ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଶିକ୍ଷା ବର୍ଗ ସମାରୋପ

0
63

By Our Correspondent

CUTTACK/BHUBANESWAR:   ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମାଜ ପରିବର୍ତନର ଲକ୍ଷ୍ୟ ନେଇ ଦୀର୍ଘ ୯୯ରୁ ଅଧିକ ବର୍ଷ ହେଲା ତାର କାର୍ଯ୍ୟକ୍ରମ ଚାଲୁ ରଖିଛି । ତାହାର ପରିଣାମ ବର୍ତମାନ ପ୍ରତ୍ୟକ୍ଷଭାବରେ ଦେଶବୀସୀ ଅନୁଭବ କରୁଛନ୍ତି । ସଂପୂର୍ଣ୍ଣ ସମାଜର ପରିବର୍ତନ ହେଲେ ଯାଇ ଭାରତ ବିଶ୍ୱଗୁରୁ ଆସନରେ ଅଳଙ୍କୃତ ହେବ । ଯାହା ବିଶ୍ୱ ତଥା ମାନବ କଲ୍ୟାଣରେ ସହାୟକ ହେବ । ଏଥିପାଇଁ ସଂପୂର୍ଣ୍ଣ ସମାଜ ‘ସ୍ୱ’ ଆଧାରରେ ସଂଗଠିତ ହୋଇ  ତ୍ୟାଗପୂତ ଜୀବନ ଆପଣେଇଲେ ହିଁଁ ତାହା ସମ୍ଭବ ହୋଇ ପାରିବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବର ସହପ୍ରାନ୍ତ କାର୍ଯ୍ୟବାହ ଶ୍ରୀ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।

ଗତ ଜୁନ ୨ ତାରିଖ ଠାରୁ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡ଼ିଶା ପୂର୍ବର ସଂଘଶିକ୍ଷା ବର୍ଗ (ସାମାନ୍ୟ) ୧୫ ଦିବସୀୟ ପ୍ରଶିକ୍ଷଣ ବର୍ଗ ଆଜି ସମାରୋପ ହୋଇଛି । ଶ୍ରୀ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ ଯେ,ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସ୍ୱତନ୍ତ୍ରତାର ସମୀକ୍ଷା ଅନେକ କାର୍ଯ୍ୟକ୍ରମରେ ହେଉଥିବାର ଦେଖିବାକୁ ମିଳୁଛି । ଭାରତର ‘ସ୍ୱ’କଣ?  ‘ସ୍ୱ’ ତନ୍ତ୍ର କଣ ? ଭାରତୀୟତା  କଣ ? ଏହି ବିଷୟକୁ ନେଇ ସମାଜରେ ଅନେକ ବର୍ଷଧରି ଚର୍ଚ୍ଚା ଆଲୋଚନା ଚାଲୁ ରହିଛି । କବିଗୁରୁ ରବିନ୍ଦ୍ରନାଥ ଠାକୁର ମଧ୍ୟ  ଭାରତୀୟତା କଣ?  ବିଷୟରେ ପାଶ୍ଚାତ୍ୟ ସମାଜ ବ୍ୟବସ୍ଥା ଓ ଭାରତୀୟ ସମାଜ ବ୍ୟବସ୍ଥା ଭିତରେ ଥିବା  ଢାଂଚାଗତ ପାର୍ଥକ୍ୟ ସ୍ୱଦେଶୀ ସମାଜ ନାମକ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ଗାନ୍ଧିଜୀଙ୍କର ହିନ୍ଦ୍ ସ୍ୱରାଜ୍ୟ ପୁସ୍ତକ ମଧ୍ୟ ଏହି ବିଷୟକୁ ଅନେକାଶଂରେ ସମର୍ଥନ କରୁଛି ।

