ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଆହ୍ଵାନ କ୍ରମେ, ଥାନାରେ କାର୍ଯ୍ୟରତ କର୍ମଚାରୀ ଏବଂ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଉପରେ ଗୁରୁତ୍ଵାରୋପ କରାଯିବ, ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ

0
107

By Our Correspondent

CUTTACK:ଆଜି ଅପରାହ୍ନରେ ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ, ଆଇ.ପି.ଏସ  କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡିଜିପି ଶ୍ରୀ ଖୁରାନିଆ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀଗଣ  ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ପରେ ତାଙ୍କୁ “ଗାର୍ଡ ଅଫ୍ ଅନର” ପ୍ରଦାନ କରାଯାଇଥିଲା । ପରେ ଡିଜିପି ଶ୍ରୀ ଖୁରାନିଆ ଶହିଦ ସ୍ମୃତି  ସ୍ତମ୍ଭ ଠାରେ ମାଲ୍ୟାର୍ପଣ  କରି ଶହିଦଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ।

ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡିଜିପି ଶ୍ରୀ ଖୁରାନିଆ କହିଥିଲେ ଯେ,  ଓଡିଶା ପୋଲିସର ସ୍ଵତନ୍ତ୍ର ଗରିମା ଏବଂ ଗୌରବ ରହିଛି  । ପୋଲିସର ମୁଖିଆ ଭାବେ ଦାୟିତ୍ଵ ଗ୍ରହଣ କରି ନିଜକୁ  ଗୌରବାନ୍ଵିତ ମନେ କରିବା ସହ ରାଜ୍ୟବାସୀଙ୍କୁ ଉନ୍ନତ ମାନର ପୋଲିସ ସେବା ଯୋଗାଇବା ସବୁଠୁ ବଡ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଆହ୍ଵାନ କ୍ରମେ, ଥାନାରେ କାର୍ଯ୍ୟରତ କର୍ମଚାରୀ ଏବଂ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଉପରେ ସେ ଗୁରୁତ୍ଵାରୋପ କରାଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଥିଲେ ।

ବିଗତ ଦିନରେ ଓଡିଶା ପୋଲିସ ମାଓବାଦୀ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି କହିବା ସହ ଲଢେଇରେ ଶହୀଦ ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା, ଅପରାଧ ଦମନ, ଅପରାଧ ନିରାକରଣ ଉପରେ  ଗୁରୁତ୍ଵ ଦିଆଯିବ । ସମାଜର ଦୁର୍ବଳ ବର୍ଗ, ଶିଶୁ ଓ ମହିଳା ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଅପରାଧ ଉପରେ ସ୍ଵତନ୍ତ୍ର ଧ୍ୟାନ ଦେବେ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଥିଲେ । ସାଂପ୍ରତିକ ପରିସ୍ଥିତିରେ ବଢି ଚାଲିଥିବା ସାଇବର ଅପରାଧକୁ ସଫଳତାର ସହ ମୁକାବିଲା କରିବା ପାଇଁ ସ୍ଵତନ୍ତ୍ର ପଦକ୍ଷପ ନିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଥିଲେ । ଆଗାମୀ ଦିନରେ ମାଦକ ଦ୍ରବ୍ଯର ପ୍ରସାର ଏବଂ ଅପରାଧ ଉପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ସେ କହିଥିଲେ । ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ  ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବା ବୋଲି ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ।

ସୂଚନାଯୋଗ୍ୟ ଯେ ୧୯୯୦ ବ୍ୟାଚର ଆଇ.ପି.ଏସ୍ ଅଧିକାରୀ ଶ୍ରୀ ଖୁରାନିଆ   ହରିୟାନା ରାଜ୍ୟର ମୂଳବାସିନ୍ଦା ଅଟନ୍ତି . ତାଙ୍କ ଚାକିରି କାଳ ମଧ୍ୟରେ ସେ ସୋନପୁର, ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲାର   ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ପରେ ସେ ଡିଆଇଜି ଭାବେ ଦକ୍ଷିଣାଞ୍ଚଳ ରେଞ୍ଜ (ବ୍ରହ୍ମପୁର) ରେ କାର୍ଯ୍ୟ କରିଥିଲେ । ଏହାସହ  ସେ ଅତିରିକ୍ତ ପୋଲିସ କମିଶନର ଭାବେ କଟକ-ଭୁବନେଶ୍ବର କମିଶନରେଟ ଦାୟିତ୍ଵ ନେଇଥିଲେ । ଏହାପରେ ସେ ଡିଆଇଜି ଭାବେ  ଉତ୍ତରାଞ୍ଚଳ (ସମ୍ବଲପୁର) ରେ କାର୍ଯ୍ୟ କରିଥିଲେ ।

ସେହିପରି ଆଇ.ଜି.ପି (ଉତ୍ତରାଞ୍ଚଳ, ସମ୍ବଲପୁର), ଆଇ.ଜି.ପି (ଏସଏପି), ଆଇ.ଜି.ପି (ଅପରେସନ), ବିପିଏସପିଏ  ରେ ଆଇ.ଜି.ପି (ଟ୍ରେନିଂ), ଆଇ.ଜି.ପି (କ୍ରାଇମବ୍ରାଞ୍ଚ),  ଆଇ.ଜି.ପି (ଭିଜିଲାନ୍ସ) ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ), କଟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ପ୍ରୋଭିଜନିଙ୍ଗ) ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ ।  ସେ ମଧ୍ୟ ପୋଲିସ କମିଶନର (ଭୁବନେଶ୍ବର-କଟକ) ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ପରେ ସେ କେନ୍ଦ୍ରକୁ ଡେପୁଟେସନରେ ଯାଇ ବିଏସଏଫର ବିଭିନ୍ନ ଉଚ୍ଚ ପଦପଦବୀରେ  ଅବସ୍ଥାପିତ ଥିଲେ । ପରେ ୨୦୨୩ ମସିହା ଜୁନ ମାସରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇ ନୂଆଦିଲ୍ଲୀ ସ୍ଥିତ ବିଏସଫ ମୁଖ୍ୟାଳୟଠାରେ  ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ ।

ଡିଜିପି ଶ୍ରୀ ଖୁରାନିଆଙ୍କ ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟ ପୋଲିସ ବିଭାଗର  ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ମୁଖ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ .

 

LEAVE A REPLY

Please enter your comment!
Please enter your name here