ପଳାଶୁଣିସ୍ଥିତ ନବ ନିର୍ମିତ ସମନ୍ୱିତ ବର୍ଜ୍ୟ ପରିଚାଳନା କେନ୍ଦ୍ର- ଘଟଣାର ତଦନ୍ତ କରାଯିବା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏତଲା ଦିଆଯାଇଅଛି-ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ

0
455
Rajesh Prabhakar Patil joined on Saturday as the new BMC Commissioner

By Our Correspondent

BHUBANESWAR:  ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଂଚଳରେ ଗୋଷ୍ଠୀ ସହଯୋଗରେ ପରିମଳ ପରିଚାଳନାର ପୂର୍ଣ୍ଣ ବିକାଶ ପାଇଁ କାର୍ଯ୍ୟମାନ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ମୁଷ୍ଟିମେୟ ବ୍ୟକ୍ତି ଏଥିରେ ବାଧା ସୃଷ୍ଟି କରୁଛନ୍ତି ।

ଫଳରେ ଜନସାଧାରଣଙ୍କୁ ସେବା ପହଞ୍ଚାଇବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ନିର୍ଦେଶ କ୍ରମେ ପଳାଶୁଣିସ୍ଥିତ ନବ ନିର୍ମିତ ସମନ୍ୱିତ ବର୍ଜ୍ୟ ପରିଚାଳନା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଆସୁଥିବା ବେଳେ ଏଠାରେ ଗତ କାଲି (ତା 25-05-2025ରିଖ) ସକାଳ 8 ସମୟରେ ଭୁବନେଶ୍ୱର ଉନ୍ନୟନ ପରିଷଦର ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ କିଛି ଅଜଣା ବ୍ୟକ୍ତି ବେଆଇନ ଭାବେ ଜୋର ଜବରଦସ୍ତ ଅନୁପ୍ରବେଶ କରି ହିଂସାତ୍ମକ କାର୍ଯ୍ୟକଳାପ ପ୍ରଦର୍ଶନ କରିଛନ୍ତି ।

ଫଳରେ ଉକ୍ତ କେନ୍ଦ୍ରରେ କିଛି ସମୟ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୁରକ୍ଷିତ ସରକାରୀ ପ୍ରକଳ୍ପ ମଧ୍ୟରେ ବିନା ଅନୁମତିରେ ପ୍ରବେଶ ପୂର୍ବକ ସେଠାରେ ଚାଲୁ ରହିଥିବା କାର୍ଯ୍ୟକୁ ବାଧା ପହଞ୍ଚାଇବା ସହିତ ସର୍ବସାଧାରଣଙ୍କ ମୂଲ୍ୟବାନ ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି କରିଥିଲେ । ତେବେ ଏହି ସବୁ କାର୍ଯ୍ୟକଳାପ ଭାରତୀୟ ନ୍ୟାୟ ସଂହିତାର ବ୍ୟାପକ ଉଲ୍ଲଘଂନ କରିଅଛି । ଯାହାକି ବେଆଇନ ଏବଂ ବେନିୟମ ସମାଗମ, ବିନାଅନୁମତିରେ ପ୍ରବେଶ, ଏହି ଭିତ୍ତିଭୂମିରେ କାର୍ଯ୍ୟରତ ଭୁବନେଶ୍ୱର ମହାନଗର ନିଗମ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ସର୍ବସାଧାରଣଙ୍କ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇବା ପାଇଁ ସେମାନେ ଧମକପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି ।

ଘଟଣା ସମୟର ଭିଡିଓ ଚିତ୍ର ଓ ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟରେ ପ୍ରକାଶ ପାଇଥିବା ଖବରର ନକଲ ପୋଲିସ ପ୍ରଶାସନକୁ ପ୍ରଦାନ କରାଯାଇଅଛି । ଏହି ଘଟଣାର ତଦନ୍ତ କରାଯିବା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏତଲା ଦିଆଯାଇଅଛି । କାର୍ଯ୍ୟରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ଏବଂ ସର୍ବସାଧାରଣଙ୍କର ଏହି ସଂପତ୍ତି ସୁରକ୍ଷିତ ରହିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏତଲାରେ କୁହାଯାଇଛି ।

