ବିଜେଡି ଶାସନରେ ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡିକ ଦୁର୍ନୀତିର ଗନ୍ତା ଘର ସାଜିଥିଲା, ଏଣିକି ସମବାୟ ସମିତିରେ ବହୁମୁଖୀ ସୁବିଧା ଉପଲବ୍ଧ ହେବ, ସମବାୟ କ୍ୟାଡ୍ର ରୁଲ୍ର ସଂଶୋଧନ ହୋଇ ସୁଧାର କରାଯିବ-ବିଜେପି

0
27

By Our Correspondent

BHUBANESWAR:  ବିଜେଡି ସରକାର ଅମଳରେ ପ୍ୟାକ୍ସ ଓ ଲ୍ୟାମ୍ପ୍ସସ୍ତରରେ ବ୍ୟାପକ ଦୁର୍ନୀତି ହୋଇଥିଲା । ସେସବୁ ସଂସ୍ଥାରେ ଏବେ ଯେଉଁମାନେ ନନ୍‌କ୍ୟାଡର ସମ୍ପାଦକ କାର୍ଯ୍ୟରତ ଅଛନ୍ତି, ପୂର୍ବର ବିଜେଡି ସରକାର ନୂଆ କ୍ୟାଡର ରୁଲ ପ୍ରଚଳିତ ନ କରିବାରୁ ସେମାନଙ୍କର ବଦଳି ହେଉ ନ ଥିଲା । ଫଳରେ ଦୀର୍ଘଦିନ ଧରି ସମ୍ପୃକ୍ତ ସମ୍ପାଦକମାନେ ଏକାଧିକ ସମବାୟ ସମିତିର ଦାୟିତ୍ୱରେ ରହୁଥିଲେ ।

ଏଥିଯୋଗୁ ସମିତିରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ଚାଲିଥିଲା । ଧୀରେ ଧୀରେ କ୍ୟାଡ୍‌ର ସମ୍ପାଦକମାନେ ଅବସର ନେଇଗଲେ ଏବଂ ଯେଉଁ ଅଳ୍ପ କିଛି କ୍ୟାଡ୍‌ର ସମ୍ପାଦକ ଥିଲେ ଉପରିସ୍ଥ ବ୍ୟାଙ୍କଗୁଡ଼ିକର କର୍ମଚାରୀ ଅଭାବ କାରଣରୁ ସେମାନଙ୍କୁ ସେସବୁ ସ୍ଥାନରେ ସ୍ଥାନିତ କରାଯାଇଛି । ବାସ୍ତବରେ ବିଜେଡି ଶାସନରେ ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡିକ ଦୁର୍ନୀତିର ଗନ୍ତା ଘର ସାଜିଥିଲା ବୋଲି ରାଜ୍ୟ ମୁଖପାତ୍ର  ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶ କହିଛନ୍ତି ଯେ, ଆଜିର ଦିନରେ ଓଡ଼ିଶାରେ ପ୍ରତ୍ୟେକ ପଂଚାୟତରେ ସମବାୟ ସମିତି ଗଠନ ହୋଇପାରି ନାହିଁ । ରାଜ୍ୟରେ  ସମୁଦାୟ ୨୫୦୦ ପ୍ୟାକ୍ସ ଥିଲାବେଳେ ୨୧୦ଟି ଲ୍ୟାମ୍ପ୍ସ ରହିଛି । ପୂର୍ବ ସରକାର ନୂତନ ଭାବେ ୧୫୪୨ ସମିତି ଖୋଲିଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ହୋଇପାରିନାହିଁ । ବର୍ତମାନ ରାଜ୍ୟରେ ୬୭୯୪ ଗ୍ରାମ ପଂଚାୟତ ଥିଲାବେଳେ ଏବେ ବି ଆହୁରି ୨୫୪୨ ପଂଚାୟତରେ ସମବାୟ ସମିତି ଆବଶ୍ୟକ ରହିଛି । କିିନ୍ତୁ ପୂର୍ବ ସରକାର ତାହା କରିପାରି ନ ଥିଲେ । ରାଜ୍ୟରେ ବର୍ତମାନ ବିଜେପିର ନୂତନ ସରକାର ଏସବୁ ପଂଚାୟତରେ ସମବାୟ ସମିତି ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କ  ଦ୍ୱିତୀୟ ପାଳିରେ ସ୍ୱତନ୍ତ୍ର ସମବାୟ ବିଭାଗ ଗଠନ କରାଯାଇ ତାହାର ଦାୟିତ୍ୱ ଶ୍ରୀ ଅମିତ ଶାହାଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏହା ପରଠାରୁ ସମବାୟ ଚଳଚଂଚଳ ହୋଇଉଠିଛି । ପୂର୍ବରୁ ପ୍ରତ୍ୟେକ ସମବାୟ ସମିତିର କମ୍ପ୍ୟୁଟରିକରଣ ଓ ଡାଟାବେସ ପ୍ରସ୍ତୁତି କରିବା ପାଇଁ କେନ୍ଦ୍ର ସରକାର ପର୍ଯାପ୍ତ ଅର୍ଥ ପ୍ରଦାନ କରିଥିଲେ ମଧ୍ୟ ଓଡ଼ିଶାର ତତ୍କାଳୀନ ବିଜେଡି ସରକାରର ଅନାଗ୍ରହ କାରଣରୁ ଉକ୍ତ କାର୍ଯ୍ୟ ଆଗେଇ ପାରି ନ ଥିଲା ।

