ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ବିକାଶ ପାଇଁ ୮୬.୯୧ କୋଟି ଟଙ୍କା ମଞ୍ଜୁର କଲା ଶିକ୍ଷା ମନ୍ତ୍ରଣାଳୟ, ଷ୍ଟାର୍ସ ପ୍ରକଳ୍ପ ଅଧୀନରେ ଅନୁମୋଦିତ ୮୬.୯୧ କୋଟି ଟଙ୍କା ମଧ୍ୟରୁ ନୂଆ ସ୍କୁଲ ଭବନ ପାଇଁ ୧୪ କୋଟି, ଇନଡୋର୍ ଷ୍ଟାଡିୟମ କିମ୍ବା ବହିମୁଖୀ ସଭାଗୃହ ପାଇଁ ୧୦ କୋଟି, ନୂଆ ହଷ୍ଟେଲ ପାଇଁ ୨୦.୭ କୋଟି, ସ୍କୁଲ ବିଲଡିଂ(Primary) ପାଇଁ ୫.୧୨ କୋଟି ଖର୍ଚ୍ଚ କରାଯିବ

0
266

By Our Correspondent

BHUBANESWAR:   କଟକର ଅନ୍ୟତମ ପୁରାତନ ସ୍କୁଲ ତଥା ନାରୀ ଶିକ୍ଷାର ଅଗ୍ରଣୀ ଅନୁଷ୍ଠାନ ଭାବରେ ପରିଚିତ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପୁନଃ ବିକାଶ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶିକ୍ଷା ମନ୍ତ୍ରଣାଳୟର ‘ଷ୍ଟାର୍ସ ‘ପ୍ରକଳ୍ପ ଅଧୀନରେ ୨୦୨୪-୨୫ ବର୍ଷ ପାଇଁ ୮୬.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଶିକ୍ଷାନୁଷ୍ଠାନର ଐତିହାସିକ ପୃଷ୍ଠଭୂମି ଓ ସ୍ଥାପତ୍ୟକୁ ଦୃଷ୍ଟିରେ ରଖି ଏହି ଅର୍ଥ ଅନୁମୋଦିତ ହୋଇଛି ।

ଗତ ଡିସେମ୍ବର ୧୬ ତାରିଖ ୨୦୨୩ରେ ରେଭେନ୍ସା ବାଳିକା ବିଦ୍ୟାଳୟର ‘ଉତ୍କର୍ଷର ୧୫୦ ବର୍ଷ ପୂର୍ତ୍ତି’ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସ୍କୁଲର ପୁର୍ନବିକାଶ ପାଇଁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ଗତ ୩୧ ଅଗଷ୍ଟ ୨୦୨୪ରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସହରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ରେଭେନ୍ସା ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେ ବିଦ୍ୟାଳୟର ବିଭିନ୍ନ ଅସୁବିଧା ସମ୍ପର୍କରେ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ରେଭେନ୍ସା ବାଳିକା ବିଦ୍ୟାଳୟର ଐତିହାସିକ ପୃଷ୍ଠଭୂମି ଓ ସ୍ଥାପତ୍ୟକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଭବନ, ଶ୍ରେଣୀଗୃହ, ଛାତ୍ରୀ ନିବାସ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ କଟକ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲର ଐତିହ୍ୟକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଷ୍ଟାର୍ସ ପ୍ରକଳ୍ପ ଅଧୀନରେ ୮୬.୯୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଷ୍ଟାର୍ସ ପ୍ରକଳ୍ପ ଅଧୀନରେ ଅନୁମୋଦିତ ଅର୍ଥରାଶି ମଧ୍ୟରୁ ନୂଆ ସ୍କୁଲ ଭବନ (Higher Secondary Grades) ପାଇଁ  ୧୪ କୋଟି, ଇନଡୋର୍ ଷ୍ଟାଡିୟମ କିମ୍ବା ବହିମୁଖୀ ସଭାଗୃହ ପାଇଁ ୧୦ କୋଟି, ନୂଆ ହଷ୍ଟେଲ ପାଇଁ ୨୦.୭ କୋଟି, ସ୍କୁଲ ବିଲଡିଂ(Primary) ପାଇଁ ୫.୧୨ କୋଟି ଖର୍ଚ୍ଚ କରାଯିବ । ସେହିପରି ସ୍କୁଲ ଭବନର ନବୀକରଣ ପାଇଁ ୩.୩୨ କୋଟି, ବିଦ୍ୟାଳୟ ଚତୁଃପାର୍ଶ୍ୱର ବିକାଶ ପାଇଁ ୬.୯୩ କୋଟି, ଷ୍ଟାଫ୍ କ୍ୱାଟର, ସାଇସେଲ ଷ୍ଟାଣ୍ଡ ଓ ଆନୁଷଙ୍ଗିକ ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗୀତାରେ ଏହି ସ୍କୁଲର ବିକାଶ ଓ ନବୀକରଣ ହେବ ।