ମାନ୍ୟବର ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦେଶ କ୍ରମେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ 2016ର ଅନୁସରଣ ପୂର୍ବକ କାର୍ଯ୍ୟ କରିବାକୁ କୁହାଯାଇଥିଲା । ଏହା ସହିତ ଚାଲୁ ରହିଥିବା ଡମ୍ପିଂ ସାଇଟରୁ ଲିଗାସି ବର୍ଜ୍ୟର ବାୟୋ ମାଇନିଂ ଜରିଆରେ ପୁନଃଉଦ୍ଧାର ଓ ପ୍ରକ୍ରିୟାକରଣ କରିବାକୁ କୁହାଯାଇଥିଲା । ଏହାକୁ ଭିତ୍ତିକରି ଭୁବନେଶ୍ୱର ମହାଗନର ନିଗମ ଦାରୁଠେଙ୍ଗ ଡମ୍ପିଂୟାର୍ଡଠାରେ ବାୟୋ ମାଇନିଂ କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ଆଗ ବର୍ଜ୍ୟ ପକାଇବା ବନ୍ଦ କରିବା ପରେ ବାୟୋ ମାଇନିଂ କାର୍ଯ୍ୟ କରିବାକୁ ସଂପୃକ୍ତ ଗ୍ରାମବାସୀ ଦାବି କରିଥିଲେ । ଏହି କାରଣରୁ 17 ମେ 2023ରେ ଭୁଆଶୁଣିଠାରେ ବର୍ଜ୍ୟ ପକାଇବା ବନ୍ଦ କରାଯାଇଥିଲା ଏବଂ ପରେ ପରେ 15 ଅକ୍ଟୋବର 2023ରେ ବାୟୋ ମାଇନିଂ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଦ୍ୟାବଧି ସେଠାରେ 10 ଏକର ପରିମିତ ସ୍ଥାନର ପୁନଃଉଦ୍ଧାର ହୋଇ 25 ପ୍ରତିଶତ ବର୍ଜ୍ୟର ପ୍ରକ୍ରିୟାକରଣ ହୋଇସାରିଛି ।

ପ୍ରଚଳିତ ବିଧିବ୍ୟବସ୍ଥା ଅନୁଯାୟୀ ଆଉ କୌଣସିଠାରେ ଡମ୍ପିଂ ଗ୍ରାଉଣ୍ଡ କରାଯାଇ ପାରିବ ନାହିଁ । ତେଣୁ ଟିଟିଏସକୁ ବର୍ଜ୍ୟ ସଂଗ୍ରହ, ବର୍ଜ୍ୟ ପ୍ରକ୍ରିୟାକରଣ ଏବଂ ପ୍ରକ୍ରିୟାକୃତ ବର୍ଜ୍ୟର ସ୍ଥାନାନ୍ତରସ୍ଥଳ ଭାବେ ବ୍ୟବହାର କରାଯାଉଛି । ସେଥିପାଇଁ ଏଠାରେ ଓ୍ୱେ ବ୍ରିଜ୍, ପ୍ରକ୍ରିୟାକରଣ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ଆଧୁନିକ ଉଇଁଣ୍ଡ୍ରୋସ୍ ମେସିନ ଇତ୍ୟାଦି କାର୍ଯ୍ୟକରୁଅଛି । ଏହା ସାଙ୍ଗକୁ ମାନ୍ୟବର ଏନଜିଟଙ୍କ ନିର୍ଦେଶ କ୍ରମେ ଭୁଆଶୁଣୀଠାରେ ବାୟୋ ମାଇନିଂ ମଧ୍ୟ ଚାଲୁ ରହିଛି । ଅପରପକ୍ଷେ ଟିଟିଏସଠାରେ ଜୈବିକ ଦୁର୍ଗନ୍ଧ ନିୟନ୍ତ୍ରଣ ପାଇଁ ରାସାୟନିକ ଘୋଳ ଓ ପାଉଡର ସିଚନ, ସ୍ୱଚ୍ଛ ବାୟୁ ନିମନ୍ତେ ପାଣି ସିଚନ କରି କୁହୁଡି ବର୍ଷା, ସବୁଜ ବଳୟ ସୃଷ୍ଟି ପାଇଁ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ଚାଲୁ ରହିଛି ।

