ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଉତ୍କର୍ଷତାର ଶିଖରରେ ପହଞ୍ଚାଇବା, ଓଡ଼ିଶାକୁ ବିକଶିତ କରିବା ପାଇଁ ସମସ୍ତ ଯୁବଶକ୍ତିଙ୍କ ମଧ୍ୟରେ ଥିବା ଇଚ୍ଛାଶକ୍ତି ଓ ଏକାଗ୍ରତା ପ୍ରଶଂସନୀୟ, ଓଡ଼ିଆ ଯୁବପିଢିମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର କୁଶଳ ବିନ୍ଧାଣୀ

0
32

By Our Correspondent

BHUBANESWAR:   ଓଡ଼ିଆ ପିଲାମାନେ ଚାହିଁଲେ ସବୁ ସମ୍ଭବ । ଓଡିଆ ଲୋକଙ୍କୁ ଯେବେ ଯେବେ ସୁଯୋଗ ମିଳିଛି ସେବେ ସେ ନିଜର ଦକ୍ଷତା ଓ ପରାକାଷ୍ଠାର ପ୍ରମାଣ ଦେଖାଇଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ-୨୦୨୫ରେ ଅଂଶଗ୍ରହଣ କରିଥିବା ଓଡ଼ିଆ ଯୁବକଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ‘ମକର ସଂକ୍ରାନ୍ତି’ର ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ “ବିକଶିତ ଭାରତ ଯୁବ ନେତୃତ୍ୱ ସାକ୍ଷାତକାର୍ -୨୦୨୫”ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଓଡ଼ିଶାର ଯେଉଁମାନେ ଅଂଶଗ୍ରହଣ କରିଥିଲେ, ସେହି ସଫଳ ଯୁବବନ୍ଧୁମାନଙ୍କ ସହ ଆଜିର ଆଲୋଚନା ଉତ୍ସାହଜନକ । ଓଡ଼ିଶାକୁ ବିକଶିତ କରିବା ପାଇଁ ସମସ୍ତ ଯୁବଶକ୍ତିଙ୍କ ମଧ୍ୟରେ ଥିବା ଇଚ୍ଛାଶକ୍ତି ଓ ଏକାଗ୍ରତା ପ୍ରଶଂସନୀୟ । ଓଡ଼ିଆ ଯୁବପିଢିମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର କୁଶଳ ବିନ୍ଧାଣୀ । ସବୁ ଯୁବବର୍ଗଙ୍କ ମଧ୍ୟରେ କୌଣସି ନା କୌଣସି ପ୍ରତିଭା ଲୁଚି ରହିଛି । ଏହି ପ୍ରତିଭାକୁ ଅନ୍ୱେଷଣ କରିପାରିଲେ ହିଁ ଆମର ଅନେକ ଲକ୍ଷ୍ୟ ସାକାର ହୋଇପାରିବ ।

ସେ କହିଛନ୍ତି, ଆତ୍ମବିଶ୍ଵାସ ହିଁ ମଣିଷକୁ ବଡ କରିବ । ଅତୀତ ପିଢିରୁ ବର୍ତ୍ତମାନର ପିଢି ବହୁତ ବଡ ବଡ ଚିନ୍ତା କରୁଛି । ଆମ କାନ୍ଧରେ ବର୍ତ୍ତମାନ ବିକଶିତ ଓଡ଼ିଶା, ବିକଶିତ ଭାରତର ଦାୟିତ୍ୱ ଅଛି । ଏଥିପାଇଁ ଆମକୁ କଣ୍ଟେଣ୍ଟ୍ ରାଇଟରରୁ ଓ୍ୱେଲଥ୍ କ୍ରିଏସନ କରିବା ପାଇଁ ମଧ୍ୟ ଆଗଭର ହେବାକୁ ପଡିବ । ନିର୍ଭରତାରୁ ଆତ୍ମନିର୍ଭରତା,  ସ୍ୱାଭିମାନ ଓ ଆତ୍ମବିଶ୍ୱାସ ମାଧ୍ୟମରେ ସ୍ୱାବଲମ୍ବୀ ହେବାକୁ ପଡିବ । ନିଯୁକ୍ତି ଖୋଜିବା ପରିବର୍ତ୍ତେ ନିଯୁକ୍ତିଦାତା ହେବା ପାଇଁ କାମ କରିବାକୁ ହେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପୂରଣ କରିବ । ଏହି ସମୟରେ ଆମର ଦାୟିତ୍ୱ କ’ଣ ରହିବା ଦରକାର, ଏହା ଉପରେ ବୁଝିବାକୁ ହେବ । ପଞ୍ଚାୟତରୁ ଜିଲ୍ଲା ସ୍ତରରେ ଯୁବ ସମ୍ମିଳନୀ ମାଧ୍ୟରେ ନିଜର ଆଇଡିଆକୁ ଆଦାନପ୍ରଦାନ କରିବାକୁ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଜରେ ଏକ ସୁବ୍ୟବସ୍ଥିତ ଜୀବନଶୈଳୀ ତିଆରି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ କିପରି ଆମେ ଆଗାମୀ ୨୨ ବର୍ଷ ଭିତରେ ଗ୍ଲୋବାଲ ହାପେନିଂ ପଏଣ୍ଟ୍ ବନାଇବା ପାଇଁ କାମ କରିବା, ତାହା ଆମର ଲକ୍ଷ୍ୟ ହେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଉତ୍କର୍ଷତାର ଶିଖରରେ ପହଞ୍ଚାଇବା ପାଇଁ ଆମ ସମସ୍ତଙ୍କ ଉଦ୍ୟମ ରହୁ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here