By Our Correspondent
PURI/BHUBANESWAR: ଆଜି ରଥ ନିର୍ମାଣର ୩୫ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ଉପସ୍ଥାନ ପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଗତକାଲି ତିନିରଥ ର ଚକ..ଅଖ ଥାକ ସହ ଦିଗ ନିର୍ଣ୍ଣୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହ ରଥ ଖଳାରେ ରଥର ବିଭିନ୍ନ ଅଂଶ ନିର୍ମାଣ ଜାରୀରହିଥିଲା.ତିନି ରଥର ଚକ ଥାକ ସହ ଦିଗ ନିର୍ଣ୍ଣୟ ପରେ ତିନିରଥ ଅଖ ଉପରକୁ ଉଠିଲା ଦଣ୍ଡା ପ୍ରେଂମ.
ଆଜି ପୂର୍ବାହ୍ନରେ ତିନିରଥ ର ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ସହଯୋଗୀ ମହାରଣା ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକ ମାନଙ୍କ ସହଯୋଗରେ ତିନିରଥ ର ଚକ ଥାକ ସହ ଦିଗ ନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇ ତିନିରଥ ଅଖ ଉପରକୁ ଦଣ୍ଡା ପ୍ରେଂମ ଉଠିବା କାର୍ଯ୍ୟ ସମ୍ପନ୍ନ ହୋଇଛି।
ରଥ ଯାତ୍ରା ପୂର୍ବ ଦିନ ତିନି ରଥ ଗୁଡ଼ିକ ବିନା ବାଧାରେ ଯେପରି ନିଜ ନିଜ ସ୍ଥାନରେ ସିଂହଦ୍ଵାର ଠାରେ ପହଞ୍ଚି ପାରିବ ସେ ଦୃଷ୍ଟିରୁ ଦିଗ ନିର୍ଣ୍ଣୟ କରାଯାଇ ଚକ..ଅଖ ଗୁଡ଼ିକୁ ସେଟିଂ କରାଯାଇଛି।
ଏଥିସହ ରଥ ନିର୍ମାଣ ସମୟରେ ଚକ ଗୁଡ଼ିକ ନିଜ ସ୍ଥାନରୁ ନଗଡିବା ପାଇଁ ପ୍ରତ୍ୟେକ ଚକର ଉଭୟ ପାର୍ଶ୍ଵରେ ଆମ୍ବ ଗଡ ବାନ୍ଧ ଦିଆଯିବା ସହ ରଥ ଉପର ନିର୍ମାଣ କାର୍ଯ୍ୟ ଗଢି ଉଠିଲେ ଅଖ ଉପରେ ଅଧିକ ଚାପ ପଡିବା ପାଇଁ ଅଖ ତଳେ ଆମ୍ବ ଗଡ ବା ମେଣ୍ଢି ଖମ୍ବ ଲଗାଯାଇଛି।
ଆସନ୍ତାକାଲି ତିନିରଥ ଦଣ୍ଡା ଗୋଳେଇ କାର୍ଯ୍ୟ (ଦଣ୍ଡା ଗୁଡ଼ିକରେ ଅର୍ଦ୍ଧ ଚନ୍ଦ୍ରାକାର ଖୋଦେଇ ବା କାପ କାର୍ଯ୍ୟ) ତିନିରଥ ଦଂଡାକୁ ଅଖ ସହ ସେଟିଂ କରାଯାଇ ପାଞ୍ଚ ଦଣ୍ଡା ଆଗ,ପଛ ରେ ମୁହାଁଟ ସଂଯୋଗ ହୋଇ ଆଗ ମୁହାଁଟ ରେ ସାଲ ଗୁଜ ଏବଂ ପଛ ମୁହାଁଟ ରେ ଜଳଯନ୍ତ୍ର ଏବଂ ଦୁଇଟି ସାଲ ଗୁଜ ଉଠି ଗୁଜ ଉପରେ ନିରାଡି ପଡ଼ି କୁଡୁକା ସଂଯୋଗ ହୋଇ କଣ୍ଟା ବାଡିଆ କାର୍ଯ୍ୟ ପାଇଁ କତା ଦଉଡିରେ ଟାଣ ଦେଇ ବାନ୍ଧେଣି ପକାଯିବ।
ଏଥିସହ ଆଜି ତିନି ରଥର ପୋଲ ଗୟଳ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି, ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥ ର ୧୨ ଗୋଟି ଲେଖାଏଁ ଗୟଳ ରୁ ୭ ଗୋଟି ଲେଖାଏଁ ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇ ଥିବା ବେଳେ ଦର୍ପଦଳନ ରଥର ମୋଟ ୮ଗୋଟି ଗୟଳ ରୁ ୫ ଗୋଟି ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇଛି.
ରୂପକାର ସେବକ ମାନେ ତିନିରଥ ର ବେଦୀ ସିଂହାସନ ମୁହାଁଟ ରେ ଚିତ୍ର ଖୋଦେଇ ର ପଲିସ କାର୍ଯ୍ୟ ସହ ତିନିରଥ ନାଟ ଗୋଡ଼ରେ ରାହୁ ରୂପ ବା ଗନ୍ଧର୍ବ ରୂପ ଖୋଦେଇ ଜାରୀ ରଖିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ଦଣ୍ଡା କଣ୍ଟା ଶେଷ କରି ନଦା କଣ୍ଟା ନିର୍ମାଣ କରୁଛନ୍ତି। ଦୋଳବେଦୀ ଠାରେ ପାହି ମହାରଣାମାନେ ଅଣସର ଏବଂ ରଥ ଯାତ୍ରା ରେ ସେବାପୂଜା କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୭
ତିନିରଥ ର ଭୋଇ ସେବକ – ୭୭
ତିନିରଥ ର କରତୀ ସେବକ – ୪
ତିନିରଥ ର ଓଝା ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୩
ରଥଖଳା ସହାୟକ(ପାଣି ବାଲା)- ୧
ମୋଟ – ୨୦୫ ଜଣ




























