ରାଜ୍ୟର କିଛି ବାହାରିଆ ଲୋକ ଓଡ଼ିଶାକୁ ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି, ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟବାସୀ ବିଜେପିକୁ ଭୋଟ୍ ଦେବା ପାଇଁ ନିର୍ଣ୍ଣୟ କରିସାରିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

0
107

By Our Correspondent

DEOGARH:  ବିଜୁ ଜନତା ଦଳର ଶେଷ ସମୟ ଆସିଯାଇଛି । ଏଥର ବିଜେପି ପୂର୍ଣ୍ଣ ବହୁମତରେ ସରକାର କରିବ । ଟଙ୍କା ଦେଇ ଜନମତକୁ ବଦଳାଇଦେବେ ବୋଲି ଯେଉଁମାନେ ଭାବୁଛନ୍ତି, ତାହା ସେମାନଙ୍କ ଦିବା ସ୍ୱପ୍ନ ହୋଇ ରହିଯିବ । ଲୋକମାନେ ଦଳକୁ ମୂଳୋତ୍ପାଟନ କରିଦେବେ । ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟବାସୀ ବିଜେପିକୁ ଭୋଟ୍ ଦେବା ପାଇଁ ନିର୍ଣ୍ଣୟ କରିସାରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୋମବାର କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି । ଦେବଗଡର ବାରକୋଟ, କୁଚିଣ୍ଡାର ବାମରା, ରେଙ୍ଗାଲିର ଚାରପାଲି ଓ କାଇଁସିର ଠାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଏଥର ବାରକୋଟ ସମେତ ବରଗଡ଼ ଅଞ୍ଚଳର ଯୁବକଯୁବତୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ରାଜ୍ୟରେ ମୋଦୀ ସରକାର ଗଠନ କରିବା ପାଇଁ ନିର୍ଣ୍ଣୟ କରିସାରିଛନ୍ତି ।

ଦୀର୍ଘ ୨୫ ବର୍ଷ ଶାସନରେ ଦେବଗଡ଼ ଓ ସମ୍ବଲପୁର ଅବହେଳିତ । ବାରକୋଟ ଅଞ୍ଚଳରେ ଲୋକମାନଙ୍କ ଉଦ୍ୟମରେ ରେଙ୍ଗାଲି ଡ୍ୟାମ୍ ହେବା ପରେ ବି ଜଳସେଚନର ବ୍ୟବସ୍ଥା ହେଲା ନାହିଁ । ରାଜ୍ୟ ସରକାର ମାଗଣା ବିଜୁଳି ଦେବା କଥା କହୁଛନ୍ତି । କିନ୍ତୁ ବାସ୍ତବରେ ଏଠାରେ ବିଜୁଳି କଟୁଛି । ବିଲ୍ ପାଇଁ କମ୍ପାନୀର ଲୋକମାନେ ଅତ୍ୟାଚାର କରୁଛନ୍ତି । ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଦାଦନ ବଡ ସମସ୍ୟା ହୋଇଛି । ରାଜ୍ୟର କିଛି ବାହାରିଆ ଲୋକ ଓଡ଼ିଶାକୁ ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି । ଏହା ବିରୋଧରେ ଲୋକମାନେ ଭୋଟ୍ ଦେଇ ରାଜ୍ୟରେ ଏକ କଲ୍ୟାଣକାରୀ ଓ ନିର୍ଣ୍ଣାୟକ ସରକାର ଗଠନ କରିବେ ।

ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନ ଚଲାଇବା ଅବସ୍ଥାରେ ନାହାନ୍ତି । ଭିଡିଓରେ ରହୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଏଠାରେ ସରକାର ଠିକାରେ ଚାଲିଛି । ଓଡ଼ିଶାର ଶାସନ ଓଡ଼ିଆଙ୍କ ପାଖରେ ରହିବ ।  ଓଡ଼ିଆ ଲୋକ ମୁଖ୍ୟମନ୍ତ୍ରୀ ହେବେ । ବାହାରିଆ ଲୋକ ଓଡ଼ିଶାକୁ ଲୁଟ୍ କରିବା ପାଇଁ, ମାଫିଆରାଜ ଚଲାଇବା ପାଇଁ, ଓଡ଼ିଆ ଲୋକଙ୍କୁ ଦବାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି । ରତ୍ନଭଣ୍ଡାର ଚାବି ତାମିଲନାଡୁ କିଏ ନେଇ ଯାଇଛି ।  ଏହାକୁ ଖୋଜି ବାହାର କରିବା ସହ ଯାଞ୍ଚ ରିପୋର୍ଟ ସାର୍ବଜନୀନ କରିବା ପାଇଁ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି । ଏହାକୁ ଧ୍ୟାନରେ ରଖି ଲୋକମାନେ ପରିବର୍ତ୍ତନ କରିବେ ।

କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୪ ଲକ୍ଷ ପକ୍କା ଘର ଯୋଗାଇ ଦେଇଛନ୍ତି । ଓଡ଼ିଶାର ୫୫ ଲକ୍ଷ ମା’ ମାନଙ୍କ ଘରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ କରାଯାଇଛି ।  ଏହା ହେଉଛି ଓଡ଼ିଶା ପ୍ରତି ମୋଦୀଙ୍କ ପ୍ରତିବଦ୍ଧତା । ଅପରପକ୍ଷରେ ବିଜେଡି ସରକାର ୨୫ ବର୍ଷର ହିସାବ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଉତ୍ତର ଦେବା ଅବସ୍ଥାରେ ନାହାନ୍ତି । ଏଥର ମାଫିଆଙ୍କ ରାଜ ଶେଷ ହେବ ।

ଆଜି ଦେଶରେ ପ୍ରଧାନମନ୍ତ୍ରୀ  ମୋଦୀଙ୍କ ନେତୃତ୍ୱରେ ଏପରି ଏକ ସରକାର ଅଛି, ଯେଉଁ ସରକାର ସର୍ବଦା ଗରିବ, ମହିଳା, ଚାଷୀ, ଯୁବବର୍ଗଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ଏସବୁର ଲାଭ ଓଡ଼ିଶାକୁ ମିଳିବ ।  ବିଜେପି ସରକାର ହେଲେ ସମ୍ବଲପୁରରେ କୃଷି ଉପରେ ପ୍ରୋତ୍ସାହନ ଦିଆଯିବା ସହ ଗବେଷଣା ପାଇଁ ଏକ ପୂର୍ଣ୍ଣାଙ୍ଗ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ । ମାଛ ଚାଷ ସମେତ ସବୁ ଚାଷୀ ଭାଇ ମାନଙ୍କ ବିକାଶକୁ ଅଗ୍ରାଧିକାର ଦିଆଯିବ । ଖାଲିଥିବା ସମସ୍ତ ପଦବୀ ପୂରଣ କରାଯିବ । ଏହି ଅଞ୍ଚଳର ମୌଳିକ ସୁବିଧା ସହ ପର୍ଯ୍ୟଟନକୁ ବିକଶିତ କରାଯିବ ଏବଂ ଅର୍ଥନୀତିକୁ ମଜଭୂତ୍ କରାଯିବ ।

ଏହା ବ୍ୟତିତ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ  ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ପକ୍କା ଘର ଦିଆଯିବା ସହ ଶୌଚାଳୟ ନିର୍ମାଣ ହେବ ।

ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଦିଆଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ଗତକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜେପି ପ୍ରତି ଭୋଟ୍ ହାର ବଢିଥିବା ଜଣାଯାଇଛି । ତେଣୁ ଏତର ପରିବର୍ତ୍ତନ ହେଉଛି ।  ଆସନ୍ତା ୨୫ ତାରିଖରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଦୁଇ ଥର ପଦ୍ମଫୁଲରେ ଭୋଟ ଦେବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

ପ୍ରଚାର କାଳରେ ଶ୍ରୀ ପ୍ରଧାନ ଚିପିଲିମା ଠାରେ କାର୍ଯ୍ୟକର୍ତ୍ତାଙ୍କ ସହ ସୁକାନ୍ତ ନାୟକଙ୍କ ଦୋକାନରୁ ଚା’ ପିଇବା ସହ ଉପସ୍ଥିତ ଲୋକଙ୍କ ଆଶୀର୍ବାଦ ଓ ସହଯୋଗ କାମନା କଲି ।

 

 

LEAVE A REPLY

Please enter your comment!
Please enter your name here