By Our Correspondent
BHUBANESWAR: ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ର ଅବୈତନିକ ସଚିବ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ର ଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ତଥା ତାଲିମ୍ ଶିବିର ନୀଳାଚଳ ପଲିଟେକନିକ୍, ଶିଖରଚଣ୍ଡି ଭୁବନେଶ୍ୱରଠାରେ ଉଦଘାଟିତ ହୋଇଯାଇଛି l ଏହି ଶିବିର ଫେବୃଆରୀ ୦୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଫେବୃଆରୀ ୦୭ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ସର୍ବମୋଟ ୪୬୦ ଜଣ ଯୋଗ ଦେଇଛନ୍ତି ।
ଉଦଘାଟନି ଉତ୍ସବରେ ଅବୈତନିକ ସଚିବ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ପାତ୍ର ସଭାପତିତ୍ୱ କରିଥିଲେ l ବରେଣ୍ୟ ଅତିଥି ଭାବେ ରାଜ୍ୟ ରେଡ଼କ୍ରସର କୋଷାଧ୍ୟକ୍ଷ ଶ୍ରୀ ଲାବଣ୍ୟ ଶବର, ଶିଶୁ ଓ ମହିଳା ବିକାଶ ସୋସାଇଟି ର ଅଧ୍ୟକ୍ଷା ପ୍ରଫେସର ମେଜର କଳ୍ପନା ଦାସ , ନୀଳାଚଳ ପଲିଟେକନିକର ସେକ୍ରେଟାରୀ ଇ. ସରୋଜ କୁମାର ସାହୁ , ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସୋସାଇଟି ର ପ୍ରକଳ୍ପ ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ସ୍ବାଇଁ, ଜିନ୍ଦଲର ସି ଏସ ଆର ମ୍ୟାନେଜର ଶ୍ରୀ ଭକ୍ତ ବନ୍ଧୁ ଦାସ ଯୋଗ ଦେଇଥିଲେ l
ଯୁବ ରେଡକ୍ରସ୍ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଅତିଥିଙ୍କ ପରିଚୟ ପ୍ରଦାନ ସହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥଲେ। ବରିଷ୍ଟ ସାଧନ କର୍ମୀ ଶ୍ରୀଯୁକ୍ତ ମୂରଲୀଧର ପରିଡ଼ା ଉକ୍ତ ସଭାରେ ମଞ୍ଚ ପରିଚାଳନା କରିଥଲେ ଏବଂ ଓଡିଶା ରାଜ୍ୟ ଶାଖାର ଜୁନିୟର ରେଡ଼କ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ୱାଇଁ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥଲେ ।
ଶିବିରାର୍ଥିମାନଙ୍କୁ ପାଞ୍ଚଦିନରେ ବିଭିନ୍ନ ବିଷୟରେ ଯଥା ରେଡ଼କ୍ରସ ଇତିହାସ, ରକ୍ତଦାନ, ଜଳବାୟୁ ପରିବର୍ତ୍ତନ, ଔଷଧୀୟ ବୃକ୍ଷ ରୋପଣ, ପ୍ରାଥମିକ ସହାୟତା, ସଡ଼କ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା , ନିଶା ନିବାରଣ ଓ ତମାଖୁ ମୁକ୍ତ ସମାଜ,ଏଚ ଆଇ ଭି ଏଡ଼ସ, ସାଇବର ସିକୁରିଟି, ଅଗ୍ନି ନିରାପତା ଉପରେ ତାଲିମ ଦିଆଯିବ l ବିଦ୍ୟାଳୟମାନଙ୍କରେ ଜୁନିୟରମାନେ ରେଡ଼କ୍ରସ ୟୁନିଟକୁ ତ୍ୱରାନ୍ୱିତ କରି କିପରି ସମାଜର ପୀଡିତ, ଅବହେଳିତ ମାନଙ୍କୁ ସହାୟତା ପ୍ରଦାନ କରିହେବ ଏହାର ମୂଳ ଉଦ୍ଦେଶ୍ୟ l
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ସ୍ବେଛାସେବୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ଜାତୀୟ କ୍ୟାମ୍ପ କୁ ବିଭିନ୍ନ ବିଭାଗରେ କୃତି ହାସଲ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ବଛାଯିବ l ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶାଖାର ସମସ୍ତ କର୍ମଚାରୀ ଓ ନୀଳାଚଳ ପଲି ଟେକନିକ ର କର୍ମଚାରୀ ସହଯୋଗ କରିଥିଲେ । ଜରୁରୀ କାଳୀନ ସେବା ପ୍ରଦାନ ନିମନ୍ତେ ଓଡିଶା ଏଡ଼ସ ନିୟନ୍ତ୍ରଣ ସୋସାଇଟି ତରଫରୁ ପ୍ରାଥମିକ ସହାୟତା କିଟ ବଣ୍ଟା ଯାଇଥିଲା l କ୍ୟାମ୍ପକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିନ୍ଦଲ ତରଫରୁ ଷ୍ଟିଲ ବୋତଲ ବଣ୍ଟନ କରାଯାଇଥିଲାl

























