ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ଦେଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

0
83

By Our Correspondent

BHUBANESWAR: ପୂର୍ବତନ ମନ୍ତ୍ରୀ, ବରିଷ୍ଠ ନେତା ତଥା କଟକ ପୂର୍ବତନ ବିଧାୟକ ଶ୍ରୀ ସମୀର ଦେଙ୍କ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ଦେଙ୍କ ପାର୍ଥୀବ ଶରୀରକୁ ଶେଷ ସମ୍ମାନ ଜଣାଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଥିଲା ।

ସ୍ୱର୍ଗତଃ ଦେ ୧୯୯୫, ୨୦୦୦, ୨୦୦୪ ମସିହାରେ କଟକ ନିର୍ବାଚନମଣ୍ଡଳୀରୁ ଲଗାତର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୦୦ରୁ ୨୦୦୪ ନଗର ଉନ୍ନୟନ ମନ୍ତ୍ରୀ ଓ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିିର୍ବାହ କରିଥିଲେ । କଟକ ମହନଗରକୁ ଆଧୁନିକରଣ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଜଣେ ସ୍ନେହୀ, ପରୋପକାରୀ ଓ ଦରଦୀ ମଣିଷ ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିବା ସହ ଶୋକବ୍ୟକ୍ତ କରିଛନ୍ତି ।

ସ୍ୱର୍ଗତଃ ଦେଙ୍କ ପାର୍ଥୀବ ଶରୀରକୁ ଆଜି କଟକସ୍ଥିତ ବାସଭବନରେ ରାଷ୍ଟ୍ରୀୟ ମାର୍ଯ୍ୟାଦା ସହିତ ସମ୍ମାନ ଜଣାଇବା ପରେ ଭୁବନେଶ୍ୱରକୁ ଅଣାଯାଇଥିଲା । ବିଧାନସଭା ପହଂଚିବା ପରେ ସେଠାରେ ଉପସ୍ଥିତ ବାଚସ୍ପତି, ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟବୃନ୍ଦ, ବିଧାୟକ ଓ ବିଧାୟିକାବୃନ୍ଦଙ୍କ ଅନେକ ବିଶେଷ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ସ୍ୱର୍ଗତଃ ଦେଙ୍କ ପାର୍ଥୀବ ଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା ।

ସେଠାରେ ଉପସ୍ଥିତ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତ୍ରୀ ସଂଚିତା ମହାନ୍ତି, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଂଚି ନାରାୟଣ ତ୍ରିପାଠୀ, ସାଂସଦ ଅନନ୍ତ ନାୟକ, ବିଧାୟକ ବାବୁ ସିଂ, ଇରାସିସ ଅଚାର୍ଯ୍ୟ, ଅମରେନ୍ଦ୍ର ଦାସ, ପ୍ରକାଶ ସେଠୀ, ଛବି ମଲ୍ଲିକ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ, ଡ.ଯତୀନ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, କସ୍ତୁରୀ ମିଶ୍ର, ବରିଷ୍ଠ ନେତା ଅଶୋକ ମିଶ୍ର, ସମୀର ଦାଶ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ମନ୍ଧେକ୍ସ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ଜୟନ୍ତ ଜେନାଙ୍କ ସମେତ ଅନେକ ନେତୃବୃନ୍ଦ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଏହା ପରେ ଶ୍ରୀ ଦେଙ୍କ ପାର୍ଥୀବ ଶରୀରକୁ କଟକ ନିଆଯାଇ ଖାନନଗରସ୍ଥିତ ଶ୍ମଶାନରେ ଶେଷକୃତ୍ୟ କରାଯିବାର ସ୍ଥିରକୃତ ହୋଇଛି । ସ୍ୱର୍ଗତଃ ଦେଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସମେତ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here