ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ୪୬ତମ ସ୍ଥାପନା ଦିବସ ପାଳିତ, ସଂଗଠନର ଶକ୍ତି ଓ ସମର୍ପଣ ଭାବକୁ ସ୍ମରଣ କରି ଭବିଷ୍ୟତପିଢ଼ି ପାଇଁ ନୂତନ ଶକ୍ତି ଓ ଶପଥ ନେବାର ସମୟ- ମନମୋହନ ସାମଲ, ସରକାର ଓ ଦଳର ସମନ୍ୱୟରେ ସଂକଳ୍ପପତ୍ରର ସବୁ ନିର୍ବାଚନୀ ପ୍ରତିଶୁତି ପୁରଣ କରିବ ବିଜେପି ସରକାର- ମୁଖ୍ୟମନ୍ତ୍ରୀ

0
38

By Our Correspondent

BHUBANESWAR: ରାଷ୍ଟ୍ରବାଦୀ ବିଚାରକୁ ଆଧାର କରି ୧୯୮୦ ମସିହାରେ ଗଠନ ହୋଇଥିବା ଭାରତୀୟ ଜନତା ପାର୍ଟି ଆଜି ୪୬ ତମ ପତଷ୍ଠା ଦିବସ ପାଳନ କରୁଛି । ୧୯୮୦ ମସିହାରେ ଦେଶରେ ଯେତେବେଳେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା, ସେତବେବେଳ ଦେଶର ରାଜନୈତିକ ବିକଳ୍ପ ଭାବେ ଭାରତୀୟ ଜନସଂଘର  ନୀତି, ଆଦର୍ଶ, ବିଚାରଧାରା ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତ୍ୟାଗ, ତପସ୍ୟା ଓ ସାଧନାରୁ ଭାରତୀୟ ଜନତା  ପାର୍ଟି ଆରମ୍ଭ ହୋଇଥିଲା ।

ଶ୍ରୀ ଅଟଳବିହାରୀ ବାଜପେୟୀ, ଲାଲକୃଷ୍ଟ ଆଡ୍‌ଭାନୀ ପ୍ରମୁଖଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଦଳ ୧୯୮୪ ମସିହା ସାଧାରଣ ନିର୍ବାଚନରେ ମାତ୍ର୨ ଜଣ ସାଂସଦ ନିର୍ବାଚିତ ହୋଇଥିଲେ । ୪୬ ବର୍ଷର ସଂଘର୍ଷ ଯାତ୍ରା ପରେ ଆଜି ଭାରତୀୟ ଜନତା ପାର୍ଟିର୍ ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି । ୨୧ଟି ରାଜ୍ୟରେ ବିଜେପି ଏବେ ଶାସନ କ୍ଷମତାରେ ରହିଛି । କାଶ୍ମୀରରୁ କନ୍ୟାକୁମାରୀ ଏବଂ ଗୁଜୁରାଟର କଚ୍ଛଠାରୁ ଆରମ୍ଭ କରି ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ଏହି ଦଳ ପରିବ୍ୟାପ୍ତ ହୋଇଛି ବୋଲି  ରାଜ୍ୟ କାର୍ଯ୍ୟାଳୟରେ ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜିର ଦିନଟି ଆମ ପାଇଁ ଗର୍ବର ଦିନ । ଏହି ଦିନ ଆମକୁ ଆମର ମୂଲ୍ୟବୋଧ, ନୀତି, ଦୃଢ଼ ସଂକଳ୍ପକୁ ପୁନଃସ୍ମରଣ କରାଏ ।  ସଂଗଠନର ଶକ୍ତି ଓ ସମର୍ପଣ ଭାବକୁ ସ୍ମରଣ କରି ଭବିଷ୍ୟତପିଢ଼ି ପାଇଁ ନୂତନ ଶକ୍ତି ଓ ଶପଥ ନେବାର ସମୟ । ଏକାଗ୍ର ମନୋବଳ ସହ ଦେଶ ଓ ସମାଜ ଗଢ଼ିବାକୁ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି । ସର୍ବସ୍ପର୍ଶୀ, ସର୍ବବ୍ୟାପୀ, ସର୍ବସମାବେଶୀ ଏବଂ ସଂକଳ୍ପ ମାଧ୍ୟମରେ ଅନ୍ତ୍ୟୋଦୟକୁ ଅଗ୍ରାଧିକାର ଦେଇ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ପ୍ରତିଷ୍ଠିତ କରାଇଥିବା ସମସ୍ତ କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି । ତାଙ୍କ ପୂର୍ବରୁ ଶ୍ରୀ ବାଜପେୟୀ ୧୯୯୬, ୯୮ ଓ ୯୯ରେ ପ୍ରଧାନମନ୍ତ୍ରୀ ଭାବେ ଦେଶକୁ ବିକାଶ କରିବାକୁ ପ୍ରୟାସ କରିଥିଲେ । ତାଙ୍କ ବିକଶିତ କାର୍ଯ୍ୟଧାରାକୁ ଏବେ ମୋଦିଜୀ ଆଗେଇ ନେଇଛନ୍ତି ।  “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ମୁଳମନ୍ତ୍ର କରି ରାଷ୍ଟ୍ରହିତ ପାଇଁ  ସବୁବର୍ଗର ଉନ୍ନତି ପାଇଁ ବିଜେପି କାର୍ଯ୍ୟ କରୁଛି ।  ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ଥରପାଇଁ ବିଜେପି ଏକାକୀ ସରକାର ଗଠନ କରିବାରେ ସକ୍ଷମ ହୋଇଛି । ନିର୍ବାଚନ ସମୟରେ ସଂକଳ୍ପପତ୍ରରେ ଯାହାସବୁ ପ୍ରତିଶ୍ରୁତି ଦିଆଯାଇଥିଲା, ସରକାର ଗଠନର ମାତ୍ର ୧୦ମାସ ଅବଧି ମଧ୍ୟରେ ଅଧିକାଂଶ ପୂରଣ କରିପାରିଛି । ଓଡ଼ିଶାରେ ଥିବା ସମ୍ଭାବନାଗୁଡ଼ିକୁ ପୂରଣ କରି ୨୦୩୬ରେ “ବିକଶିତ ଓଡ଼ିଶା” ଗଠନ କରିବାକୁ ବିଜେପି ଲକ୍ଷ୍ୟ ରଖିଛି । ସମସ୍ତଙ୍କ ଅଖଣ୍ଡ ପରିଶ୍ରମ ବଳରେ ଏବଂ  ସରକାର ଓ ଦଳର ସମନ୍ୱୟରେ ଆମେ ଏହି ଲକ୍ଷ୍ୟ ହାସଲ କରିପାରିବା । ଏଥିପାଇଁ ବ୍ୟକ୍ତିଗତ ସ୍ୱାର୍ଥରୁ ଉପରକୁ ଉଠି ସାମୁହିକ ସ୍ୱାର୍ଥ ହାସଲ ପାଇଁ  କାର୍ଯ୍ୟ କରିବାକୁ ପଡ଼ିବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଏହି ଅବସରରେ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲଜୀଙ୍କ ଅନ୍ତ୍ୟୋଦୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ପହଂଚାଇବାର ବଜ୍ର ଶପଥ ନେଇ ଗଢି ଉଠିଥିଲା ଭାରତୀୟ ଜନତା ପାର୍ଟି । ଲକ୍ଷ୍ୟ ଥିଲା ସମାଜର ତଳସ୍ତରରେ ରହୁଥିବା ଲୋକଙ୍କ ପାଖରେ ବିକାଶ ପହଂଚାଇବା ।

