By Our Correspondent
PURI/BHUBANESWAR: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା ଜମି ବେଆଇନ୍ ଭାବରେ ଜବରଦଖଲ କରି ପ୍ଲଟିଂ କରି ବିକ୍ରି ପାଇଁ ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି l ଏନେଇ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭାରପଡା ଥାନାରେ ଏତଲା ଦାଖଲ କରାଯାଇଛି l ଏହି ଅଭିଯୋଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ନଜରକୁ ଆସିବା ପରେ ସେ ଏନେଇ ପ୍ରାଥମିକ ତଦନ୍ତ କରିବାକୁ ଉନ୍ନୟନ ପ୍ରଶାସକ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘଟଣା ସମ୍ପର୍କରେ ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।
(ଜମି ବିବରଣୀ – ମୌଜା- ତାଳବଣିଆ, ଖାତା ନ.- 791, ପ୍ଲଟ ନଂ- 827,824,821,823, 825, 821/1816)
ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମହାପ୍ରଭୁଙ୍କ ନାମରେ ଥିବା ଜମିକୁ ବେଆଇନ୍ ଭାବେ ହାତେଇବାକୁ ହେଉଥିବା କୌଣସି ଉଦ୍ୟମକୁ କଦାପି ବରଦାସ୍ତ କରାଯିବ ନାହିଁ l ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ପୂର୍ବରୁ ମାଟିତୋଟା ଅଞ୍ଚଳରେ ହୋଇଥିବା ଏଭଳି ଜମି ଚଞ୍ଚକତା ଉଦ୍ୟମ ବିରୋଧରେ ବାସେଳିସାହି ଥାନାରେ ଏତଲା ହୋଇଥିବା ବେଳେ ପୁରୀ ପୁଲିସ ମଧ୍ୟ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛନ୍ତି l
ତେଣୁ ପୁଣିଥରେ ଜନସାଧାରଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଯାଉଅଛି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ଏଭଳି ବେଆଇନ୍ ହସ୍ତାନ୍ତର ସମ୍ପୂର୍ଣ୍ଣ ଭାବେ ଅବୈଧ l ଏହା ଦ୍ଵାରା ସଂପୃକ୍ତ ବ୍ଯକ୍ତି ନିଜେ ଠକେଇ ଶିକାର ହେବା ସହ ଆଇନ ଅନୁଯାୟୀ ଦଣ୍ଡନୀୟ ମଧ୍ୟ ହେବେ l
ତେଣୁ ଏଭଳି ବେଆଇନ ହସ୍ତାନ୍ତରରୁ ବ୍ଯକ୍ତି କିମ୍ବା ଅନୁଷ୍ଠାନ କ୍ଷାନ୍ତ ରହିବା ଜରୁରୀ l ଜମିଜମା କ୍ରୟ ସମୟରେ ଆବଶ୍ୟକ ଅନୁଭବ କଲେ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଯାଂଚ ପାଇଁ ଯୋଗାଯୋଗ କରିପାରିବେ l ମହାପ୍ରଭୁଙ୍କ ଜମିଜମା ସୁରକ୍ଷା ପାଇଁ ଆଗାମୀ ଦିନରେ ସମସ୍ତ ରେକର୍ଡର କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି l ସମସ୍ତ ଯାଂଚ ତଥା ଆବେଦନ ପ୍ରକ୍ରିୟା ଖୁବ୍ ଶୀଘ୍ର ଅନଲାଇନ୍ ହେବାକୁ ଯାଉଛି l