ବ୍ଲାକରୋଜ ଘଟଣା ତଦନ୍ତ ପରିସରଭୁକ୍ତ ଥିବାବେଳେ ସଂଶ୍ଲିଷ୍ଟ ଥିବା ଲୋକମାନେ ଜେଲ୍ ଯିବେ- ଧର୍ମେନ୍ଦ୍ର ପ୍ରଧାନ

0
98

By Our Correspondent

JAJPUR/BHUBANESWAR:    ମା’ ବିରଜାଙ୍କ ପବିତ୍ର ଭୂମି ହେଉଛି ଯାଜପୁର । ଯେଉଁ ଯାଜପୁରର ସାଧବ ପୁଅମାନେ ଦିନେ ସାତଦରିଆ ପାର ହୋଇ ଓଡ଼ିଶାକୁ ବୈଭବ ଆଣୁଥିଲେ, ସେଇ ମାଟିରେ ଜଣେ କ୍ରୀତଦାସ ବ୍ଲାକରୋଜ ଜାହାଜରେ ଓଡ଼ିଶାର ବୈଭବକୁ ବିକ୍ରି କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ । ଏହି ଘଟଣା ତଦନ୍ତ ପରିସରଭୁକ୍ତ ଥିବାବେଳେ ଏଥିରେ ସଂଶ୍ଲିଷ୍ଟ ଥିବା ଲୋକମାନେ ଜେଲ୍ ଯିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ନଗଡ଼ା ଅପପୁଷ୍ଟି କ’ଣ ୨୫ ବର୍ଷ ଶାସନର ଉପଲବ୍ଧି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯାଜପୁର ଜିଲ୍ଲାର ବଡଚଣା, ଧର୍ମଶାଳା, ବିଞ୍ଝାରପୁର ଓ କୋରେଇ ନିର୍ବାଚନମଣ୍ଡଳୀରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କୁ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ ସମବେତ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି । ସେ କହିଛନ୍ତି  ଯାଜପୁର ହେଉଛି ସଂଗ୍ରାମୀ ନୀଳମଣି ସାମଲଙ୍କ ପବିତ୍ର ଭୂମି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସଂଗ୍ରାମୀ ଭୂମି । କିନ୍ତୁ ଏହି ଜିଲ୍ଲାରେ ମୌଳିକ ସୁବିଧା ଉପଲବ୍ଧ ହୋଇନାହିଁ । ଦୀର୍ଘ ୨୫ ବର୍ଷ ଶାସନରେ ପିଇବା ପାଣି ମିଳୁନାହିଁ । ଜଳସେଚନର ସୁବିଧା ନାହିଁ । ମେ ମାସରେ ତାଳଦଣ୍ଡା କେନାଲ ଶୁଖା ପଡ଼ିଛି ।

ମୋଦୀ ସରକାର ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୪ ଲକ୍ଷରୁ ଅଧିକ ଘର ଦେଇଛନ୍ତି । ଏହା ପରେ ବି ବିଞ୍ଝାରପୁରରେ ଅନେକ ଗରିବ ଲୋକମାନେ ଆବାସରେ ଘର ପାଇ ନାହାନ୍ତି । ୧୦ ଜୁନରେ ବିଜେପି ସରକାର ହବ । ବିଜେପି ସରକାର ହେଲେ ମୋଦିଜୀ ଆବାସ ବାବଦରେ ଦେଉଥିବା ଅର୍ଥକୁ ଯେଉଁମାନେ ବାଟମାରଣା ସହ ଚୋରି କରୁଛନ୍ତି, ସେମାନଙ୍କୁ ଜେଲ୍ ପଠାଯିବ ।

