ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପିଲାଦିନର ସ୍ମୃତିକୁ ମନେ ପକାଇବା ସହ ଭାବବିହ୍ୱଳ ମଧ୍ୟ ହୋଇଥିଲେ

0
80

By Our Correspondent

KEONJHAR/BHUBANESWAR:   ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପିଲାଦିନର ସ୍ମୃତିକୁ ମନେ ପକାଇବା ସହ ଭାବବିହ୍ୱଳ ମଧ୍ୟ ହୋଇଥିଲେ।

ରାଇକଳାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଏଇ ଗାଁ ମାଟିର ପୁଅ। ଏଇ ଗାଁର ପିଲାମାନଙ୍କ ସହିତ ସେ ଖେଳିଛନ୍ତି, ବୁଲିଛନ୍ତି, ପର୍ବପର୍ବାଣୀ ପାଳନ କରିଛନ୍ତି। ଏଇ ଗାଁ ମାଟିର ପିଲାମାନଙ୍କ ସହଯୋଗରେ ସେ ଆଜି ସାରା ଓଡିଶାର ନେତୃତ୍ୱ ନେବାକୁ ସୁଯୋଗ ପାଇଛନ୍ତି। ତେଣୁ ଏବେ ସମୟ ଆସିଛି ସମସ୍ତେ ମିଶି ଗାଁର ବିକାଶ ପାଇଁ କାମ କରିବା।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ରାଇକଳାରୁ ଏକ ରୋଡ୍ ସୋ ରେ ଯାଇ ଝୁମ୍ପୁରାଠାରେ ପହଞ୍ଚିଥିଲେ। ହେଲିପ୍ୟାଡଠାରେ ଅପେକ୍ଷା କରିଥିବା ଜଣେ ଦିବ୍ୟାଙ୍ଗଙ୍କ ପାଖକୁ ଯାଇ ତାଙ୍କଠାରୁ ଫୁଲ ତୋଡା ଗ୍ରହଣ କରି ହାତ ମିଶାଇଥିଲେ। ତାଙ୍କ ସମସ୍ୟା ଶୁଣିଥିଲେ।

ଶ୍ରୀ ମାଝୀ ନିଜେ ପଢୁଥିବା ବିଦ୍ୟାଳୟକୁ ଯାଇଥିଲେ। ସହପାଠୀମାନଙ୍କ ସହିତ ମିଶିଥିଲେ ଓ ଫଟୋ ଉଠାଇଥିଲେ। ଝୁମ୍ପୁରା ଠାରେ ସମ୍ବର୍ଦ୍ଧନା ସଭାରେ ନିଜର ଅଭିଭାଷଣ ରଖି ସେ କହିଲେ ଯେ  ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ଶତବାର୍ଷିକୀ ପାଳନ ବେଳକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ବିକଶିତ ରାଷ୍ଟ୍ର ହୋଇସାରିଥିବ, ଭାରତ ସହିତ ତାଳ ଦେଇ ଓଡିଶା ମଧ୍ୟ ବିକଶିତ ରାଜ୍ୟରେ ପରିଣତ ହେବ। ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ

 

LEAVE A REPLY

Please enter your comment!
Please enter your name here