ଯୋଗ ଦେବାପରେ ଓଡ଼ିଶା ତଥା କଳାହାଣ୍ଡିର ଯେଉଁଭଳି ବିକାଶ ହେବ ବୋଲି ସେ ଆଶା ରଖିଥିଲେ ତାହା ହୋଇପାରି ନ ଥିଲା । ଏହାର ପ୍ରମୁଖ କାରଣ ଦୁର୍ନୀତି ଥିଲା । ବିଜେଡିର ଅନେକ ଲାଂଚୁଆ ନେତା ଏସବୁ ଦୁର୍ନୀତିରେ ସମ୍ପୃକ୍ତ ଥିଲେ । ସେ ଅନେକ ଥର ଏଥିରେ ପରିବର୍ତନ କରିବା ପାଇଁ ଚେଷ୍ଟା କରି ନିରାଶ ହେବା ପରେ ଶେଷରେ ବାଧ୍ୟ ହୋଇ ଦଳ ଛାଡ଼ିଛନ୍ତି ବୋଲି ଶ୍ରୀ ସୁଜିତ କୁମାର କହିଛନ୍ତି । ଏହାଦ୍ୱାରା ବିଜେଡିର ଅସଲ ମୁଖା ଖୋଲିଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here