ରାଷ୍ଟ୍ରର ସେବା କରି, ତାର ଅଖଣ୍ଡତାକୁ ବଜାୟ ରଖିବା ସହ ନିରନ୍ତର ଭାବେ ସେବା କରିବା ଫଳରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ ଆଜି ତାର ସଂଗଠନକୁ ସୁଦୃଢ଼ କରିପାରିଛି । ବହୁ ସଂଘର୍ଷ କରି ଆଜି ଆମେ ଏହି ସ୍ଥାନରେ ପହଂଚି ପାରିଛନ୍ତି । ଆଜି ଓଡ଼ିଶାରେ ଡବଲ ଇଞ୍ଜନି ସରକାର କାର୍ଯ୍ୟ କରୁଛି । ଆମର ଲକ୍ଷ୍ୟ ହେଉଛି ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଗଠନ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୨୦୪୭ରେ ବିକିଶିତ ଭାରତ ଗଠନ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ । ସେଥିପାଇଁ ଓଡ଼ିଶା ପ୍ରଦେଶର ବିଜେପି ସରକାର ନିରନ୍ତର ଭାବେ କାର୍ଯ୍ୟ କରିଚାଲିଛି । ଏଥିରେ ଦଳର ପ୍ରତ୍ୟେକ କାର୍ଯ୍ୟକର୍ତାମାନଙ୍କ ସହଯୋଗ ଜରୁରୀ । ଆଜି ବିଜେପି ସରକାର ଚାଷୀ, ଶ୍ରମିକ, ମହିଳା, ଯୁବକ, ଗରିବ, ପଛୁଆବର୍ଗର ଲୋକଙ୍କ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ବହୁ ସଂଘର୍ଷ ପରେ ପଣ୍ଡିତ ଦିନଦୟାଳ ଉପାଧ୍ୟାୟଙ୍କ ବିଚାରଧାରାରେ ଭାରତୀୟ ଜନତା ପାର୍ଟି ଗଠନ କରାଯାଇଥିଲା । ତୁଣମୂଳସ୍ତରରୁ ଜାତୀୟସ୍ତର ପର୍ଯ୍ୟନ୍ତ ଦଳର ସବୁସ୍ତରରେ ଯେପରି ଲୋକତନ୍ତ୍ର, ନିରପେକ୍ଷତା ରହିବ ସେଉପରେ ଗୁରତ୍ୱ ଦିଆଯାଇଥିଲା । ଭାରତୀୟ ଜନତା ପାର୍ଟି ସବୁବେଳେ ସମାଜର ଶେଷ ପାହାଚରେ ରହିଥିବା ବ୍ୟକ୍ତିର ବିକାଶ ପାଇଁ ଗୁରୁତ୍ୱ ଦେଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ଉଦ୍ୟମ ଫଳରେ ଭାରତବର୍ଷ ଆଜି ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଭାବେ ଗଢି ଉଠିବା ପାଇଁ ଅଟଳ ସଂକଳ୍ପବଦ୍ଧ ବୋଲି ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ମାନସ ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜସଭା ସଦସ୍ୟ ଶ୍ରୀ ସୁଜିତ୍ କୁମାର, ସାଂସଦ ଶ୍ରୀ ବଳଭଦ୍ର ମାଝୀ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଦଳୀୟ ପତାକା ଉତୋଳନ କରିବା ସହ ପାର୍ଟିର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ବରିଷ୍ଠ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

 

 

 

 

 

LEAVE A REPLY

Please enter your comment!
Please enter your name here