By Our Correspondent
PURI/BHUBANESWAR: ଆଜି ରଥ ନିର୍ମାଣର ୨୭ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।
ଗତକାଲି ସୁଦ୍ଧା ତିନିରଥ ୩୯ ଗୋଟି ଚକ ନିର୍ମାଣ ଶେଷ ହୋଇ ବାକି ୩ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା, ଆଜି ତିନିରଥ ମହାରଣା ସେବକ ମାନେ ଗୋଟିଏ ଗୋଟିଏ ଚକ ନିର୍ମାଣ ଶେଷ କଲାପରେ ତିନିରଥ ର ମୋଟ ୪୨ ଗୋଟି ଚକ ନିର୍ମାଣ ଶେଷ ହୋଇଛି।
ତିନିରଥ ର ଚାରି ନାହାକା, ଗରଗରା ଏବଂ ପୋଲ ଗୟଳ ନିର୍ମାଣ କାର୍ଯ୍ୟ ଆରମ୍ଭ. ଆଜି ତିନିରଥ ଚାଳି ରେ ଆରମ୍ଭ ହୋଇଛି *ଚାରି ନାହାକା* ଏବଂ *ଗରଗରା* ର ନିର୍ମାଣ କାର୍ଯ୍ୟ ଏଥିସହ ତାଳଧ୍ଵଜ ରଥର *ପୋଲ ଗୟଳ* ଚିରଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କରତୀ ସେବକ ମାନେ। ଏଥିସହ ଆରମ୍ଭ ହୋଇଛି ତିନି ରଥର *ଅଖ* ନିର୍ମାଣ କାର୍ଯ୍ୟ।
ଗତକାଲି ର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ରଥ ଅମୀନ ଶ୍ରୀ ଲକ୍ଷ୍ମଣ ମହାପାତ୍ର , ଭୋଇ ସର୍ଦ୍ଦାର ରବି ଭୋଇ ଏବଂ କାର୍ତ୍ତିକ ଭୋଇ ଙ୍କ ମିଳିତ ଭାବେ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ଗରଗରା,ଚାରି ନାହାକା, ପୋଲା ଗୟଳ ଏବଂ ଅଖ ନିର୍ମାଣ ପାଇଁ କେଉଁ କାଠ ଉପଯୋଗୀ ତାହା ଚିହ୍ନଟ ପରେ ତିନି ରଥର ଭୋଇ ସେବକଙ୍କ ସହାୟତାରେ ଆଜି ପୂର୍ବାହ୍ନରେ ତିନି ରଥ ଚାଳି କୁ ଗରଗରା ନିର୍ମାଣ ପାଇଁ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ, ଚାରି ନାହାକା ପାଇଁ ପ୍ରଥମ ଦଫାରେ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଏବଂ ପୋଲ ଗୟଳ ନିର୍ମାଣ ପାଇଁ ଏକଟି ୪୦ ଫୁଟିଆ ଧଉରା କାଠ ଯୋଗାଇବାପରେ ତିନିରଥ ର ମହାରଣା ମାନେ ଗରଗରା,ଚାରି ନାହାକା ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଏଥିସହ ତିନି ରଥର ଗତକାଲି ବ୍ରେକ ଅଖ ର ନିର୍ମାଣ ଶେଷ ପରେ ଆଜି ତିନି ରଥର ଦୁଇଟି ଲେଖାଏଁ ପଡ଼ି ନାହାକା ଅଖ ର ଉଭୟ ପାର୍ଶ୍ବ ଚଉପଟ ପରେ ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି।
ଆଜି କରତୀ ସେବକ ମାନେ ବାହାର ରଥ ଖଳା ଠାରେ ତାଳଧ୍ଵଜ ରଥର ପୋଲ ଗୟଳ ନିର୍ମାଣ ପାଇଁ ୪୦ ଫୁଟିଆ ଧାଉରା କାଠର ଉଭୟ ପାର୍ଶ୍ଵ କୁ ହାଣି ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି ଚିତ କାର୍ଯ୍ୟ ପରେ ପୋଲା ଗୟଳ ର ଚିରଟ କାର୍ଯ୍ୟ ହେବ।
ରୂପକାର- ରୂପକାର ସେବକ ମାନେ ତିନି ରଥର ୧୧ ଟି ଲେଖାଏଁ ସାଲ ଗୁଜ ମଧ୍ୟରୁ ୧୦ଟି ଲେଖାଏଁ ଗୁଜ ରେ ରୂପ ଅଙ୍କନ ସହ ପୋଲିସ କାର୍ଯ୍ୟ ଶେଷ କରି ରୂପ ଗୁଡ଼ିକର ଅଳଙ୍କାର ପକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି, ତିନି ରଥର ଗୋଟିଏ ଗୋଟିଏ ଗୁଜର ରୂପ ଖୋଦେଇ ଜାରୀ ରହିଛି।
କମାର ଶାଳ- ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ପାହି ମହାରଣା- ଦୋଳବେଦୀ ଠାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ରଥ ଯାତ୍ରା ରେ ଆବଶ୍ୟକ କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ମହାରଣା ସେବକ – ୭୮
ତିନିରଥ ର ଭୋଇ ସେବକ – ୭୬
ତିନିରଥ କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୩
ରଥଖଳା ସହାୟକ (ପାଣି ବାଲା) ୧
ମୋଟ – ୨୦୫ ଜଣ



























