ଫ୍ରାନ୍ସର ଲିଓନ୍ଠାରେ ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ସ୍କିଲ୍ଡ୍ ଇନ୍ ଓଡିଶାର ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଭାରତର ୬୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଓଡିଶାର ୧୫ଜଣ

0
124

By Our Correspondent

BHUBANESWAR:  ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରୁ ଫ୍ରାନ୍‌ସର ଲିଓନ୍‌ଠାରେ ଅନୁଷ୍ଠିତ ହେଉଥିବା  ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବାକୁ  ଯାଉଥିବା ସ୍କିଲ୍‌ଡ୍ ଇନ୍ ଓଡିଶାର ପ୍ରତିଯୋଗୀମାନଙ୍କ ସହିତ ଆଭାସୀ ଜରିଆରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରତିଯୋଗୀମାନଙ୍କ ସହ କଥା ହୋଇ କହିଥିଲେ ଯେ, ସାଧାରଣ ପରିବାରରୁ ଆସିଥିଲେ ମଧ୍ୟ ଏହା ତୁମ ପ୍ରତିଭାର ପରିସ୍ପୁଟନ ପାଇଁ ଏକ ସୁଯୋଗ। ‘ସ୍କିଲ୍‌ଡ୍ ଇନ୍ ଓଡିଶା’ କାର୍ଯ୍ୟକ୍ରମ ହେଉଛି ଏକ ପ୍ରେରଣା, ଯାହା ଆମ ଯୁବବର୍ଗଙ୍କୁ ସଶକ୍ତ କରୁଛି ଏବଂ ନୂତନ ସୁଯୋଗର ଦ୍ୱାର ଖୋଲି ବିଶ୍ୱ ମାନଚିତ୍ରରେ ସ୍ଥାନିତ କରୁଛି।

ଭାରତର ୬୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ତନ୍ମଧ୍ୟରୁ ଓଡିଶାର ୧୫ଜଣ ମନୋନୀତ ହେବା ଆମ ସମସ୍ତଙ୍କ ପାଇଁ ଖୁସିର କଥା। ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଆପଣମାନେ ପ୍ରତିନିଧିତ୍ୱ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପାର୍ଥନା କରୁଛି, ଆପଣମାନେ ସମସ୍ତେ ବିଶ୍ୱକୁ ଚମତ୍କୃତ କରି ସେଠାରୁ ମେଡାଲ୍ ନେଇ ଆସନ୍ତୁ । ଆପଣମାନଙ୍କ ସଫଳତା ସିଧାସଳଖ ଭାବେ ବିକଶିତ ଓଡିଶାକୁ ପ୍ରତିଫଳିତ କରିବ ବୋଲି ସେ କହିଥିଲେ।

ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଭାରତର ୬୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଏକ-ଚତୁର୍ଥାଂଶ ଓଡିଶାରୁ ହେବା ଆମ ପାଇଁ ସୌଭାଗ୍ୟର ବିଷୟ।  ବିଭିନ୍ନ ଟ୍ରେଡ୍‌ରୁ ଆପଣମାନେ ଯାଉଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ  ଆଶା କରୁଛୁ, ଆପଣମାନେ ସେଠାରେ ଭଲ ପ୍ରଦର୍ଶନ କରିବେ ବୋଲି ସେ କହିଥିଲେ।

ଏହି ୧୫ ଜଣିଆ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରୀ ବରୁଣ ସାହୁ, ଶ୍ରୀ ରାଜେନ୍ଦ୍ର ବିନ୍ଧାଣୀ, କାମିନୀ କୁମାରୀ ରାମ, ଦିଶା ଦର୍ଶିନୀ ଏବଂ ଅମରେଶ ସାହୁଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍ ରାଜପୁତ୍ ଏବଂ ନିର୍ଦ୍ଦେଶକ ଶ୍ରୀମତୀ ରଶ୍ମିତା ପଣ୍ଡା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here