ଭୁବନେଶ୍ୱରରେ ଦକ୍ଷତା ବିକାଶ ପାଇଁ ପ୍ରତିଷ୍ଠା ହେବ ଜାତୀୟ ଉତ୍କର୍ଷ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ

0
241

By Our Correspondent

BHUBANESWAR:     ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତରେ ଧନ୍ଦାମୂଳକ ଶିକ୍ଷାରେ ପରିବର୍ତ୍ତନ ଆଣିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମୋଟ୍ ୬୦,୦୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ)ର ଉନ୍ନତିକରଣ ଯୋଜନା ଏବଂ ଦକ୍ଷତା ବୃଦ୍ଧି ପାଇଁ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଭାବରେ ଅନୁମୋଦନ ମିଳିଛି, ଯାହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି ।  

ଏହି ଯୋଜନାରେ ୧୦୦୦ ସରକାରୀ ଆଇଟିଆଇର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯିବ ଏବଂ ଏହି ଅନୁଷ୍ଠାନଗୁଡ଼ିକରେ ଦକ୍ଷତା ପାଇଁ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ସହିତ ଶିଳ୍ପ ସଂଯୁକ୍ତ ସଂଶୋଧିତ ଟ୍ରେଡ୍ (ପାଠ୍ୟକ୍ରମ) ଏବଂ ୫ଟି ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ଉପରେ ଆଲୋଚନା କରାଯିବ । ଏହି ଯୋଜନା ଅଧୀନରେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଓ ଲୁଧିଆନା ଭଳି ଜାତୀୟ ଦକ୍ଷତା  ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଶିକ୍ଷକଙ୍କ ଉନ୍ନତ ପ୍ରଶିକ୍ଷଣ ପାଇଁ ଭିତ୍ତିଭୂମି ଉନ୍ନତିକରଣ କରାଯିବ । ଏଥିସହ ୫୦ ହଜାର ପ୍ରଶିକ୍ଷକଙ୍କୁ ପ୍ରାକ୍ ସେବା ଓ ଚାକିରିକାଳୀନ ପ୍ରଶିକ୍ଷଣ ପ୍ରଦାନ କରାଯିବ।  ଏହି ନିଷ୍ପତି ଦକ୍ଷତା ବିକାଶ ପରିସଂସ୍ଥାନକୁ ପ୍ରୋତ୍ସାହିତ କରିବ । ଦୀର୍ଘଦିନର ଚ୍ୟାଲେଞ୍ଜର ସମାଧାନ ହେବ । ପାରମ୍ପରିକ ଏବଂ ନୂତନ ଯୁଗର ବାଣିଜ୍ୟରେ ଶିଳ୍ପ-କର୍ମଚାରୀ ବ୍ୟବଧାନ ଦୂର ହେବ । ଆମ ଆଇଟିଆଇଗୁଡ଼ିକୁ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଯୁବକଙ୍କୁ ଦକ୍ଷତା ଏବଂ ଉନ୍ନତ ଦକ୍ଷତା ପ୍ରଦାନ କରିବା ଦିଗରେ ବିଶେଷ ସହାୟକ ହେବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଦକ୍ଷତା ବିକାଶ ଏକ ବିକଳ୍ପ ନୁହେଁ- ବରଂ ଏକ ଜାତୀୟ ଆବଶ୍ୟକତା । ଏହି ଦୂରଦର୍ଶୀ ନିଷ୍ପତ୍ତି ଭବିଷ୍ୟତର କର୍ମଚାରୀଙ୍କ ପାଇଁ ଏକ ମଜଭୁତ୍ ରେଖା ଟାଣିବ ଏବଂ ବିଶ୍ୱର ଦକ୍ଷତା ରାଜଧାନୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ । ଦକ୍ଷତା ବିକାଶ ପରିଦୃଶ୍ୟରେ ପରିବର୍ତ୍ତନ ଆଣିବା, ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବସମ୍ବଳ ପ୍ରସ୍ତୁତ କରିବା ଦିଗରେ ଏହା ଏକ ବଡ ପଦକ୍ଷେପ ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୫ଟି  ଆଇଆଇଟି ତଥା ଆଇଆଇଟି ତିରୁପତି, ଆଇଆଇଟି ପଲକ୍କଡ, ଆଇଆଇଟି ଭିଲାଇ, ଆଇଆଇଟି ଜମ୍ମୁ ଏବଂ ଆଇଆଇଟି ଧାରଓ୍ୱାଡ଼ର ଶୈକ୍ଷିକ ଏବଂ ଭିତ୍ତିଭୂମି ସମ୍ପ୍ରସାରଣ ପାଇଁ ମୋଟ ୧୧ ହଜାର ୮୨୮.୭୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ବିଶ୍ୱସ୍ତରୀୟ ଶିକ୍ଷା, ନବସୃଜନ ଏବଂ ଗବେଷଣାର ଅଧିକ ସୁଯୋଗ ସହିତ ଭାରତର ଯୁବକମାନଙ୍କୁ ସଶକ୍ତ କରିବା ଦିଗରେ ଏହି ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ ଏକ୍ସରେ ଏହି ନିଷ୍ପତିକୁ ସ୍ୱାଗତ କରିବା ସହ କହିଛନ୍ତି ଯେ ଏହା ଦ୍ୱାରା ଏହି ଆଇଆଇଟିଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬,୫୦୦କୁ ବୃଦ୍ଧି ପାଇବ ।  ୫ଟି ନୂତନ ଅତ୍ୟାଧୁନିକ ଗବେଷଣା ପାର୍କ ପାଇଁ ରାସ୍ତା ପ୍ରଶସ୍ତ ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଉଦ୍ଭାବନ ଓ ପ୍ରଗତିକୁ ପ୍ରୋତ୍ସାହନ ମିଳିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ଗତି ମିଳିବ । ସେ ଆହୁରି କହିଛନ୍ତି ଯେ ବିଗତ ଏକ ଦଶନ୍ଧି ମଧ୍ୟରେ ମୋଦୀ ସରକାରରେ ୨୩ଟି ଆଇଆଇଟିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦ ପ୍ରତିଶତ ବୃଦ୍ଧି ହୋଇଛି । ସେତେବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୫,୦୦୦ ଥିବା ବେଳେ ଏବେ ତାହା ବଢି ୧ ଲକ୍ଷ ୩୫ ହଜାରରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଯୁବାକାଂକ୍ଷାକୁ ପୂରଣ କରିବା ସହ ସେମାନଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ପାଇଁ ଉପଯୁକ୍ତ ପ୍ଲାଟଫର୍ମ ପ୍ରଦାନ କରିଛନ୍ତି । ସେହିପରି ଶିକ୍ଷାଗତ ସାମଞ୍ଜସ୍ୟକୁ ଦୂର କରିବା, ଯୁବଶକ୍ତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ତଥା ନବସୃଜନ-ନେତୃତ୍ୱାଧୀନ ଅଭିବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ବଦ୍ଧ ପରିକର ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here