By Our Correspondent
BHUBANESWAR: ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ବିଦ୍ୟାଳୟ ଅବିଳମ୍ବେ ଖୋଲିବା, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଆବଶ୍ୟକୀୟ ଶିକ୍ଷକ, ଅଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀ ତୁରନ୍ତ ସ୍ଥାୟୀ ଭିତ୍ତିରେ ପୂରଣ କରିବା, ଅବିଳମ୍ବେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନର ତାରିଖ ଘୋଷଣା କରିବା, ଛାତ୍ରଛାତ୍ରୀଙ୍କୁ ସମସ୍ତ ବସ୍ରେ ଫ୍ରି ବସ୍ ପାସ୍ ଯୋଗାଇଦେବା, ୟୁଜିସି ଚିଠା ନିୟାମକ -୨୦୨୫ ତୁରନ୍ତ ବାତିଲ କରିବା, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି -୨୦୨୦ ତୁରନ୍ତ ବାତିଲ କରିବା, ପ୍ରଥମ ଶ୍ରେଣୀରୁ ପାସ୍ – ଫେଲ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା, ଶିକ୍ଷାର ଘରୋଇକରଣ ଏବଂ ବ୍ୟବସାୟୀକରଣ ବନ୍ଦ କରିବା, ଛାତ୍ରଛାତ୍ରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା, ଅଶ୍ଳୀଳତା, ଅପସଂସ୍କୃତି ଓ ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ପ୍ରଭୃତି ୧୦ ଦଫା ଦାବିକୁ ନେଇ ଆଜି ଏଆଇଡିଏସଓ ପକ୍ଷରୁ ଲୋହିଆ ଏକାଡେମୀ ଠାରେ ଏକ ରାଜ୍ୟସ୍ତରୀୟ ଶିକ୍ଷା କନ୍ଭେନ୍ସନ୍ ଅନୁଷ୍ଠିତ ହୋଇଯାଇଛି ।
ଏହି ଶିକ୍ଷା କନ୍ଭେନ୍ସନ୍ରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ଶତାଧିକ ଛାତ୍ର, ଶିକ୍ଷକ, ଅଭିଭାବକ ପ୍ରମୂଖ ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ଏଆଇଡିଏସଓ ରାଜ୍ୟ ସଭାପତି ସୋମନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିକ୍ଷା କନ୍ଭେନ୍ସନ୍ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ବିରେନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ଏଆଇଡିଏସଓ କେନ୍ଦ୍ରୀୟ ପରିଷଦ କୋଷାଧ୍ୟକ୍ଷ ସାମସୁଲ ଆଲାମ, ଅନ୍ୟତମ ବକ୍ତା ଭାବେ ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ କମିଟିର ରାଜ୍ୟ ସମ୍ପାଦକ ସୁବାସ ନାୟକ ବକ୍ତବ୍ୟ ରଖିଥିଲେ ।
ବକ୍ତାମାନେ ଜାତୀୟ ଶିକ୍ଷା ନୀତି-୨୦୨୦ ର ଶିକ୍ଷା ଧ୍ୱଂସାତ୍ମକ ଦିଗଗୁଡିକ ସମ୍ପର୍କରେ ଆଲୋଚନା କରିବା ସହ ଶିକ୍ଷା-ସଂସ୍କୃତି-ମାନବତାର ସୁରକ୍ଷା ନିମନ୍ତେ ସମସ୍ତ ଶିକ୍ଷା ପ୍ରେମୀ ଜନଗଣ ଅଗ୍ରସର ହେବାକୁ ଆବେଦନ କରିଥିଲେ । କନ୍ଭେନ୍ସନ୍ର ଦାବି ସମୂହକୁ ନେଇ ଆଗାମୀ କାର୍ଯ୍ୟକ୍ରମ ଭାବେ ରାଜ୍ୟରେ ଦଶ ଲକ୍ଷ ଦସ୍ତଖତ ସଂଗ୍ରହ ଅଭିଯାନ ସହ ଆଗାମୀ ଜୁଲାଇ ୨୩ ରେ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭର ଘୋଷଣା କରି ଏହାକୁ ସଫଳ କରିବାକୁ ଏଆଇଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ ଆହ୍ୱାନ ଦେଇଥିଲେ ।
ଶିକ୍ଷା କନ୍ଭେନ୍ସନ୍ରେ ପ୍ରାରମ୍ଭିକ ସୂଚନା ଏଆଇଡିଏସଓ କାର୍ଯ୍ୟାଳୟ ସମ୍ପାଦକ ନସିମ ସରକାର ପ୍ରଦାନ କରିଥିଲା ବେଳେ, ରାଜ୍ୟ ଉପ-ସଭାପତି ନିରୁପମା ବେହେରା ଭିତ୍ତିପତ୍ର ପାଠ କରିଥିଲେ ଓ ଏହାର ସମର୍ଥନରେ ରାଜ୍ୟ ଉପ-ସଭାପତି ଭାଗ୍ୟରବି ଦାସଙ୍କ ସମେତ ୨୪ଜଣ ପ୍ରତିନିଧି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଆଇଡିଏସଓ ରାଜ୍ୟ କୋଷାଧ୍ୟକ୍ଷା ସପ୍ତର୍ଶିନୀ ରାଉଳଙ୍କ ଧନ୍ୟବାଦ ଅର୍ପଣ ସହ କନ୍ଭେନ୍ସନ୍ର କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

