ଯାଜପୁରର ଅନେକ ସ୍କୁଲରେ ସ୍କୁଲରେ ଶିକ୍ଷକ ନାହାନ୍ତି । ଜିଲ୍ଲାର ୧୪ଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ । ଓଡ଼ିଶାରେ ପ୍ରାୟ ୫୦ ପ୍ରତିଶତ ପିଲା ମାଟ୍ରିକ ପରୀକ୍ଷା ଦେଉନାହାନ୍ତି ।  ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଜିଲ୍ଲାରେ  ୩୨୦ ଡାକ୍ତର ପଦବୀରୁ ୧୨୬ ଟି ଡାକ୍ତର ପଦବୀ ଖାଲି ପଡ଼ିଛି । ୮୦୬ ନର୍ସ ପଦବୀରୁ ପଦବୀରୁ ୪୫୩ ଖାଲି ପଡ଼ିଛି । ଘରୋଇ ହସ୍ପିଟାଲକୁ ଫାଇଦା ଦେବା ପାଇଁ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି । ୨୫.୫ ପ୍ରତିଶତ ଶିଶୁଙ୍କ ବୟସ ତୁଳନାରେ ଉଚ୍ଚତା କମ ରହିଛି । ୨୧.୮ ପ୍ରତିଶତ ପିଲାଙ୍କ ଜନ୍ମ ହେବା ସମୟରେ କମ୍ ଓଜନର । ୬୬.୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର । ୬୩.୪ ପ୍ରତିଶତ ମହିଳା ରକ୍ତହୀନତାର ଶୀକାର । ଏହା ୨୫ ବର୍ଷ ଶାସନର ଉପଲବ୍ଧି । ନଗଡ଼ା ଅପପୁଷ୍ଟି, ଅନାହାର ଏଠାରେ ଅଛି । ଏଠାକାର ଯୁବକ ଯାଜପୁର ବାହାରକୁ ଦାଦନ ଯାଉଛନ୍ତି । ଏହା ହିଁ ହେଉଛି ସରକାରଙ୍କ ପାରିବା ପଣିଆ । ଏହି ସରକାରକୁ ବଦଳାଇବା ଦରକାର ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମୁଁ ରାଜନୈତିକ ଯାତ୍ରାରେ ଯେଉଁ ସ୍ଥାନରେ ପହଞ୍ଚିଛି, ସେଥିରେ ବଡଚଣାର ବଡ ଭୂମିକା ରହିଛି । ଏହି ଅଞ୍ଚଳର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ଦ୍ୱାରା ପ୍ରଭାବିତ ହୋଇ ମୁଁ ଏବିଭିପିରେ ଯୋଗଦେଇଥିଲି । ବରିଷ୍ଠ ସମାଜସେବୀ ନିର୍ମଳ ପ୍ରସାଦ ମିଶ୍ର ମୋତେ ସଚ୍ଚୋଟ ପ୍ରଶାସନର ପାଠ ପଢାଇଛନ୍ତି । ଏଥିପାଇଁ ବଡଚଣା ପାଖରେ ମୁଁ ଋଣୀ ।  ଯାଜପୁର ଜିଲ୍ଲା ଦର୍ପଣଗଡ଼ର ଅଧିଷ୍ଠାତ୍ରୀ ଦେବୀ  ମା’ କୋଟ୍ରାକ୍ଷୀ ଦର୍ପଣଗଡ଼ ଗ୍ରାମବାସୀଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ୱାସର ପ୍ରତୀକ । ମାତ୍ର ବିଜେଡି ସରକାରର ଅପାରଗ ଶାସନ କାରଣରୁ ମୂର୍ତ୍ତିଟି ଚୋରି ହୋଇଯାଇଥିଲା । ମା’ଙ୍କ ମୂର୍ତ୍ତିକୁ ଫେରାଇ ଆଣିବାରେ ସହଯୋଗୀର ଦାୟିତ୍ୱ ନିର୍ବାହ କରିବା, ମୋ ପାଇଁ ସୌଭାଗ୍ୟର ବିଷୟ ।

ଓଡ଼ିଶାରେ ବାତାବରଣ ବଦଳିବାରେ ଲାଗିଛି । କ୍ରୀତଦାସ ଓ ଗୁମାସ୍ତା ଓଡ଼ିଶାକୁ ଜାଗିର ଭାବୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣରେ ନାହାନ୍ତି । ମାଇକ୍ ଭଡ଼ାରେ ଅଣାଯାଏ କିନ୍ତୁ ମୁଖ୍ୟମନ୍ତ୍ରୀ ଜଣେ ତାମିଲ ଗୁମାସ୍ତାଙ୍କୁ ଭଡ଼ାରେ ଆଣିଛନ୍ତି । ସାଢେ ୪ କୋଟି ଓଡ଼ିଆଙ୍କ ନେତା ହେବା ପାଇଁ ଭଡ଼ାରେ ଆଣିଛନ୍ତି ।  ଜଣେ କ୍ରୀତଦାସ ତାଙ୍କ ସହ ବୁଲୁଛନ୍ତି । କ୍ରୀତଦାସ କଣ ଯାଜପୁରର ବିକାଶ କରିପାରିବ । ଓଡ଼ିଶାର ନେତା ଓଡ଼ିଆ ନେତୃତ୍ୱରେ ହେବ । ବିଞ୍ଝାରପୁରରୁ ଡାଲି ଚୋରଣୀକୁ ହଟାଯିବ । ଲୋକେ ପରିବର୍ତ୍ତନ ମୁହାଁ ହୋଇଛନ୍ତି । ଏଥର ଓଡ଼ିଶାରେ ସରକାର ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି  ।ଉଲ୍ଲେଖନୀୟ ଯେ, ଏହି ସମସ୍ତ ଜନସଭାରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here