By Our Correspondent
PURI/BHUBANESWAR: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଉପରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ପଥର ଖଣିଗୁଡିକରେ ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ପରିମାଣ ଉତ୍ତୋଳନ ଏବଂ ବେଆଇନ୍ ଉତ୍ତୋଳନ ସଂକ୍ରାନ୍ତରେ ମାମଲା ରୁଜୁ କରିବାକୁ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁଙ୍କ ଜମି ଉପରେ ଥିବା ନିର୍ମାଣ ପଥର ଏବଂ ମାଙ୍କଡ଼ା ପଥର ଖଣି ଲିଜଧାରୀମାନଙ୍କୁ ଧାର୍ଯ୍ୟ ପରିମାଣଠାରୁ ଅଧିକ ଅଧିକ ଉତ୍ତୋଳନ ସଂକ୍ରାନ୍ତରେ ଏହାପୂର୍ବରୁ ନୋଟିସ୍ କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ କେତେକ ଲିଜଧାରୀ ଜୋରିମାନା ଦାଖଲ କରିନାହାନ୍ତି । ଏଥିରୁ ଜଣାପଡୁଛି ଯେ, ସେମାନେ ସ୍ଥାନୀୟ ମାଫିଆଙ୍କ ସହ ହାତ ମିଳାଇ ବେଆଇନ୍ ଉତ୍ତୋଳନ କରୁଥିବା ଏବଂ ଏହାଦ୍ବାରା ମହାପ୍ରଭୁଙ୍କ ରାଜସ୍ବ କ୍ଷତି ହେଉଥିବା ମୁଖ୍ୟ ପ୍ରଶାସକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।
ଏହା ଭିତରେ କ୍ଷମତା ସମ୍ପନ୍ନ ଅଧିକାରୀ, ସମ୍ପୃକ୍ତ ଖିଲାପି ଲିଜଧାରୀଙ୍କ ଲିଜ୍ ମଧ୍ୟ ରଦ୍ଦ କରିଛନ୍ତି ଏବଂ ଭବିଷ୍ୟତରେ କୌଣସି ନିଲାମରୁ ବାଦ୍ ଦେବା ପାଇଁ ସେମାନଙ୍କୁ କଳାତାଲିକା ଭୁକ୍ତ ମଧ୍ୟ କରିଛନ୍ତି । ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୃକ୍ତି ଖିଲାପି ଲିଜଧାରୀଙ୍କ ବିରୋଧରେ ଖୋର୍ଦ୍ଧା ସଦର ଥାନାରେ ଏତଲା ଦାୟର କରାଯାଇଛି।
ତେଣୁ ସମ୍ପୃକ୍ତଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଗଲେ, ମହାପ୍ରଭୁଙ୍କ ଜମି ଉପରେ ଆଖି ପକାଉଥିବା ଆଇନ୍ ଉଲ୍ଲଂଘନକାରୀ ଏବଂ ମାଫିଆଙ୍କ ମଧ୍ୟରେ ଭୟ ସଂଚାର ହେବା ସହ ବେଆଇନ୍ ଖଣି ଉତ୍ତୋଳନକୁ ରୋକାଯାଇ ପାରି ଓ ରାଜସ୍ବ ହାନି ହେବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ନିଜ ଚିଠିରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇଛନ୍ତି ।