By Our Correspondent
PURI: ଶ୍ରୀମନ୍ଦିର ଭିତର ଚକଡା ଚିତ୍ର ସୋସିଆଲ୍ ମିଡିଆରେ ପ୍ରକାଶନ ଘଟଣାରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ASI) କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ରତା ତଥା ଆଧ୍ୟାତ୍ମିକତା ବଜାୟ ରଖିବା ପ୍ରତ୍ୟେକ ଭକ୍ତ ଏବଂ ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ l ତେଣୁ ଶ୍ରୀମନ୍ଦିର ସମ୍ପର୍କିତ ଚିତ୍ର ପ୍ରକାଶନ ସମୟରେ ଅଧିକ ସତର୍କ ହେବାକୁ ମୁଖ୍ୟ ପ୍ରଶାସକ ASI କୁ ପରାମର୍ଶ ଦେଇଛନ୍ତି l
ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଭିତର ବେଢାର ଚିତ୍ର ASI ପକ୍ଷରୁ ସୋସିଆଲ ମିଡିଆରେ ପ୍ରକାଶନ କରାଯାଇଥିବା ନଜର କୁ ଆସିଥିଲା l ସଙ୍ଗେ ସଙ୍ଗେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ASI ମହାନିର୍ଦେଶକଙ୍କ ଦୃଷ୍ଟିକୁ ଆଣିଥିଲେ ଏବଂ ASI ପକ୍ଷରୁ ସମ୍ପୃକ୍ତ ଚିତ୍ର ଡିଲିଟ ମଧ୍ଯ କରାଯାଇଥିଲା l
ଏହା ଭିତରେ କିନ୍ତୁ ଚିତ୍ର ଗୁଡିକ ସେୟାର୍ ହେବା ସହ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ନିଜ ଚିଠିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣାଇଛନ୍ତି l ASI ମହାନିର୍ଦେଶକ ଙ୍କୁ ଲେଖିଥିବା ପତ୍ରରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କ୍ଷେତ୍ରରେ ASI ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି l ତେବେ ଏନେଇ ସୂଚନା ଦେବାକୁ ଯାଇ ଶ୍ରୀମନ୍ଦିର ଭିତର ବେଢା ସହ ଶ୍ରୀମନ୍ଦିର ଚିତ୍ର ସୋସିଆଲ୍ ମିଡିଆ ରେ ପ୍ରକାଶନ କରିବା ଭକ୍ତଙ୍କ ଧର୍ମୀୟ ଭାବନାକୁ ପ୍ରଭାବିତ କରିଛି l ତେଣୁ ଏ ବିଷୟରେ ଯଥେଷ୍ଟ ସତର୍କ ହେବା ସହ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ଲେଖିଛନ୍ତି l


