ଭୁବନେଶ୍ୱର ମହାନଗର  ନିଗମ 67 ଗୋଟି  ୱାର୍ଡରୁ  ସାମୁଦାୟିକ ଭାବେ ଦୈନିକ 800 ମେଟ୍ରିକ ଟନ୍ ବର୍ଜ୍ୟ  ବାହାରୁଛି l ଏଥିରୁ ପ୍ରାୟ 194 ମେଟ୍ରିକ ଟନ୍ ଓଦା ବର୍ଜ୍ୟ ବିଏମ୍ ସି ଅଂଚଳରେ ଥିବା 37ଗୋଟି ଏମ୍ ସିସିରେ ଏବଂ 120 ମେଟ୍ରିକ ଟନ୍ ଶୁଖିଲା ବର୍ଜ୍ୟବସ୍ତୁ 22 ଟି ଏମ୍ଆରଏଫରେ ପ୍ରକ୍ରିୟାକରଣ ହେଉଅଛି । ସମୁଦାୟ ବର୍ଜ୍ୟରୁ ନିର୍ଗତ 146 ଟନ୍ ଆରଡିଏଫ୍ ବିଭିନ୍ନ ସିମେଣ୍ଟ କାରଖାନାକୁ ଯାଉଥିବା ବେଳେ ଟିଟିଏସଠାରେ 340 ମେଟ୍ରିକ୍ ଟନର ପ୍ରକ୍ରିୟାକରଣ ହୋଇଥାଏ ।

ମାନ୍ୟବର ଏନଜିଟିଙ୍କ ନିର୍ଦେଶ କ୍ରମେ ବିଏମ୍ ସି ନିଜସ୍ୱ ଅଂଚଳରେ ଦୀର୍ଘସ୍ଥାୟୀ ସମନ୍ୱିତ ବର୍ଜ୍ୟ ପରିଚାଳନା ନିୟମକୁ ଆଧାର କରି ବିବିଧ କାର୍ଯ୍ୟକରୁଅଛି ।

ନିକଟରେ 200 ଟିପିଡି  କମ୍ପ୍ରେସଡ୍ ବାୟୋ ଗ୍ୟାସ ପ୍ଲାଣ୍ଟ ହେବା ପାଇଁ  ଅଏ ଲ୍ ଇଣ୍ଡିଆ ଲିମିଟେଡ ସହିତ ଚୁକ୍ତି  ସ୍ୱାକ୍ଷରିତ ହୋଇଛି l ଏହା ମେହେର ପଲ୍ଲୀଠାରେ ଆସନ୍ତା  1.5 ବର୍ଷ  ମଧ୍ୟରେ କାର୍ଯ୍ୟକ୍ଷମ ହେବ l

ଦୈନିକ 10 ହଜାର ନଡିଆ କତା ପ୍ରକ୍ରିୟାକରଣ କରି ସେଥିରୁ ଦଉଡି, ପାମ୍ପୋଛ ଆଦି ଜିନିଷ ପ୍ରସ୍ତୁତ କରିବା ପାଇଁ ବ୍ୟବସ୍ଥା ହୋଇଛି । ଦୈନିକ 20 ମେଟ୍ରିକ୍ ଟନ୍ ସବୁଜ ବର୍ଜ୍ୟ ପ୍ରକ୍ରିୟାକରଣ କରାଯାଇ ସେଥିରୁ ବ୍ରିକେଟ୍ ପ୍ରସ୍ତୁତ ପାଇଁ ବ୍ୟବସ୍ଥା ହୋଇଛି । ଆଧୁନିକ ଯନ୍ତ୍ରପାତି ସହାୟତାରେ ଘଣ୍ଟାପ୍ରତି 500 କିଲୋଗ୍ରାମ ନିମ୍ନମାନର ପ୍ଲାଷ୍ଟିକ ପ୍ରକ୍ରିୟାକରଣ କରି ସେଥିରୁ ପେଭର ବ୍ଲକ, ପ୍ରସ୍ତୁତ କରିବା ପାଇଁ ବ୍ୟବସ୍ଥା ହୋଇଛି ଏବଂ କେତେକ ବିକାଶ ମୂଳକ କାମ ତଥା ଭବିଷ୍ୟତ ଯୋଜନା ପାଇଁ ଆଉ କିଛି ସ୍ଥାନ ସଂରକ୍ଷିତ ରଖାଯାଇଛି । ଏଠାରେ ଦୈନିକ 150 ମେଟ୍ରିକ୍ ଟନ୍ ସେମି ଅଟୋମେଟିକ୍ ମ୍ୟାଟେରିଆଲ ରିକଭରି ସୁବିଧା କରାଯାଇଛି ।

