ସରକାରଙ୍କ ବିଫଳତା ସତ୍ତ୍ୱେ ବିରୋଧିଦଳ ନେତାଙ୍କ ଅହେତୁକ ନିରବତା ଅନେକ ସନ୍ଦେହ ସୃଷ୍ଟି କରୁଛି, ବିରୋଧିଦଳ ମାନେ ସରକାରଙ୍କ ବିଫଳତା ଓ ଦୋଷ, ଦୁର୍ବଳତା କୁ ନେଇ ଯେପରି ବିରୋଧ ଓ ସମାଲୋଚନା କରିବା କଥା ସେପରି କଲେନାହିଁ

0
317
CM Mohan Charan Majhi -Ex CM Naveen Patnaik-file

By RTI Activist Prakash Das

BHUBANESWAR: ଓଡ଼ିଶାରେ ବିଜେପି ସରକାରକୁ ଏକ ବର୍ଷ ପୁରିଲା । କିନ୍ତୁ ବିରୋଧିଦଳ ମାନେ ସରକାରଙ୍କ ବିଫଳତା ଓ ଦୋଷ, ଦୁର୍ବଳତା କୁ ନେଇ ଯେପରି ବିରୋଧ ଓ ସମାଲୋଚନା କରିବା କଥା ସେପରି କଲେନାହିଁ । ଗଣମାଧ୍ୟମରେ ଯେପରି ସରକାରଙ୍କ ସଫଳତା ଓ ବିଫଳତା ଆଲୋଚନା ହେବା କଥା ତାହା ମଧ୍ୟ ହେଲାନାହିଁ ।

