By Our Correspondent
PARADIP: ରାଜ୍ୟ ସରକାର ବଡ ବଡ ଠିକାଦାରଙ୍କୁ ପୋଷିବା ପାଇଁ ପ୍ରାଥମିକତା ଦେଉଛନ୍ତି । କିନ୍ତୁ ରଘୁନାଥପୁର ବ୍ଲକର ମାଆ ମାନଙ୍କ ପାଇଁ ପାଣି ମୁନ୍ଦେ ଦେବାର ବ୍ୟବସ୍ଥା କରୁନାହାନ୍ତି, ଯାହା ବିଡମ୍ବନା ବୋଲି ଶନିବାର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ରଘୁନାଥପୁରରେ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଓଡ଼ିଶାକୁ ବିପୁଳ ଅର୍ଥ ଦେବା ପରେ ମଧ୍ୟ ତିର୍ତ୍ତୋଲ ଓ ରଘୁନାଥପୁର ବାସୀଙ୍କୁ ରାଜ୍ୟ ସରକାର ଉପେକ୍ଷା କରିଛନ୍ତି । ପୂର୍ବ ସରକାରର ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଆସିଥିବା ବେଳେ ମୋଦି ସରକାରରେ ଏ ପର୍ଯ୍ୟନ୍ତ ୧୮ ଲକ୍ଷ କୋଟି ଟଙ୍କା ଆସିଛି । ରଘୁନାଥପୁରରେ ପ୍ରତି ଘରକୁ ପାଇପ ଯୋଗେ ପିଇବା ପାଣିର ବ୍ୟବସ୍ଥା ହୋଇ ନାହିଁ । ବାରମ୍ବାର ବିଜୁଳି କାଟ୍ ହେଉଛି । ଷ୍ଟ୍ରିଟ୍ ଲାଇଟ, ଯାତ୍ରୀ ବିଶ୍ରାମଗାର ପାଇଁ ସ୍ଥାନୀୟ ଲୋକମାନେ ଦାବି କଲା ପରେ ବି ସରକାର କର୍ଣ୍ଣପାତ କରୁନାହାନ୍ତି । ଯୁବକମାନେ ସୁରଟ, ତାମିଲନାଡୁ ଭଳି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।
ଏଠାରେ ମୋ ଗାଁ ମୋ ବିକାଶରେ ପ୍ରାୟ ୧ କୋଟି ୬୨ ଲକ୍ଷର ଦୁର୍ନୀତିର ପ୍ରମାଣି ମିଳିଛି ଏବଂ ଏଥିପାଇଁ ବିଭାଗୀୟ ଅଧିକାରୀମାନେ ଜେଲ୍ ଯାଇଛନ୍ତି ।ଏ ସରକାର ଶାସକ ଦଳର ନେତାଙ୍କ ପକେଟ ଗରମ କରୁଥିବା ସରକାର । ଏଠାକାର ସରକାର ବଡ ବଡ ଠିକାଦାରଙ୍କୁ ପୋଷିବା ପାଇଁ ପ୍ରାଥମିକତା ଦେଉଛି । ମାଆ ମାନଙ୍କୁ ପାଣି ମୁନ୍ଦେ ଦେବାର ବ୍ୟବସ୍ଥା ନାହିଁ ।
ଚାଷୀର ହକରୁ ବଞ୍ଚିତ କରାଯାଉଛି । ପିଏମ ଆବାସ ଯୋଜନାରେ ମୋଦି ସରକାର ୩୨ ଲକ୍ଷ ଘର ଦେବା ପରେ ବି ରଘୁନାଥପୁର ବ୍ଲକରେ ପକ୍କା ଛାତ ହୋଇନାହିଁ । ମୋଦିଙ୍କ ପଇସାରେ ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବା କଥା କହୁଛନ୍ତି । ଏ ସବୁର ସମାଧାନ ପାଇଁ ଆମେ ଦୃଢ ରାଜନୈତିକ ଇଚ୍ଛାଶକ୍ତି ରଖୁଥିବା ତଥା ଓଡ଼ିଆ ସ୍ୱାଭିମାନ, ଓଡ଼ିଆ ଅସ୍ମିତା ଏବଂ ମହାପ୍ରଭୁଙ୍କ ପ୍ରତି ସମର୍ପିତ ଥିବା ଲୋକଙ୍କୁ ଦାୟିତ୍ୱ ଦେବା ପାଇଁ ଲଢେଇ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ତିର୍ତ୍ତୋଲ ସ୍ଥିତ ମହାକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ କହିଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିବାରୁ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ । ଓଡ଼ିଆ ସଂସ୍କୃତିର ପବିତ୍ର ପୀଠସ୍ଥଳ ମାଆ ଶାରଳା ଏବଂ ଓଡ଼ିଆ ଭାଷାର ଆଦିକବି ସାରଳା ଦାସଙ୍କ ଏହି ପବିତ୍ର ଭୂମିକୁ ମୋର ପ୍ରଣାମ । ଆଜି ଗଣକବି ବୈଷ୍ଣବ ପାଣିଙ୍କ ପୁଣ୍ୟ ଜୟନ୍ତୀରେ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।