ଓଡ଼ିଶାର ସମବାୟ ସମିତିମାନେ କେବଳ କୃଷି ଋଣ ଓ ଧାନ କିଣା ବ୍ୟତୀତ ଅନ୍ୟ କିଛି କରୁ ନ ଥିଲେ । ଏବେ ମାନନୀୟ ଅମିତ ଶାହାଙ୍କ ନେତୃତ୍ୱରେ ସମବାୟ ସମିତିକୁ ନୂତନ ଦିଶା ଦିଆଯିବା ସଙ୍ଗେେଙ୍ଗେ ତାହାକୁ ବହୁମୁଖୀ ସୁବିଧାଯୁକ୍ତ ସମିତି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଥିପାଇଁ ପଂଚାୟତର ସମବାୟ ସମିତି ଗ୍ରାମ୍ୟ ଅର୍ଥନୀତି ଓ କୃଷକ ପ୍ରଗତିର ପ୍ରାଣକେନ୍ଦ୍ର ହେବାକୁ ଯାଉଛି ।

‘୨୦୪୭ ସୁଦ୍ଧା ବିକଶିତ ଭାରତ’ ଲକ୍ଷ୍ୟ ପୁରଣ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ କେନ୍ଦ୍ରରେ ଏବଂ “୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା” ଲକ୍ଷ୍ୟ ପୂରଣ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହି ଲକ୍ଷ୍ୟ ପୂରଣରେ ପଂଚାୟତସ୍ତରରେ ସମବାୟ ସମିତି ଏକ ବିଶେଷ ଭୂମିକା ନେବ । ଏହା ଗ୍ରାମାଂଚଳର ଅର୍ଥନୀତିକୁ ସୁଦୃଢ଼ କରିବ । ଏଥିପାଇଁ ଓଡିଶାରେ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧତା ସହ କାର୍ଯ୍ୟ ଆରମ୍ଭ କରିଛନ୍ତି । କେନ୍ଦ୍ରରେ ସମବାୟ ବିଭାଗର ଦାୟିତ୍ୱ ନେବା ପରେ ମାନନୀୟ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ “ସମବାୟରୁ ସମୃଦ୍ଧି” ଆହ୍ୱାନ ଗ୍ରାମ୍ୟ ଅର୍ଥନୀତି ଓ କୃଷକର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏଥିପାଇଁ ପ୍ରତେକ ପଂଚାୟତରେ ଗୋଟିଏ ଲେଖାଏଁ ସମବାୟ ସମିତି ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ଦାଶ କହିଛନ୍ତି ।

କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିବା ଦିନରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଲଗାତାର ବୃଦ୍ଧି ହୋଇ କୁଇଂଟାଲ ପ୍ରତି ୨୩୦୦ ଟଙ୍କାରେ ପହଁଚିଛି । ଏବେ ଶ୍ରୀ ମୋହନ ମାଝିଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଓଡ଼ିଶାର ଚାଷୀଙ୍କଠାରୁ ଧାନ କ୍ୱିଂଟାଲ ପିଛା ୩୧୦୦ଟଙ୍କାରେ କିଣିବାର ଐତିହାସିକ ଘୋଷଣା କରିଛନ୍ତି ।

ବିଜେପି ସରକାରରେ ଧାନ କିଣାରେ ଅନ୍‌ଲାଇନ ପଞ୍ଜୀକରଣ ଓ ମଣ୍ଡି ବ୍ୟବସ୍ଥାରେ ବ୍ୟାପକ ସୁଧାର ଅଣାଯିବ । ଯେଉଁ ନନ୍‌କ୍ୟାଡର ସମ୍ପାଦକ ଓ ଡିଇଓମାନେ ଏହି ପଞ୍ଜୀକରଣ କରିବେ, ସେମାନେ ପ୍ରଥମେ ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀ, ଭାଗ ଚାଷୀଙ୍କ ନାମ ପଞ୍ଜୀକରଣ କରିବା ପରେ ବଡ଼ ଚାଷୀମାନଙ୍କୁ ଗୁରୁତ୍ୱ ଦେବେ ବୋଲି ସରକାର ତାଗିଦ କରିଛନ୍ତି । ମାତ୍ର  ବିଗତ ଦିନରେ ବିଜେଡି ସରକାର ଏଥିପ୍ରତି ଗୁରୁତ୍ୱ ନ ଦେଇ ନାନା ଅସାଧୁ ଉପାୟରେ ଚାଷୀଙ୍କୁ ଶୋଷଣ କରି ବ୍ୟାପକ ଦୁର୍ନୀତି କରୁଥିଲେ । ଏବେ ବିଜେପି ସରକାରରେ ଏସବୁର ବ୍ୟାପକ ସଦୁପଯୋଗ କରାଯିବା ସହ ସମବାୟ ମାଧ୍ୟମରେ କୃଷକଙ୍କୁ ସଶକ୍ତ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ, ସମବାୟ ସେଲ୍‌ର ରାଜ୍ୟ ସଂଯୋଜକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପବିତ୍ର ମୋହନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here