ପୂର୍ବୋଦୟ ମିଶନରେ ଓଡ଼ିଶାର ରେଳବାଇ ବିକାଶକୁ ବଡ଼ ଗତି ମିଳିବ – ଧର୍ମେନ୍ଦ୍ର ପ୍ରଧାନ

0
333

By Our Correspondent

BHUBANESWAR:   ମୋଦୀ ସରକାରଙ୍କ ତୃତୀୟ ପାଳିରେ ଆର୍ଥିକ ବର୍ଷ ୨୦୨୫-୨୬ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କା ରେକର୍ଡସଂଖ୍ୟକ ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିକଶିତ ଭାରତ ବଜେଟରେ ଓଡ଼ିଶାକୁ ଅଗ୍ରାଧିକାର ଦେଇ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ମୋଦୀ ସରକାର ଗୁରୁତ୍ୱ ଦେଇଛନ୍ତି । ପୂର୍ବ କଂଗ୍ରେସ ସରକାର ଶେଷ ୫ ବର୍ଷରେ ହାରାହାରି ରାଜ୍ୟକୁ ବାର୍ଷିକ ୮୩୮ କୋଟି ଟଙ୍କା ଅନୁଦାନ ମିଳୁଥିଲା ।

ମାତ୍ର ମୋଦୀ ସରକାରରେ ଚଳିତ ରେଳ ବଜେଟରେ ଓଡ଼ିଶାର ରେଳ କ୍ଷେତ୍ର ପାଇଁ ଯେଉଁ ଅନୁଦାନ ମିଳିଛି, ତାହା କଂଗ୍ରେସ ସରକାର ତୁଳନାରେ ହାରାହାରି ପ୍ରାୟ ୧୨.୫ ଗୁଣା ବୃଦ୍ଧି ଘଟିଛି । ପୂର୍ବୋଦୟ ମିଶନରେ ଏହି ରେକର୍ଡସଂଖ୍ୟକ ରେଳ ଅନୁଦାନ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଯାତ୍ରୀ ସୁବିଧାକୁ ଅଧିକ ସୁଗମ କରିବ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ମୋଦୀ ସରକାର ଆସିବା ପରେ ୨,୦୪୬ କିମି ନୂଆ ରେଳ ଲାଇନ ତିଆରି ହୋଇଛି, ଯାହା ମ୍ୟାଲେସିଆର ରେଳ ନେଟଓ୍ୱାର୍କରୁ ଅଧିକ । ଓଡ଼ିଶାରେ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ ହୋଇଥିବା ବେଳେ ୭୩,୭୨୩ କୋଟି ଟଙ୍କା ବ୍ୟୟରେ ୪,୭୮୪ କିମିର ୪୮ଟି ପ୍ରକଳ୍ପର କାମ ଚାଲୁରହିଛି । ସେହିପରି ୨୩୭୯ କୋଟି ଟଙ୍କା ବ୍ୟୟରେ ୫୯ଟି ଅମୃତ ଷ୍ଟେସନର ବିକାଶ ହେଉଛି ।

ଓଡ଼ିଶାରେ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁରହିଛି, ଯାହା ଦ୍ୱାରା ୧୭ଟି ଜିଲ୍ଲାର ଲୋକମାନେ ଉପକୃତ ପାଉଛନ୍ତି । ସେହିପରି ଗୋଟିଏ ଅମୃତ ଭାରତ ଏକ୍ସପ୍ରେସ ଓ ଅନ୍ୟାନ୍ୟ ସୁବିଧା ରେଳ ଯାତ୍ରୀଙ୍କ ଯାତାୟତକୁ ସହଜ କରିଛି ।

ରେଳ ଯାତ୍ରୀଙ୍କ ସୁରକ୍ଷା ଏବଂ ଟ୍ରେନ ଦୁର୍ଘଟଣାକୁ ରୋକିବା ପାଇଁ ଓଡିଶାରେ ୧,୮୯୮ ଟ୍ରାକରେ କବଚ ଲାଗିସାରିଛି । ଏହି ରେକର୍ଡସଂଖ୍ୟକ ରେଳ ଅନୁଦାନ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଯାତ୍ରୀ ସୁବିଧାକୁ ସହଜ କରିବ ।

ସେହିପରି ୩୪୮ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଷ୍ଟେସନ,  ୩୦୮ କୋଟି ବ୍ୟୟରେ ଭୁବନେଶ୍ୱର, ୩୦୩ କୋଟି ବ୍ୟୟରେ କଟକ, ୧୬୨ କୋଟି ବ୍ୟୟରେ ପୁରୀ, ୧୯୭ କୋଟି ବ୍ୟୟରେ ବାଲେଶ୍ୱର, ୪୧ କୋଟି ବ୍ୟୟରେ ରାୟଗଡ଼ା ଏବଂ ୪୩ କୋଟି ବ୍ୟୟରେ ଭଦ୍ରକ ରେଳ ଷ୍ଟେସନର ପୁନଃବିକାଶ ହେଉଛି । ଏହି ସବୁ ଦ୍ୱାରା ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବା ସହ ଓଡ଼ିଶାର ସାମାଜିକ, ଆର୍ଥିକ ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଗତି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here