ଟିଟିଏସ୍.ରେ ଆସିବାକୁ ଥିବା ଅନ୍ୟାନ୍ୟ  ସୁବିଧା ମଧ୍ୟରେ ଦୈନିକ 15 ମେଟ୍ରିକ୍ ଟନ୍ ଅର୍ଦ୍ଧ-ସ୍ୱୟଂକ୍ରିୟ ସାମଗ୍ରୀ ପୁନରୁଦ୍ଧାର ସୁବିଧା (ଏମ୍. ଆର୍. ଏଫ୍.) କାର୍ଯ୍ୟକ୍ଷମ ହେବ । 30 କେ. ଏଲ୍. ଡି. ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଅତିରିକ୍ତ 172 ମିଟର ଲମ୍ବ ଏବଂ 29 ମିଟର ଚଉଡ଼ା ବିଶିଷ୍ଟ ୱିଣ୍ଡ୍ରୋ ସେଡର ସମ୍ପ୍ରସାରଣ।

ପ୍ରତି ଶନିବାରେ ଇ-ଓ୍ୱେଷ୍ଟ ସଂଗ୍ରହ କରାଯିବା ସହ ଏହାର ପୁନଃ ଚକ୍ରଣ ପାଇଁ ସରକାରଙ୍କ ଅନୁମୋଦିତ ସଂସ୍ଥାକୁ ଦିଆଯାଉଛି ।  ଦୈନିକ 5 ମେଟ୍ରିକ୍ ଟନ ଏବଂ 15 ମେଟ୍ରିକ୍ ଟନ୍ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ. ସି. ସି.) ଦୈନିକ 5 ମେଟ୍ରିକ୍ ଟନ୍ ସାମଗ୍ରୀ ପୁନରୁଦ୍ଧାର ସୁବିଧା (ଏମ୍ ଆର୍ ଏଫ୍)

ସୂଚନାଯୋଗ୍ୟ କି ମାନ୍ୟବର ରାଜ୍ୟପାଳଙ୍କ ନିର୍ଦେଶ କ୍ରମେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚାଲୁ ରହିଥିବା ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ ଏବଂ ଏ ସଂପର୍କିତ ଆହ୍ୱାନ ବାବଦରେ ବିଏମ୍ ସି କର୍ତ୍ତୃପକ୍ଷ ଲିଖିତ ଭାବେ ଜଣାଇଥିଲେ । ବିଏମ୍ ସି ନେଇଥିବା ପଦକ୍ଷେପ ସଂପର୍କରେ ଅବଗତ ହେବା ସହ ସନ୍ତୋଷ ପ୍ରକାଶ କରିଥିଲେ ।

ଅପରପକ୍ଷେ ଭୁବନେଶ୍ୱର ଉନ୍ନୟନ ପରିଷଦର କର୍ମକର୍ତ୍ତାଙ୍କ ସହିତ ପରିମଳସ୍ଥିତି ଏବଂ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ସହ କ୍ଷେତ୍ର ପରିଦର୍ଶନ କରାଯାଇଥିଲା । ଜୁନ୍ 2025 ଶେଷ ସୁଦ୍ଧା ପଳାଶୁଣୀ ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର କାର୍ଯ୍ୟାରମ୍ଭ କରିବ ବୋଲି କୁହାଯାଇଥିଲା । ଏହା ସତ୍ୱେ ଉକ୍ତ ସଂଗଠନର କର୍ମକର୍ତ୍ତାଙ୍କ ଏତାଦୃଶ କାର୍ଯ୍ୟକଳାପ ଭୁବନେଶ୍ୱର ମହାନଗର ନିଗମ ପରିମଳ ପରିଚାଳନାରେ ବାଧା ସୃଷ୍ଟି କରିବା କ୍ଷୋଭର ବିଷୟ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here