ସାଲେପୁର ମହୋତ୍ସବ ସାମାଜିକ ଲୋକପର୍ବରେ ପରିଣତ ହୋଇଛି

0
272

By Our Correspondent

SALEPUR/CUTTACK:  ସାଲେପୁର ମହୋତ୍ସବ ସାମାଜିକ ଲୋକପର୍ବରେ ପରିଣତ ହୋଇଛି । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ସ୍ୱତଃପ୍ରବୃତ ଭାବେ ମଧୁବାବୁଙ୍କ ଫଟୋ ଧରି ଉତ୍ସବ ମନାଉଛନ୍ତି ବୋଲି ଶୁକ୍ରବାର କଟକ ଜିଲ୍ଲା ସାଲେପୁର ଠାରେ ଆୟୋଜିତ “ସାଲେପୁର ମହୋତ୍ସବ-୨୦୨୩ ଏବଂ ଉତ୍କଳ ଗୌରବ ମଧୁ ଜୟନ୍ତୀ” କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମର ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ତଥା ମଧୁବାବୁଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଦୀର୍ଘ ୧୭ ବର୍ଷ ଧରି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଆସୁଥିବାରୁ  ଆୟୋଜକ ବନ୍ଧୁ ‘ଉତ୍କଳ ଗୌରବ ମଧୁବାବୁ ଜୟନ୍ତୀ କମିଟି’କୁ ଧନ୍ୟବାଦ ଜଣାଉଛି । ସାଲେପୁର ମହୋତ୍ସବ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଇଛି । ମେଳା, ଉତ୍ସବ କରି ଲୋକମାନେ ଏକାଠି ହୋଇଛନ୍ତି । 

 ଓଡ଼ିଆ ଜାତି, ଭାଷା, ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ ମଧୁବାବୁଙ୍କ ବିଚାରଧାରା ଏକବିଂଶ ଶତାବ୍ଦୀରେ ମଧ୍ୟ ପ୍ରଭାବଶାଳୀ ବଜାୟ ରଖିଛି । ଓଡ଼ିଶାର ହୃତ ଗୌରବକୁ ଫେରାଇ ଆଣିବା ପାଇଁ ହେଲେ ରାଜ୍ୟରେ ମଧୁ ଆଦର୍ଶକୁ ପୁନର୍ବାର ପ୍ରତିଷ୍ଠିତ କରାଇବା ପାଇଁ ପଡିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ କୁଳବୃଦ୍ଧ ଶ୍ରୀ ମଧୁସୂଦନ ଦାସ କେବଳ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାର ନଥିଲେ ବରଂ ଏକ ବିଚାର, ସ୍ପନ୍ଦନ, ଅଭିମାନ, ସ୍ୱାଭିମାନ ଓ ଜୀବନ ବଞ୍ଚିବାର ପ୍ରତୀକ ଥିଲେ । ସେ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ସ୍ୱପ୍ନ ଦେଖିଥିଲେ । ଏକବିଂଶ ଶତାବ୍ଦୀରେ ଆମ ଜାତି, ଆମ ସମାଜ ମଧୁବାବୁଙ୍କୁ  ବିଶ୍ୱର ବଡ ବ୍ୟକ୍ତିତ୍ୱ କରିବ । ବଡ ଆଦର୍ଶ କରିବ ।

ଓଡ଼ିଆ ଗର୍ବ, ଗୌରବ ଏବଂ ଓଡ଼ିଆ ଅସ୍ମିତାର ଜ୍ୱଳନ୍ତ ପ୍ରତୀକ ଥିଲେ ମଧୁବାବୁ । ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକାଠି କରିବା ପାଇଁ ତାଙ୍କର ଅବଦାନ ଥିଲା ସବୁଠୁ ଅଧିକ । ନବ ଉତ୍କଳର କଳ୍ପନାକୁ ସାକାର କରିବାରେ ତାଙ୍କର ଯୋଗଦାନ ଅବର୍ଣ୍ଣନୀୟ । ସେ ଓଡ଼ିଆ ଜାତି ଓ ସଭ୍ୟତାର ଉତ୍ଥାନ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ଓଡ଼ିଶାରେ ସ୍ୱରୋଜଗାର ଓ ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ ପାଇଁ ଉତ୍କଳ ଟ୍ୟାନେରି ପ୍ରତିଷ୍ଠା କରିଥିଲେ । ମଧୁ ବାରିଷ୍ଟରଙ୍କ ଯୋଜନା ଘରେ ଘରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଓଡ଼ିଶା ଓ ଭାରତ ସ୍ୱପ୍ନ ପୂରଣ ହୋଇପାରିବ ।

ସେ କହିଛନ୍ତି ଯେ ଓଡ଼ିଆ ଜାତିର ଦାୟଦ, ଓଡ଼ିଆ ଭାଷାର ପ୍ରବକ୍ତା ଏବଂ ଓଡିଆ ସଂସ୍କୃତିର ଅଂଶ ଭାବେ ମୁଁ ମଧୁସୂଦନ ଦାସଙ୍କ ବିଚାର ଓ କାର୍ଯ୍ୟଧାରାରେ ପ୍ରଭାବିତ । ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ସ୍ୱାଭିମାନୀ ମଧୁବାବୁଙ୍କୁ ‘ଶତାବ୍ଦୀର ସୂର୍ଯ୍ୟ’ ବୋଲି ଅଭିହିତ କରିଛନ୍ତି । ଆଜି ଶତାବ୍ଦୀର ସୂର୍ଯ୍ୟଙ୍କର କିଛି କିରଣ ପାଇବାର ସୌଭାଗ୍ୟ ଲାଭ କରି ନିଜକୁ ସୌଭାଗ୍ୟ ମନେ କରୁଛି ।

ସମାଜର ବିବର୍ତ୍ତନ, ପରିବର୍ତ୍ତନ, ପ୍ରବାହ ଗୋଟିଏ ଦିନରେ ହୁଏ ନାହିଁ, ହଠାତ୍ ସୂର୍ଯ୍ୟ ଉଦୟ ହୁଏ ଓ ନୂଆ ଇତିହାସ ତିଆରି କରାଯାଏ । ଆଜି ସମୟ ଆସିଛି ନୂଆ ଇତିହାସ ତିଆରି କରିବା ପାଇଁ । ମଧୁବାବୁଙ୍କ ପରି ଓଡ଼ିଶାର ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀ ମାନଙ୍କ ତ୍ୟାଗ, କଳ୍ପନା ଓ ବୀର ଗାଥାକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ମହୋତ୍ସବରେ ଶ୍ରୀ ପ୍ରଧାନ ଅନେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ଶ୍ରୀ ପ୍ରଧାନ ସାଲେପୁର ଠାରେ ଆୟୋଜିତ ଏକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here