ଓଡ଼ିଶାରେ ନାରୀ ଶିକ୍ଷା ବିକାଶରେ ରେଭେନ୍ସା ବାଳିକା ସ୍କୁଲର ବଡ ଯୋଗଦାନ ରହିଛି । ଏହି ବିଦ୍ୟାଳୟ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗିବା ଏବଂ ଶିକ୍ଷାରେ ଲିଙ୍ଗଗତ ସମାନତାକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବର୍ଷ ବର୍ଷ ଧରି ଏହି ଅନୁଷ୍ଠାନ ଏକ କ୍ଷୁଦ୍ର ଅନୁଷ୍ଠାନରୁ ଏକ ପୂର୍ଣ୍ଣ ସରକାରୀ ସମର୍ଥିତ ପ୍ରତିଷ୍ଠାନରେ ପରିଣତ ହୋଇଛି । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଏହି ସ୍କୁଲ ଜଡିତ । ଯେଉଁ ସମୟରେ ମହିଳାମାନଙ୍କ ପାଇଁ ସୁଯୋଗର ଅଭାବ ଥିଲା ସେହି ସମୟରେ ଝିଅମାନଙ୍କ ପାଇଁ ଶିକ୍ଷାକୁ ପ୍ରୋତ୍ସାହିତ କରିବାର ପରମ୍ପରା ଏହି ଠାରୁ ଆରମ୍ଭ ହୋଇଥିଲା ।

ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ କେବଳ ଓଡ଼ିଶାର ଶିକ୍ଷା ଇତିହାସରେ ଏକ ଐତିହାସିକ ପରିଚୟ ସୃଷ୍ଟି କରୁନାହିଁ ବରଂ ନାରୀ ସଶକ୍ତୀକରଣ ଓ ଶୈକ୍ଷିକ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତା ମାଧ୍ୟମରେ ସମୁଦାୟକୁ ପ୍ରେରଣା ଯୋଗାଇ ଚାଲିଛି ।  ଏହି ବାଳିକା ବିଦ୍ୟାଳୟରେ ପ୍ରଖ୍ୟାତ କବୟିତ୍ରୀ ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ରାଜ୍ୟର ପ୍ରଥମ ମହିଳା ଶିଳ୍ପୋଦ୍ୟୋଗୀ ଡକ୍ଟର ସରସ୍ୱତୀ ପ୍ରଧାନ, ‘ସମାଜ’ର ସମ୍ପାଦିକା ସ୍ୱର୍ଗତ ମନୋରମା ମହାପାତ୍ର, ପଦ୍ମଶ୍ରୀ ଶ୍ୟମାମଣି ଦେବୀ, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦି, ଡକ୍ଟର ନିରୁପମା ରଥ, ରଜନୀ ଦେବୀ, ଶ୍ରୀମତୀ ସୁନନ୍ଦା ପଟ୍ଟନାୟକ, ଡକ୍ଟର ଅର୍ଚ୍ଚନା ନାୟକଙ୍କ ପରି ଅନେକ ମହୀୟସୀ ମହିଳା ପାଠ ପଢି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି । ଏହି ଦୃଷ୍ଟିରୁ ସ୍କୁଲର ଐତିହ୍ୟ ଓ ଭୂମିକାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର ହୋଇଛି ।

ଉଲ୍ଲେଖନୀୟ ଯେ, ଷ୍ଟାର୍ସ ପ୍ରକଳ୍ପକୁ କ୍ରିୟାନ୍ୱୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୦୨୦ରେ କ୍ୟାବନେଟରେ ଅନୁମୋଦନ ଦେଇଥିଲେ । ଏହି ପ୍ରକଳ୍ପ ଉନ୍ନତ ମାନବ ସମ୍ବଳ ପ୍ରସ୍ତୁତ କରିବା ପାଇଁ ଉତ୍ତମ ଉନ୍ନତ ଶିକ୍ଷା ପରିଣାମ ଓ ସ୍କୁଲ ଦ୍ୱାରା ପ୍ରସ୍ତୁତ ରଣନୀତି ସହ କାର୍ଯ୍ୟ କରିବା ପାଇଁ ବିଭିନ୍ନ ଉପକ୍ରମ ବିକଶିତ କରିବା ସହ ତାହାକୁ ଲାଗୁ କରିବା, ଆକଳନ କରିବା ଓ ସଂସ୍କାର ଆଣିବା ପାଇଁ ରାଜ୍ୟ ଗୁଡିକୁ ସହାୟତା କରିବ । ଗୁଣବତ୍ତା ଆଧାରିତ ଶିକ୍ଷା ପରିଣାମ ହାସଲ କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଥିବା ଉଦ୍ଦେଶ୍ୟ ସହିତ ଷ୍ଟାର୍ସ ପ୍ରକଳ୍ପର ଯୋଜନା ଗୁଡିକ ଯୋଡ଼ି ହୋଇଛି ।

 

 

LEAVE A REPLY

Please enter your comment!
Please enter your name here