ନିଜର ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଗଣିତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମାନସରେ ବିଭ୍ରାନ୍ତି ସୃଷ୍ଟି ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁର୍ଣ୍ଣ କରିବା ଅଭିଯୋଗରେ ଦଇତାପତି ସେବକ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ୍ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0
254

 

By Our Correspondent

PURI/BHUBANESWAR:    ନିଜର ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଗଣିତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମାନସରେ ବିଭ୍ରାନ୍ତି ସୃଷ୍ଟି ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁର୍ଣ୍ଣ କରିବା ଅଭିଯୋଗରେ ଦଇତାପତି ସେବକ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ୍ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ନୋଟିସ ପାଇବାର 7 ଦିନ ମଧ୍ୟରେ କୈଫିୟତ୍ ଦାଖଲ କରିବାକୁ ସମୟ ଦିଆଯାଇଛି l ଏହି ସମୟ ଭିତରେ ସନ୍ତୋଷ ଜନକ କୈଫିୟତ୍ ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି l

ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା/ଉଦଘାଟନ ଉତ୍ସବରେ ଯୋଗଦାନ କରି ଏବଂ ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ବକଳା ଦାରୁରେ ନିର୍ମିତ ମୂର୍ତ୍ତି ସେହି ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ଶ୍ରୀ ଦାସ ମହାପାତ୍ର ବଙ୍ଗୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ଅଭିଯୋଗ ହୋଇଥିଲା । ପରେ ଓଡିଶା ଗଣମାଧ୍ୟମରେ ସେ ଏହାକୁ ଖଣ୍ଡନ କରିଥିବା ସହ ଅନ୍ୟ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ନେଇ ନିଜେ ତାକୁ ପ୍ରତିଷ୍ଠା କରିଥିବା କହିଥିଲେ ।

ନବକଳେବରରେ ସଂଗୃହୀତ ଦାରୁ ମଧ୍ୟରୁ ବଳକା ଦାରୁ ଶ୍ରୀମନ୍ଦିର “ଦାରୁଘର”ରେ ସଂରକ୍ଷିତ ରହିବାର ବିଧି ରହିଥିବା ବେଳେ ଆବଶ୍ୟକ ସମୟରେ କେବଳ ଶ୍ରୀଜୀଉମାନଙ୍କ ବ୍ଯବହାରରେ ବିନିଯୋଗର ବିଧି ତଥା ପରମ୍ପରା ରହିଛି । ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ସେନେଇ ଅବଗତ ଥାଇ ମଧ୍ୟ ଶ୍ରୀ ଦାସ ମହାପାତ୍ର ଏଭଳି ବୟାନ ଦେବା ଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମାନସରେ ବିଭ୍ରାନ୍ତି  ସୃଷ୍ଟି ହୋଇଥିବା ନୋଟିସରେ କୁହାଯାଇଛି ।

ଦଇତାପତି ଶ୍ରୀ ଦାସମହାପାତ୍ରଙ୍କ ଦ୍ବନ୍ଦ୍ବାତ୍ମକ ବୟାନ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଲୋଡ଼ନ ସୃଷ୍ଟି କରିବା ସହ ତାଙ୍କ ଧାର୍ମିକ ଭାବନାରେ ଗଭୀର ଆଘାତ ଦେବା ସହ ଶ୍ରୀମନ୍ଦିରର ଗରିମା ଓ ଐତିହ୍ୟକୁ କ୍ଷୂର୍ଣ୍ଣ କରିଥିବା ନୋଟିସରେ ଦର୍ଶାଯାଇଛି l

 

 

LEAVE A REPLY

Please enter your comment!
Please enter your name here