ମୁଖ୍ୟ ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ସରକାରଙ୍କ ବିରୋଧରେ ବିଧାନସଭା ଭିତରେ କିମ୍ବା ବାହାରେ ପଦୁଟିଏ କହିଲେ ନାହିଁ ଓ ବିରୋଧ ମଧ୍ୟ କଲେନାହିଁ । ସରକାରଙ୍କର ଅନେକ ଚରମ ବିଫଳତା ଓ ଦୋଷ, ଦୁର୍ବଳତା ରହିଛି । କିନ୍ତୁ ସରକାରଙ୍କ ବିଫଳତା ସତ୍ତ୍ୱେ ବିରୋଧିଦଳ ନେତାଙ୍କ ଅହେତୁକ ନିରବତା ଅନେକ ସନ୍ଦେହ ସୃଷ୍ଟି କରୁଛି । କିଛି ବିଜେଡ଼ି ନେତା ଲୋକ ଦେଖାଣୀଆ ବିରୋଧ କରି ଦଳର ଅସ୍ତିତ୍ବ ଜାହିରି କରୁଛନ୍ତି । କିନ୍ତୁ ନବୀନ ବାବୁ ଦେଖା ନାହାନ୍ତି । ଅନ୍ୟପଟେ ଓଡ଼ିଶା ସାରା ଚର୍ଚ୍ଚା ହେଉଛି ବିରୋଧିଦଳ ନେତା ସରକାରଙ୍କ ସହିତ ଡିଲ୍ କରି ଚୁପ୍ ଅଛନ୍ତି ।
ଆଶା ଥିଲା ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ପାଖରେ ୨୪ ବର୍ଷର ଅନୁଭବ ଓ ଅନୁଭୂତି ଅଛି, ୫୧ ଜଣ ଅନୁଭବି ବିଧାୟକ ଓ ବିଧାୟିକା ଅଛନ୍ତି । ଏହାକୁ ସେ ପୁଞ୍ଜି କରି ଡବଲ ଇଞ୍ଜିନ ସରକାରଙ୍କୁ ଘେରିବେ ଓ କାଠ ଗଡାକୁ ଟାଣିବା ସହିତ ସରକାରଙ୍କ ଧୂଳା ଉଡେଇବେ । କିନ୍ତୁ ସେମିତି କିଛି ଦେଖିବା ପାଇଁ ମିଳିଲା ନାହିଁ । ବିଜେଡ଼ି ସରକାର ସମୟରେ ହୋଇଥିବା ଭୟଙ୍କର ଦୁର୍ନୀତି ଓ ବେଆଇନ୍ କାର୍ଯ୍ୟ ପାଇଁ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ସମେତ ଦଳର ଅନେକ ପୁରୁଖା ନେତା ବୁଝାମଣା / ଡିଲ୍ କରି ଚୁପ୍ ଅଛନ୍ତି । ଯଦି ବିରୋଧ କରିବେ ତେବେ ଜେଲ୍ ଯିବେ । ତେଣୁ ଏପରି ପରିସ୍ଥିତି / ପ୍ରକିୟା ଗଣତାନ୍ତ୍ରିକ ଓ ସାମ୍ବିଧାନିକ ରାଷ୍ଟ୍ର ପାଇଁ  ବିପଦ । ବିଜେଡ଼ି ମୁଖ୍ୟ ବିରୋଧିଦଳ ଭୂମିକା ନିର୍ବାହ କରିପାରୁନାହିଁ ତେଣୁ ନୈତିକତା ଦୃଷ୍ଟିରୁ ଗାଦି ଛାଡ଼ିବା ଆବଶ୍ୟକ । ରାଜନୀତି କର ବ୍ୟବସାୟ ନୁହେଁ, ନେତା ହୁଅ ବେପାରୀ ହୁଅନି । ନାଁ ନବୀନ ବାବୁ ଜଣେ ଭଲ ମୁଖ୍ୟମନ୍ତ୍ରୀ ହୋଇ ପାରିଲେ ନାଁ ଜଣେ ଭଲ ବିରୋଧିଦଳ ନେତା ହୋଇପାରିଲେ । ସବୁ ଆଡେ ଅପାରଗତା ଓ ବିଫଳତା ।
ସେହିପରି ଲୋକମାନେ ଆଶା କରିଥିଲେ କଂଗ୍ରେସ ଦଳ ବିଜେପି ସରକାରଙ୍କ ବିଫଳତା ଓ ଦୋଷ, ଦୁର୍ବଳତା କୁ ନେଇ ସରକାରଙ୍କୁ ଯୋରଦାର ବିରୋଧ କରିବା ସହିତ ବିଫଳତା ଦିବସ ପାଳନ କରିବ। ଯେହେତୁ ବରିଷ୍ଠ ନେତା ଭକ୍ତ ଦାସଙ୍କର ବିଭିନ୍ନ ରାଜ୍ୟ ରାଜନୀତିରେ ନେତୃତ୍ୱ ନେବାର ଦକ୍ଷତା ରହିଛି ଓ ଦଳରେ ଲଢୁଆ ବିଧାୟକ ଓ ବିଧାୟିକା ଅଛନ୍ତି ତେଣୁ ସେ ତାଙ୍କ ରାଜନୈତିକ ଅନୁଭବ ଓ ଅନୁଭୂତି କୁ ପୁଞ୍ଜି କରି ସରକାରଙ୍କୁ ଝଟକା ଦେବେ କିନ୍ତୁ ସେପରି ଦେଖାଗଲା ନାହିଁ । ଅବଶ୍ୟ କିଛି ମାସ ହେବ ଭକ୍ତ ବାବୁ ଓଡ଼ିଶା କଂଗ୍ରେସ ଦାୟିତ୍ବ ନେଇଛନ୍ତି । କଂଗ୍ରେସର ଆଗମୀ ରଣନିତି ଉପରେ ଲୋକଙ୍କ ନଜର ରହିବ ।
ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧିଦଳ ଯେତେ ସଶକ୍ତ ହେବେ ସରକାରଙ୍କ ଶାସନ ବ୍ୟବସ୍ଥା ସେତେ ସୃଦୃଢ଼ ହେବ । ଏହା ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଶୁଭଙ୍କର ଅଟେ । କିନ୍ତୁ ଯେଉଁ ରାଷ୍ଟ୍ରରେ ସରକାର ଓ ବିରୋଧି ନିଜ ସ୍ବାର୍ଥ ପାଇଁ ଭିତିରି ବୁଝାମଣା କରି ଲୋକ ଦେଖାଣିଆ ବିରୋଧ ଓ ବିକାଶ ପାଇଁ ନାଟକ ବାଜି କରନ୍ତି ତାହା ସେହି ରାଷ୍ଟ୍ର ଓ ଲୋକଙ୍କ ପାଇଁ ଭୟଙ୍କର ଓ ମାରାତ୍ମକ ଅଟେ । ତେଣୁ ଜନତା ସବୁ ଘଟଣାକୁ ବିଚାର କରି ସଠିକ ସମୟରେ ସଠିକ୍ ନିଷ୍ପତ୍ତି ନେବା ଆବଶ୍ୟକ । ଜୟ ରାଷ୍ଟ୍ର ।
ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐। ଆଶା ରଖୁଛୁ ସରକାର ରାଜ୍ୟ ବାସୀଙ୍କ ହିତ ଓ ରାଜ୍ୟର ବିକାଶ ଦୃଷ୍ଟିରୁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ନିଜର ପ୍ରତିଶୃତି ଓ କର୍ତ୍ତବ୍ୟ ନିରପେକ୍ଷ ଭାବରେ ପାଳନ କରିବେ । ଧନ୍ୟବାଦ

LEAVE A REPLY

Please enter your comment!
Please enter your name here