By Our Correspondent
SAMBALPUR: ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଶିକ୍ଷାଦାନ କରିବାରେ ଓଡ଼ିଶାର ସର୍ବପ୍ରଥମ ବିଦ୍ୟାଳୟ । ଭାରତରେ ତ୍ରିଭାଷୀ ସୂତ୍ରରେ ଶିକ୍ଷାଦାନ ଲାଗି ନିଷ୍ପତ୍ତି ହେବାର ଅନେକ ପୂର୍ବରୁ ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଏ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିସାରିଥିଲା ବୋଲି ଏହି ସ୍କୁଲର ପ୍ଲାଟିନମ ଜୟନ୍ତୀ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଯେତେବେଳେ ସମ୍ବିଧାନ ପ୍ରସ୍ତୁତି କାର୍ଯ୍ୟ ଚାଲିଥିଲା, ସେଇ ସମୟରେ ବୁର୍ଲାବାସୀ ଏହି ବିଦ୍ୟାଳୟଟି ପ୍ରତିଷ୍ଠା କରିଥିଲେ । ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରି ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷାକୁ ଗୁରୁତ୍ୱ ଦେଲେ ମାତ୍ର ୧୯୪୯ ମସିହାରେ ପ୍ରତିଷ୍ଠା ହେବା ଦିନ ଠାରୁ ଏହି ଶିକ୍ଷାନୁଷ୍ଠାନ ଏହି ବିଷୟକୁ ପ୍ରାଥମିକତା ଦେଇଆସିଛି ।
ଏଠାରେ ବାଲ-ବାଟିକା ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ୧୫ ବର୍ଷ ଗୋଟିଏ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ନିରବଚ୍ଛିନ୍ନ ଶିକ୍ଷାଲାଭର ସୁଯୋଗ ଦେବା ପାଇଁ ଉଦ୍ୟମ ଜାରି ରହିଛି । ଓଡ଼ିଶାରେ ଏକ ପ୍ରଗତିଶୀଳ ଶିକ୍ଷା ବ୍ୟବସ୍ଥା ଆଣିବା ପାଇଁ ବୁର୍ଲାର ଜନସାଧାରଣ ଦଶନ୍ଧି ଦଶନ୍ଧି ଧରି ପ୍ରୟାସ କରିଆସିଛନ୍ତି । ଏଣୁ ବୁର୍ଲାରେ ଶିକ୍ଷାର ବ୍ୟାପକ ବିକାଶ ମାଧ୍ୟମରେ ସମ୍ବଲପୁରକୁ ଭାରତର ଏକ ଅଗ୍ରଣୀ ଅଞ୍ଚଳରେ ପରିଣତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ।
ସମ୍ବଲପୁରରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ତିଆରି କରିବା ତଥା ଇଡକୋ ମାଧ୍ୟମରେ ବୁର୍ଲାରେ ଏକ ଆଧୁନିକ ଭବନ ନିର୍ମାଣ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ସ୍ଥାନୀୟ ଯୁବବର୍ଗର ସ୍ୱପ୍ନ ଓ ଆକାଂକ୍ଷାକୁ ପୁରଣ କରିବା ପାଇଁ ଉଦ୍ଦିଷ୍ଟ ୧୦୦ କ୍ୟୁବ୍ ବିଶେଷ ଫଳପ୍ରଦ ହୋଇପାରିବ ତଥା ବୁର୍ଲା, ନବ-ଓଡ଼ିଶା ନିର୍ମାଣର ପ୍ରୟୋଗଶଳା ଭାବେ ନୂଆ ପରିଚୟ ପାଇବ ।
ଓଡ଼ିଶାର ଅନେକ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ଏହି ଅଞ୍ଚଳରେ ପ୍ରତିଷ୍ଠା କରାଯାଇଛି । ଏଠାରେ ଥିବା ଓୟୁଏଟିର କ୍ୟାମ୍ପସକୁ ଏକ ପୂର୍ଣ୍ଣାଙ୍ଗ କୃଷି ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ ଏବଂ ଏକବିଂଶ ଶତାବ୍ଦୀରେ ବୁର୍ଲାକୁ ଏକ ଜ୍ଞାନ କେନ୍ଦ୍ରରେ ପରିଣତ କରିବା ଦିଗରେ ସମସ୍ତଙ୍କୁ କାମ କରିବାକୁ ହେବ ବୋଲି ମତ ଦେଇଛନ୍ତି ଶ୍ରୀ ପ୍ରଧାନ ।
ମହାନଦୀ ହେଉଛି ଓଡ଼ିଆ ଜାତିର ଜୀବନଧାରା । ବୀର ସୁରେନ୍ଦ୍ର ସାଏ, ମାଧୋ ସିଂ, କୁଞ୍ଜେଲ ସିଂ ପ୍ରମୁଖ ସଂଗ୍ରାମୀଗଣଙ୍କ ବଳିଦାନ ଓଡ଼ିଶା ତଥା ଭାରତକୁ ସ୍ୱାଧୀନତା ଆଣିଦେଇଥିଲା, ଯାହାର ସାକ୍ଷୀ ହେଉଛି ମହାନଦୀ ଓ ସମ୍ବଲପୁର ଅଞ୍ଚଳ । ସମ୍ବଲପୁରର ବିକାଶକୁ ଓଡ଼ିଶା ସରକାର ପ୍ରାଥମିକତା ଦେଉଥିବାରୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ସମାରୋହରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏବଂ ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।