ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି, ଦିନ ୧୧ଟା ରୁ ୫ଟା ଏବଂ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଶକ୍ତି ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି

0
262

By Our Correspondent

BHUBANESWAR:    ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି।

ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା SOP ଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଆବଶ୍ୟକସ୍ଥଳେ SOP ବାହାରେ ମଧ୍ୟ କାମ କରିବା ପାଇଁ  ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ରଖି ସମସ୍ତେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେବା ସହ ଅଂଶୁଘାତରୁ ରକ୍ଷା ପାଇବା ପାଇଁ  ଟିଭି, ରେଡିଓ, ଖବରକାଗଜ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି।

ସେହିପରି ସ୍କୁଲ ଗୁଡିକୁ ଯଥାଶୀଘ୍ର ସକାଳୁଆ କରିବା ପାଇଁ ତୁରନ୍ତ sop ଜାରି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ସମୟ ପରିବର୍ତ୍ତନ କରି ସକାଳ ୭ଟା ରୁ ୯ଟା ମଧ୍ୟରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହାବ୍ୟତୀତ କୌଣସି ଜାଗାରେ ଯେପରି ପାଣି ପାଇଁ ଅସୁବିଧା ନ ହୁଏ, ତାହାକୁ ଦୃଷ୍ଟିରେ ରଖି ସପ୍ତାହକ ମଧ୍ୟରେ ନଳକୂପ ସ୍ଥାପନ ଓ ମରାମତି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ସେହିପରି ଖରା ଦିନେ ବିଦ୍ୟୁତ କାଟ୍‌ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ରୁ ୫ଟା  ଏବଂ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍‌ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଶକ୍ତି ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅଘୋଷିତ ବିଦ୍ୟୁତ କାଟ୍‌ ଯେପରି ନ ହୁଏ,  ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ସେ କହିଥିଲେ।

 

 

LEAVE A REPLY

Please enter your comment!
Please enter your name here