ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ କେନ୍ଦ୍ର କୋଇଲା ସଚିବ, ତାଳଚେର ମେଡିକାଲ କଲେଜକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ତଥା ରାଜ୍ୟରେ କ୍ରୀଡା, ପର୍ଯ୍ୟଟନ ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ପାଇଁ CSR ପାଣ୍ଠିରୁ ଅଧିକ ଅର୍ଥ ବିନିଯୋଗ କରିବ ଏମ.ସି.ଏଲ୍

0
82

By Our Correspondent

BHUBANESWAR:   ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଜି ଲୋକସେବା ଭବନରେ କେନ୍ଦ୍ର କୋଇଲା ବିଭାଗ ସଚିବ ଶ୍ରୀ ଅମ୍ରିତ ଲାଲ ମୀନା ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ମୀନାଙ୍କ ସହିତ କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ପି.ଏମ୍‌ ପ୍ରସାଦ ଏବଂ ନେଭେଲି ଲିଗ୍‌ନାଇଟ କର୍ପୋରେସନ ଓ ମହାନଦୀ କୋଲଫିଲ୍‌ଡସ ଲିମିଟେଡର ଅଧ୍ୟକ୍ଷ   ମଧ୍ୟ ଉପସ୍ଥିତ ଥିଲେ ।

ଆଲୋଚନାରେ ଶ୍ରୀ ମୀନା କହିଥିଲେ ଯେ ଦେଶର ସମୁଦାୟ କୋଇଲା ଉତ୍ପାଦନରୁ ୨୦ ପ୍ରତିଶତ କୋଇଲା କେବଳ ଓଡିଶାରୁ ଉତ୍ପାଦିତ ହେଉଛି।  ତେଣୁ ଓଡିଶାର ବିକାଶରେ କୋଇଲା ମନ୍ତ୍ରଣାଳୟର ପ୍ରତିବଦ୍ଧତା ରହିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଏ ଦିଗରେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ବୈଠକରେ କୋଇଲା ସଚିବ ଶ୍ରୀ ମୀନା ଓଡିଶାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଓ ନୂତନ ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲେ।  ବିଶେଷକରି ନୂତନ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ପ୍ରଦୁଷଣ ଯଥାସମ୍ଭବ କମ୍‌ କରିବା ପାଇଁ  ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଥିଲେ।

ବ୍ୟବହୃତ ଖଣିର ବ୍ୟାକ ଫିଲିଙ୍ଗ ଓ ପୁନରୁଦ୍ଧାର  ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା ।ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ  ଏମ୍‌.ସି.ଏଲ  ଓ ଅନ୍ୟାନ୍ୟ କେନ୍ଦ୍ରୀୟ କୋଇଲା PSUରେ ସ୍ଥାନୀୟ ଯୁବକଯୁବତୀ ମାନଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଆରୋପ କରିଥିଲେ ।

ତାଳଚେର ମେଡିକାଲ କଲେଜକୁ MCL ସହଯୋଗରେ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ଏହାସହିତ CSR ପାଣ୍ଠିରେ ସ୍ଥାନୀୟ ଅଞ୍ଚଳର ବିକାଶ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ରାଜ୍ୟରେ କ୍ରୀଡା ଭିତ୍ତିଭୂମି, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶ ପାଇଁ ଏମ.ସି.ଏଲ ପାଣ୍ଠି ଯୋଗାଇ ଦେବ ବୋଲି ଜଣାଯାଇଛି।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ରାଜସ୍ବ ଓ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଡି.କେ. ସିଂହ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here