By Our Correspondent
BERHAMPUR/BHUBANESWAR: କଥାରେ ଅଛି ଅଙ୍ଗୁର ନ ଖାଇ ପାରିଲେ ଖଟା । ବିଜେଡି ଜିତୁଥିବା ବେଳେ ଇଭିଏମ ଠିକ୍ ଆଉ ଏବେ ହାରିବା ପରେ ଭୁଲ । ଏଇଟା ହତାସର ଭାବନା, ନିର୍ବାଚନରେ ହାର ଜିତ୍ ଥାଏ ବୋଲି ଇଭିଏମ ନୁହେଁ ବାଲେଟ ପେପର ସମର୍ଥନରେ ବାହାରିଥିବା ବିଜେଡି ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗଣମାଧ୍ୟର ଏ ସମ୍ପର୍କୀତ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଗଣତନ୍ତ୍ରକୁ ୭୫ ବର୍ଷ ହେଇଗଲା, ସବୁ ବେଳେ କଣ ସମସ୍ତେ ଜିତିବେ । ସେପରି ହେଲେ ତ ରାଜା ରାଜୁଡ଼ା ଶାସନ ଚାଲିବ । ଏକଛତ୍ରବାଦ ଶାସନ କାରଣରୁ ଲୋକେ ଏଥରେ ହରେଇଲେ । ହାରିଥିବା କାରଣରୁ ବିଜେଡି ଦୁଃଖରେ ଅଛି, ସେ ଦୁଃଖରୁ ବାହାରିବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରି ଗଞ୍ଜାମର ଅଧିବାସୀମାନେ ଭୋଟ୍ ଦେଇଥିବାରୁ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପିର ସରକାର ହୋଇଛି ।
ସେହିପରି ଗଞ୍ଜାମର ଗାଙ୍ଗପୁର ଠାରେ ଆୟୋଜିତ ‘କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଗଞ୍ଜାମ ଜିଲ୍ଲା ହେଉଛି କୁଶଳୀ ଭୂମି । ଏଠାରୁ ଅନେକ ପରିଶ୍ରମୀ ଯୁବକ ଯୁବତୀମାନେ ବାହାରୁ ଯାଇ ଅନ୍ୟ ରାଜ୍ୟ ତଥା ଦେଶର ଅର୍ଥନୀତି ମଜଭୂତ୍ କରୁଛନ୍ତି । ଗଞ୍ଜାମ ହେଉଛି ଚଷାଚାଷୀର ଅଞ୍ଚଳ । ଏହି ଅଞ୍ଚଳର ବିକାଶ ତେବେ ସମ୍ଭବ ହେବ ଯେବେ ଏଠାକାର ଚାଷ ଏବଂ ଉଦ୍ୟମିତା ବ୍ୟାପକ ହେବ । କୁଶଳୀ ଯୁବକ ଯୁବତୀମାନଙ୍କ ପାଇଁ ଆଞ୍ଚଳିକ ସ୍ତରରେ ରୋଜଗାରର ସୁଯୋଗ ସୃଷ୍ଟି ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଓଡ଼ିଶା ସରକାରଙ୍କ ନେତୃତ୍ୱରେ ଅନେକ ଗୁଡିଏ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଜେପି ସରକାରର ସୁଭଦ୍ରା ଯୋଜନା ଓ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ହେବା ଦ୍ୱାରା ଗଞ୍ଜାମ ଜିଲ୍ଲା ବିଶେଷତଃ ଲାଭବାନ ହୋଇଥିବା ବେଳେ ଏହି ଜିଲ୍ଲାର ଚାଷ ଓ ଶିଳ୍ପ ଆଧାରିତ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ । ଗଞ୍ଜାମ ବିକଶିତ ହେଲେ ଓଡ଼ିଶା ବିକଶିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।