ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ନୂଆ ଲାଇନ ଓ ସରଡେଗା- ଭାଲୁମୁଣ୍ଡା ନୂଆ ଡବଲଲାଇନର କ୍ୟାବିନେଟ୍ ମଞ୍ଜୁର ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ, ଧର୍ମେନ୍ଦ୍ର ପ୍ରଧାନ

0
62

By Our Correspondent

NEW DELHI/BHUBANESWAR:    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁର ହୋଇଥିବା ଓଡ଼ିଶାର ରେଳ ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରକଳ୍ପ ତଥା ବିଭିନ୍ନ  ପଦକ୍ଷେପକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ମୋଦୀ ସରକାରରେ ପୂର୍ବୋଦୟରୁ ଭାରତର ନୂଆ ସୂର୍ଯ୍ୟୋଦୟ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନିଆଯାଉଛି । ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼କୁ ଯୋଡୁଥିବା ପ୍ରାୟ ୬,୪୫୬ କୋଟି ଟଙ୍କା ମୂଲ୍ୟର ୩ଟି ନୂତନ ରେଳ ପ୍ରକଳ୍ପକୁ ମଞ୍ଜୁରି ମିଳିଛି ।

ସେଥିମଧ୍ୟରୁ ବିଶେଷ ଭାବରେ ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ନୂଆ ଲାଇନ ଓ ସରଡେଗା- ଭାଲୁମୁଣ୍ଡା ନୂଆ ଡବଲଲାଇନ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିବା ଖୁସିର ବିଷୟ । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼ ସମେତ ଆଖପାଖ ଅଞ୍ଚଳର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ ।

ମଞ୍ଜୁର ହୋଇଥିବା ନୂଆ ରେଳ ଲାଇନ ଯାତ୍ରୀସେବା, ପରିବହନ ଓ ବାଣିଜ୍ୟିକ ବ୍ୟବସାୟକୁ ଅଧିକ ସୁଗମ କରିବ । ଓଡ଼ିଶାରେ ପର୍ଯ୍ୟଟନକୁ ଅଧିକ ଗତି ମିଳିବ । ସମ୍ବଲପୁରୀ ବୟନ ଓ ହସ୍ତଶିଳ୍ପର ଚାହିଦା ବଢିବା ସହ ସ୍ଥାନୀୟ ଅର୍ଥନୀତି ଅଧିକ ମଜଭୂତ୍ ହେବ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ୬ଟି ସହର ସମେତ ୨୩୪ଟି ସହରରେ ୭୩୦ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହି ନିଷ୍ପତି ରେଡିଓ ନେଟଓ୍ୱାର୍କ ବିସ୍ତାର କରିବ । ଦୁର୍ଗମ ଅଂଚଳରେ ଜରୁରୀ ସୂଚନା ଉପଲବ୍ଧ କରାଇବ । ଆମର ସମୃଦ୍ଧ ଭାଷାଗତ ବିବିଧତାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ । ସ୍ଥାନୀୟ କଳାକାରମାନଙ୍କୁ ଏକ ଭଲ ପ୍ଲାଟଫର୍ମ ପ୍ରଦାନ କରିବା ସହ ଗଣମାଧ୍ୟମ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି କରିବ ।

ଭାରତୀୟ ଭାଷାରେ ଗୁଣାତ୍ମକ ଶିକ୍ଷା ଓ ବିଷୟବସ୍ତୁକୁ ଦେଶର ଦୁର୍ଗମ ଓ ଦୁର୍ଗମ ଅଞ୍ଚଳରେ ପହଞ୍ଚାଇବା ସହ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ଦିଗରେ ଏହା ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାବ୍ୟତିତ ସମଗ୍ର ଭାରତରେ ୧୨ଟି ବିଶ୍ୱମାନର ଶିଳ୍ପ ସ୍ମାର୍ଟ ସିଟି ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ଅନୁମୋଦନ ଆମର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ଉତ୍ପାଦନ ଏବଂ ରପ୍ତାନିକୁ ପ୍ରୋତ୍ସାହିତ କରିବା ସହ ବୃହତ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଏକ ବଡ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here