ସେ କହିଲେ ଯେ, ବିଶ୍ୱରେ ଦୁଇଟି ବିଚାରଧାରାର ସଂଘର୍ଷ ଚାଲିଛି । ଗୋଟିଏ ଭାରତୀୟ ବିଚାରଧାରା, ଅନ୍ୟଟି ପାଶ୍ଚାତ୍ୟ ବିଚାରଧାରା । ଭାରତୀୟ ବିଚାରଧାରା ତ୍ୟାଗ ଉପରେ ପର୍ଯ୍ୟବେଶିତ ଥିବା ବେଳେ ପାଶ୍ଚାତ୍ୟ ବିଚାରଧାରା ଭୋଗ ଉପରେ ପର୍ଯ୍ୟବେଶିତ । ବୈଚାରିକ ଦୃଷ୍ଟିରୁ ବିଶ୍ୱକୁ ଦେଖିବାର ଦୃଷ୍ଟିକୋଣ ଉଭୟ ସ୍ଥାନରେ ଭିନ୍ନ ଅଛି । ପାଶ୍ଚାତ୍ୟ ସମାଜ ୮୦/୯୦ ବର୍ଷର ଜୀବନ ଜିଇଁ ଥିବା ବେଳେ ଭାରତୀୟ ସମାଜ ଅନନ୍ତ ଜୀବନ ଭୋଗ କରୁଛି । ସେଥିପାଇଁ ସେମାନଙ୍କର କ୍ଷଣସ୍ଥାୟୀ ସମାଜ ରଚନା ଥିବା ବେଳେ ଭାରତରେ ଦୀର୍ଘସ୍ଥାୟୀ ସମାଜ ରଚନା ବିଶ୍ୱକୁ ଆକର୍ଷିତ କରୁଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

ଏହି ସମାରୋପ ଉତ୍ସବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ,କଟକର ଉପକୁଳପତି ଡ.ବି.ଆର.ଶର୍ମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ  କହିଲେ ଯେ,ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ରାଷ୍ଟ୍ର ନିର୍ମାଣର କାର୍ଯ୍ୟ କରୁଅଛି । ଏହି ଭଳି ସଂଘଶିକ୍ଷା ବର୍ଗ ମାଧ୍ୟମରେ ସ୍ୱୟଂସେବକମାନଙ୍କର ବ୍ୟକ୍ତିତ୍ୱ ଓ ରାଷ୍ଟ୍ରପ୍ରତି ସମର୍ପିତ ଭାବନାର ଚରିତ୍ର ନିର୍ମାଣ ହେଉଛି । ଏହି ସମାପନ ଉତ୍ସବରେ ଯୋଗଦେଇ ମୁଁ ନିଜକୁ ଧନ୍ୟ ମନେ କରୁଛି ।

କଟକ ଗତିରାଉତ ପାଟଣା ସ୍ଥିତ ଶିଶୁବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ବର୍ଗରେ ଓଡ଼ିଶାର ୧୮ଟି ଜିଲ୍ଲା ଓ ୧ଟି ମହାନଗରରୁ  ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ୧୯୫, ଶିକ୍ଷକ ୧୨,କୃଷକ ୮, ବିଭିନ୍ନ ବୃତିଧାରୀ ୨୨,ବ୍ୟବସାୟୀ ୨୦ ଜଣ, ମୋଟ ୨୫୭ ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ । ଏହି ବର୍ଗରେ ୩୧ ଜଣ ଶିକ୍ଷକ, ୫୩ ଜଣ ପ୍ରବନ୍ଧକ ସମେତ ସଂଘର ଅଖିଳ ଭାରତୀୟ ଅଧିକାରୀ, କ୍ଷେତ୍ର ଓ ପ୍ରାନ୍ତ ଅଧିକାରୀମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବର୍ଗ ସର୍ବାଧିକାରୀ ବିଭାଗ ସଂଘଚାଳକ ମନୋରଞ୍ଜନ ସାହୁ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଦୀପ୍ତ ରଂଜନ ସାମଲ ମଂଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମଂଚ ଉପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ଉପସ୍ଥିତ ଥିଲେ ।

 

 

 

LEAVE A REPLY

Please enter your comment!
Please enter your name here