ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ ) ପକ୍ଷରୁ 18 ସେପ୍ଟେମ୍ବର ଗୋଟିଏ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଂଚ ଅନୁଷ୍ଠିତ ହେବ

0
54

By Our Correspondent

PURI/BHUBANESWAR:  ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ ) ପକ୍ଷରୁ ଆସନ୍ତାକାଲି 18 ସେପ୍ଟେମ୍ବର ଗୋଟିଏ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଂଚ ଅନୁଷ୍ଠିତ ହେବ । ରାଜ୍ୟ ସରକାର ଏହାକୁ ଅନୁମୋଦନ କରିଛନ୍ତି । ଏଥିରେ  ASI ଏବଂ ଶ୍ରୀମନ୍ଦିର ପ୍ରଶାସନର 26 ଜଣିଆ ମିଳିତ ଟିମ୍ ସାମିଲ ହେବେ ।

ଏଥିସହିତ ରତ୍ନଭଣ୍ଡାର ମଧ୍ୟରେ ବୈଜ୍ଞାନିକ ସର୍ବେକ୍ଷଣ କରିବାକୁ ବିଭିନ୍ନ ଯନ୍ତ୍ରପାତି ନେବାକୁ ASIକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମତଃ ଏହି ସର୍ବେକ୍ଷଣ ସମ୍ପର୍କିତ ଉତ୍ତୋଳନ ହେଉଥିବା ଚିତ୍ର କିମ୍ବା ଭିଡିଓ କେବଳ ବୈଜ୍ଞାନିକ ଅନୁସନ୍ଧାନ ସକାଶେ ବ୍ୟବହାର କରାଯିବ, ଏହା କୌଣସି ମିଡିଆ କିମ୍ବା ସୋସିଆଲ୍ ମିଡିଆରେ ପ୍ରସାରିତ ହେବ ନାହିଁ । ଦ୍ବିତୀୟତଃ ବୈଜ୍ଞାନିକ ଯନ୍ତ୍ରପାତି ନେବା ବା ବ୍ଯବହାର ସମୟରେ ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରାଯିବାକୁ ସର୍ତ୍ତ ରଖାଯାଇଛି ।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ ଏହି ନିରୀକ୍ଷଣ ଅନୁଷ୍ଠିତ ହେବ। ତେଣୁ ଆସନ୍ତାକାଲି ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି l ତଦନୁଯାୟୀ, ତା 18-09-24 ବୁଧବାର ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଘ.1:00 ଣ୍ଟା ଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।

ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ  SOP ଅନୁସାରେ   ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରଣ ତଥା ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି l ତାପରେ ଏ.ଏସ୍.ଆଇ କୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ।

ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା l ଏହା  ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏ.ଏସ୍.ଆଇ କୁ ଅନୁରୋଧ କରାଯାଇଥିଲା l ପୂର୍ଣାଂଗ ଅତ୍ଯାଧୁନିକ ତଥା ବୈଷୟିକ ଯାଂଚ ପରେ ଏ.ଏସ୍.ଆଇ ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଅବିଳମ୍ବେ ସାରିବାକୁ ମୁଖ୍ଯ ପ୍ରଶାସକ, ଡ. ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି।

 

 

LEAVE A REPLY

Please enter your comment!
Please enter your name here