ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୫ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି

0
86

By Our Correspondent

CUTTACK/BHUBANESWAR:ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୫ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଏକ  ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହାସହ ବୀର ଶହୀଦଙ୍କ ପରିବାରବର୍ଗ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ବୀର ଶହୀଦମାନଙ୍କ ପ୍ରତି ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।

ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୋଲିସର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି ବୋଲି କହିବା ସହ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ, ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦ ଦମନ, ସମାଜରେ ଶାନ୍ତି ପ୍ରତିଷ୍ଠା ଏବଂ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ପୋଲିସ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତପ୍ରକାଶ କରିଥିଲେ l ଏହି ଅବସରରେ ସାଧାରଣ ଜନତାଙ୍କୁ ନିରନ୍ତର ସେବା ପ୍ରଦାନ କରୁଥିବା ରାଜ୍ୟର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ  ସାଧୁବାଦ ଜଣାଇଥିଲେ l ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ ଯବାନ ମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ସହଯୋଗ ଏବଂ ପ୍ରୟାସ ପାଇଁ ରାଜ୍ୟରେ  ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକର ସଂଖ୍ୟା ହ୍ରାସ ପାଇଛି ବୋଲି ମତବ୍ୟକ୍ତ କରିଥିଲେ l

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶର ମାଓ ଉପଦ୍ରୁତ ରାଜ୍ୟଗୁଡିକରୁ ମାଓବାଦୀଙ୍କ ମୂଳୋତ୍ପାଟନ ନିମନ୍ତେ ଆହ୍ଵାନ ଦେଇଛନ୍ତି । ତାଙ୍କର ଏହି ଆହ୍ଵାନକୁ  କାର୍ଯ୍ୟକାରୀ କରିବାକୁ ରାଜ୍ୟ ପୋଲିସ ଉଦ୍ୟମ ଜାରି ରଖିଛି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି । ଦେଶ ତଥା ରାଜ୍ୟ ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ଡିଜିପି କହିଛନ୍ତି । ଏଣୁ ମାଓବାଦୀମାନେ ହିଂସାତ୍ମକ କାର୍ଯ୍ୟକଳାପ ଛାଡି ସମାଜର ମୁଖ୍ୟ ସ୍ରୋତରେ  ସାମିଲ ହେବାକୁ ଡିଜିପି ଶ୍ରୀ ଖୁରାନିଆ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସର ୨୧୬  ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ଵିତ କରିଛନ୍ତି । ଓଡିଶାରୁ ଶହୀଦ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର ହିମାଂଶୁ ଶେଖର ରଥ ଓ କଟକ UPD ର ପ୍ରଦୀପ କୁମାର ମଲ୍ଲିକ ଙ୍କ ବିଷୟରେ ଡିଜିପି ଉଲ୍ଲେଖ କରିଥିଲେ l ଏହି ଅବସରରେ ଉଭୟଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯାଇ ଏହି ପବିତ୍ର ଦିବସରେ ସାମିଲ କରାଯାଇଥିଲା । ଡିଜିପି ଶ୍ରୀ ଖୁରାନିଆ ଶୋକସନ୍ତପ୍ତ  ଉଭୟଙ୍କ ପରିବାର ବର୍ଗଙ୍କ ସହିତ ଭାବ ବିନିମୟ କରିବା ସହ ସମବେଦନା ଜ୍ଞାପନ କରିଥିଲେ । ଉଭୟଙ୍କ ତ୍ୟାଗ ଏବଂ ବଳିଦାନ ରାଜ୍ୟ ପୋଲିସ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ଡିଜିପି କହିଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ  ଦୟାଲ ଗଙ୍ଗୱାରଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଏହି ପୋଲିସ ଶହୀଦ ଦିବସ ପାଳିତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ୦୨ , ଆରୁଣାଚଳ ପ୍ରଦେଶର ୦୨ , ଆସମର ୦୬ , ବିହାରର ୧୫ , ଛତିଶଗଡର ୧୧, ଝାଡ଼ଖଣ୍ଡ ର ୦୪, କର୍ଣାଟକର ୦୫, କେରଳର ୦୧, ମଧ୍ୟପ୍ରଦେଶର ୨୩, ମହାରାଷ୍ଟ୍ରର ୦୩, ମଣିପୁର ର ୦୬, ମେଘାଳୟର ୦୧, ନଗାଲାଣ୍ଡ ର ୦୪, ଓଡିଶା ର ୦୨, ପଞ୍ଜାବ ର ୦୨, ରାଜସ୍ଥାନର ୨୦,  ତାମିଲନାଡୁର ୦୫, ତେଲେଙ୍ଗାନା ର ୦୧, ତ୍ରିପୁରା ର ୦୩, ଉତ୍ତରପ୍ରଦେଶ ର ୦୨, ଉତ୍ତରାଖଣ୍ଡର ୦୪, ପଶ୍ଚିମବଙ୍ଗର  ୦୯, ଆଣ୍ଡାମାନ ଓ ନିକୋବର ଦ୍ବୀପ ର ୦୧, ଦିଲ୍ଲୀ ର ୦୫, R¹ê I କାଶ୍ମୀର ର ୦୭, ବିଏସଏଫ ର ୧୯, ସିଆଇଏସଏଫ  ର ୦୬, ସିଆରପିଏଫର ୨୩, ଆଇଟିବିପିର ୦୬, ଏସଏସବିର ୦୨, ଏଫଏସ, ସିଡି ଏବଂ ହୋମଗାର୍ଡ ର ୦୨, ଆରପିଏଫର  ୧୪ ଜଣ ଶହୀଦ ହୋଇଛନ୍ତି l

ଆଜିର ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର. ପି. କୋଚେ, ନିର୍ଦ୍ଦେଶକ (ଭିଜିଲାନ୍ସ) ଶ୍ରୀ ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଶ୍ରୀ ଏସ. କେ. ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ  ଏବଂ ଉପକୂଳ ସୁରକ୍ଷା), ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର,  ଟ୍ରାନ୍ସପୋର୍ଟ କମିଶନର ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ  ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଶହୀଦ ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here