By Our Correspondent
BHUBANESWAR: ଜଣେ ସଶକ୍ତ କୃଷକ ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିପାରିବ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଚୌଧୁରୀ ଚରଣ ସିଂହଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରି ମୋଦୀଙ୍କ ସରକାର କୃଷକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶନିବାର ଏହି ମହାନ ଚାଷୀ ନେତା ଚୌଧୁରୀ ଚରଣ ସିଂହଙ୍କ ୧୨୨ତମ ଜୟନ୍ତୀର ଅବ୍ୟବହିତ ପୂର୍ବରୁ କିଷାନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ପୁରସ୍କାର ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ସମାଜରେ ସନ୍ତୁଳନ, ସମାନତା ଓ ନ୍ୟାୟ ସୁନିଶ୍ଚିତ କରିବା ଉପରେ ଆଧାରିତ ‘ଭାରତ ରତ୍ନ ଚୌଧୁରୀ ଚରଣ ସିଂହ ଜୀ’ଙ୍କ ମହାନ ମୂଲ୍ୟବୋଧ, ଭାବନା ଓ ଚିନ୍ତାଧାରାର ପ୍ରତୀକ ହେଉଛି ଏହି ପୁରସ୍କାର ।
କୃଷି ଆମ ଅର୍ଥନୀତିର ସବୁଠାରୁ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଚୌଧୁରୀ ଚରଣ ସିଂହ ଚାଷୀଙ୍କ ଆର୍ଥିକ ସ୍ୱାଧୀନତା ଏବଂ ଆତ୍ମନିର୍ଭର ସଂସ୍କାରର ମୂଳଦୁଆ ସ୍ଥାପନ କରିବାର ବଟ୍ଟବୃକ୍ଷ ଥିଲେ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ସେ ଭୂମି ସଂସ୍କାରରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ହିନ୍ଦୀ ଭାଷାକୁ ପ୍ରାଥମିକତା ଦେଇଥିଲେ, ଯାହା ତାଙ୍କର ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ପ୍ରତିଫଳନ । ଆମର ସରକାର ରାଷ୍ରୀଯପୟ ଶିକ୍ଷା ନୀତି ଅଧୀନରେ ଭାରତୀୟ ଭାଷାରେ ଶିକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କୃଷି, ସାମାଜିକ କଲ୍ୟାଣ ଏବଂ ପତ୍ରକାରିତା କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ଦେଇଥିବା ଗଣମାନ୍ୟ ବ୍ୟକ୍ତିବିଶେଷଙ୍କୁ ଚୌଧୁରୀ ଚରଣ ସିଂହ ପୁରସ୍କାରରେ ସମ୍ମାନିତ କରିଥିଲେ । ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ କିଷାନ ଟ୍ରଷ୍ଟ ସମେତ ସମସ୍ତ ପୁରସ୍କାର ବିଜେତାଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।