ମହିଳା ବିରୋଧୀ ହିଂସା ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ ପାଇଁ ବିଜେପି ସରକାର ବଦ୍ଧପରିକର, ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ “ଯାଦୁଆ ବିକୁଛି ଯାଦୁ ମଲମ” ଓ “ମଦୁଆ କରୁଛି ନିଶା ନିବାରଣ”କୁ ମନେ ପକାଇଦେଉଛି

0
31

By Our Correspondent

BHUBANESWAR : ମହିଳା ବିରୋଧୀ ହିଂସାକୁ ବିଜେପି ସରକାର ବରଦାସ୍ତ କରିବ ନାହିଁ । ଭରତପୁର ଥାନା ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଘଟଣାରେ ସମ୍ପୃକ୍ତ ୫ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଲମ୍ବନ କରାଯିବା ସହିତ ନିରପେକ୍ଷତା, ସ୍ୱଚ୍ଛତା ପାଇଁ ତଦନ୍ତଭାର କ୍ରାଇମ୍‌ବ୍ରାଂଚ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ଘଟଣା ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସରକାରଙ୍କ ଆଭିମୁଖ୍ୟ ଉପରେ ସ୍ପଷ୍ଟୀକରଣ ଦେବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ନିଜେ ଡାକ୍ତରଖାନା ଯାଇ ପୀଡ଼ିତାଙ୍କୁ ଭେଟି ଆଶ୍ୱାସନା ଦେବା ସହିତ ସ୍ଥିତି ସଂପର୍କରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଘଟଣାରେ ବିଜେପି ସରକାର “ଶୂନ୍ୟ ସହନଶୀଳତା ନୀତି” ଅବଲମ୍ବନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବଦ୍ଧପରିକର ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବିଜେଡି ସରକାର ସମୟରେ ଗଣ ବଳାତ୍କାର, ଦୁଷ୍କର୍ମ, ବ୍ୟଭୀଚାର ଭଳି ଅନେକ ମହିଳା ବିରୋଧୀ ହିଂସାକାଣ୍ଡ ଘଟିଯାଇଛି । କିନ୍ତୁ ସମ୍ବେଦନହୀନ ବିଜେଡି ସରକାର ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସମେତ କୌଣସି ମନ୍ତ୍ରୀ, ବିଧାୟକ କିମ୍ବା ସାଂସଦ ପୀଡିତାଙ୍କୁ ଭେଟୁନଥିଲେ । ମାତ୍ର ଏବେ ଏହି ଘଟଣାକୁ ନେଇ ହୀନ ରାଜନୀତି କରିବାକୁ ଉଭୟ ବିଜେଡି ଏବଂ କଂଗ୍ରେସ ଦଳ ଉଦ୍ୟମ କରୁଛି । ବିଜେଡି ସରକାରଙ୍କ ଗତ ୨୪ ବର୍ଷର ଶାସନ ସମୟରେ ମହିଳା ବିରୋଧି ହିଂସା ଚରମସୀମାରେ ପହଂଚିଥିଲା । ସେହି ବିଜୁ ଜନତା ଦଳ ଆଜି ମହିଳା ବିରୋଧି ହିଂସା ସର୍ମ୍ପକରେ ମନ୍ତବ୍ୟ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ କବି ରବି ସିଂଙ୍କ କବିତା “ଯାଦୁଆ ବିକୁଛି ଯାଦୁ ମଲମ” ଓ “ମଦୁଆ କରୁଛି ନିଶା ନିବାରଣ”କୁ ମନେ ପକାଇଦେଉଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଏହି ଅବସରରେ ଅନ୍ୟତମ ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ଯେ, ଭରତପୁର ଥାନା ଘଟଣାରେ ଦୋଷୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କହିବା ପରେ ରାଜନୀତି କରିବା ଉଚିତ୍ ନୁହେଁ । ଏହି ଘଟଣାକୁ ନେଇ ହୀନ ରାଜନୀତି କରୁଥିବା ବିଜେଡି ଓ କଂଗ୍ରେସ ଦଳ ପ୍ରଥମେ ନିଜକୁ ଆଇନାରେ ଦେଖନ୍ତୁ ।

ଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ଶାସନରେ ଥିଲେ । ସେତେବେଳେ ପୋଲିସଠାରୁ ଆରମ୍ଭ କରି ପୁରା ଶାସନ କଳ ତାଙ୍କ ହାତରେ ଥିଲା । ପରୀ, ମମିତା, ପିହୁ, ସ୍ମିତାରାଣୀ, ବେବିନା, ମାଧବିଲତା, କୁନ୍ଦୁଲି ପୀଡିତାର ପରିବାରକୁ ନ୍ୟାୟ ମିଳିଲା ନାହିଁ । ଅପରାଧକୁ ପ୍ରୋତ୍ସାହନ ଏବଂ ଅପରାଧୀକୁ ସୁରକ୍ଷା ଦେବାରେ ନବୀନ ବାବୁ ତତ୍ପରତା ଦେଖାଉଥିଲେ । ସେହି ସମୟରେ ନବୀନ ବାବୁ ସକ୍ରିୟ ଭାବ ପ୍ରଦର୍ଶନ କରିଥିଲେ, ଆଜି ଏଭଳି ପରିସ୍ଥିତି ଘଟିନଥାନ୍ତା । ବିଜେଡି ମୁଖିଆ ନବୀନ ବାବୁଙ୍କ ବକ୍ତବ୍ୟ ସଇତାନର ବେଦପାଠ ସଦୃଶ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ନବୀନ  ପଟ୍ଟନାୟକ ଓ ତାଙ୍କ ବାପା ୩୫ ବର୍ଷ ଏବଂ କଂଗ୍ରେସ ପରିବାର ୧୫ ବର୍ଷ ଧରି ଓଡ଼ିଶାରେ ଶାସନ କଲେ । ମାତ୍ର ଏହି ୫୦ ବର୍ଷ ମଧ୍ୟରେ ଓଡ଼ିଶାକୁ ସେମାନେ ଲୁଣ୍ଠନ କରି ଚାଲିଥିଲେ । ଏବେ ମାତ୍ର ୧୦୦ ଦିନର ସରକାରକୁ ନେଇ ଟିପ୍ପଣୀ କରୁଥିବା ବିରୋଧି ଦଳଗୁଡ଼ିକ ହୀନମାନସିକତାର ପରିଚୟ ଦେଉଛନ୍ତି ଏବଂ ବିଜେପି ସରକାରକୁ ସହି ନ ପାରି ଏଭଳି ଆନ୍ଦୋଳନ କରୁଛନ୍ତି । ଏହି ଘଟଣାରେ ରାଜନୀତି ନ କରି ଧର୍ଯ୍ୟ ଧରନ୍ତୁ, ପୀଡ଼ିତାଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here