ଭାରତ ଇସ୍ପାତ – ୨୦୨୫ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ, ‘ଇସ୍ପାତ୍’ ଭାରତୀୟ ଆର୍ଥିକ ଅଭିବୃଦ୍ଧିର ମେରୁଦଣ୍ଡ – ଧର୍ମେନ୍ଦ୍ର ପ୍ରଧାନ

0
264

By Our Correspondent

BHUBANESWAR:  ଇସ୍ପାତ ହେଉଛି ଭାରତୀୟ ଆର୍ଥିକ ଅଭିବୃଦ୍ଧିର ମେରୁଦଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସଠିକ୍ ଇସ୍ପାତ ନୀତି ଯୋଗୁଁ ଭରତ ଆଜି ବିଶ୍ଵର ଦ୍ଵିତୀୟ ଇସ୍ପାତ ଉତ୍ପାଦନକାରୀ ଦେଶ ହୋଇଛି । ଇସ୍ପାତ କ୍ଷେତ୍ରର ବିକାଶ ହେଲେ ଯୁବପିଢି ନୂଆ ନୂଆ ଉଦ୍ଭାବନ କରିବା ପାଇଁ ସମର୍ଥ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ମୁମ୍ବାଇ ଠାରେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଏବଂ ଫିକି ଇଣ୍ଡିଆ ଦ୍ଵାରା ଆୟୋଜିତ ଭାରତ ଇସ୍ପାତ୍ ସମ୍ମିଳନୀ ତଥା ପ୍ରଦର୍ଶନୀ -୨୦୨୫ର ଷଷ୍ଠ ସଂସ୍କରଣରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ କ୍ଷେତ୍ର କେବଳ ଭାରତର ଆର୍ଥିକ ଅଭିବୃଦ୍ଧିର ମେରୁଦଣ୍ଡ ନୁହେଁ ଏହା ଭବିଷ୍ୟତ ଆକାଂକ୍ଷାର ମଧ୍ୟ ମେରୁଦଣ୍ଡ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସଠିକ୍ ନୀତିର ସମର୍ଥନ ପୂର୍ବ ଭାରତର ସମ୍ଭାବନାକୁ ଚିହ୍ନଟ କରିବା ସହ ଇସ୍ପାତର ପେଣ୍ଠସ୍ଥଳୀ ହେବା ପାଇଁ ମାର୍ଗ ପ୍ରଶସ୍ତ ହୋଇଛି ଏବଂ ଭାରତ ବିଶ୍ୱ ଇସ୍ପାତ୍ ବଜାରରେ ଷ୍ଟ୍ରାଟେଜିକ୍ ସ୍ଥିତି ମାଧ୍ୟମରେ ଏକ ନୂଆ ରୂପରେ ଉଭା ହେଉଛି । ଜାତୀୟ ଇସ୍ପାତ ନୀତି – ୨୦୧୭ ଇସ୍ପାତ ଶିଳ୍ପକୁ ତାହାର ପୂର୍ଣ୍ଣ ସମ୍ଭାବନା ସହିତ ମୂଲ୍ୟଯୁକ୍ତ ଏବଂ ସବୁଜ ଇସ୍ପାତ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ଵ ଦେଉଛି । ଆଗାମୀ ଦିନରେ ମୂଲ୍ୟଯୁକ୍ତ ଏବଂ ସବୁଜ ଇସ୍ପାତ ଉତ୍ପାଦନ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଶିଳ୍ପ ପରିବର୍ତ୍ତନକୁ ଏକ ପ୍ରତିଯୋଗିତାମୂଳକ ଲାଭରେ ପରିଣତ କରିବା ପାଇଁ ସବୁଜ ଇସ୍ପାତ ଏକ ସୁଯୋଗ ଦେଇଛି । ଯେତେବେଳେ ଆମେ ଇସ୍ପାତ କ୍ଷେତ୍ରର ପୁନଃକଳ୍ପନା କରିବା ସହ ଏହାକୁ ଅଧିକ ଅଭିନବତା ଭିତ୍ତିକ କରିବା, ସେତେବେଳେ ଆମର ପ୍ରତିଭାବାନ ଯୁବକମାନଙ୍କ ପାଇଁ ଉଦ୍ଭାବନ ଏବଂ ଶିଳ୍ପ ସହିତ ସହଯୋଗ କରିବା ର ସୁଯୋଗ ମଧ୍ୟ ସୃଷ୍ଟି କରିବା ଆବଶ୍ୟକ ।

ଆଗାମୀ ଦିନରେ ଇସ୍ପାତ କେବଳ ଶକ୍ତିଶାଳୀ ହେବ ନାହିଁ, ଏହା ସ୍ମାର୍ଟ ଓ ସବୁଜ ହେବ। ବିଭିନ୍ନ କ୍ଷେତ୍ରରେ ନବସୃଜନ ଏବଂ ସହଯୋଗ ପ୍ରଦର୍ଶନ କରିବା ପାଇଁ ଏହା ହେଉଛି ଭାରତର ଦଶନ୍ଧି । ଆମର ଇସ୍ପାତ ଶିଳ୍ପ ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି, ଶିଳ୍ପ ବିକାଶ ଏବଂ ନିରନ୍ତର ଓ ସମାବେଶୀ ପ୍ରଗତି ପାଇଁ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here