ଧାନ କିଣା ପ୍ରକ୍ରିୟା ଫେଲ କରିବାକୁ ମିଲର ମାଲିକଙ୍କୁ ଆୟୁଧ କରୁଥିଲା ବିଜେଡି, ରାଜ୍ୟ ସରକାର ଧାନ କିଣାରେ ମିଲର ମାଲିକଙ୍କ ରାଜୁତି ଖତମ କରିଦେଇଥିବାରୁ ବିଜେଡି ଛାନିଆ, ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବା ସହ ଟୋକନର ସରଳୀକରଣ କରିଛନ୍ତି ମୋହନ ସରକାର

0
367

By Our Correspondent

BHUBANESWAR:   ଧାନ କିଣାରେ ରାଜ୍ୟ ସରକାର ମିଲର ମାଲିକଙ୍କ ରାଜୁତି ଖତମ କରିଦେଇଥିବାରୁ ଛାନିଆ ହୋଇଯାଇଛି ବିଜେଡି । ଏହାପରେ ଧାନ କିଣା ପ୍ରକ୍ରିୟା ଫେଲ କରାଇବା ପାଇଁ ମିଲରମାଲିକଙ୍କୁ ଆୟୁଧ କରି ଯେଉଁସବୁ ହୀନ ଉପାୟ କରୁଥିଲା ତାହା ପଦାରେ ପଡ଼ିଯାଇଛି ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ।

ମାଷ୍ଟରକ୍ୟାଂଟିନ୍ ଛକ ସ୍ଥିତ ବୁଲନ୍‌ସେବା ସଦନ ସଭା କକ୍ଷରେ ଆଜି ଧାନ ସଂଗ୍ରହ ଅଭିଯାନ ଉପରେ ପ୍ରତ୍ୟେକ ଜିଲ୍ଲାର ଚାଷୀ ନେତାଙ୍କ ସହ ସମୀକ୍ଷା ବୈଠକ କରାଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶ୍ରୀ ସାହୁ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଚାଷୀଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ।

ଧାନର ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀଙ୍କ ଆୟକୁ ୨ଗୁଣ କରିବା ସହ ଟୋକନ ବ୍ୟବସ୍ଥାର ସରଳୀକରଣ କରିଛନ୍ତି । କେନ୍ଦ୍ରରେ ବିଜେପି ସରକାର ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କୁଇଂଟାଲ ପିଛା ୨୩୦୦ ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ୮୦୦ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି ଦେଉଛନ୍ତି । ଏହିପରି ମୋଟ୍ ୩୧୦୦ ଟଙ୍କା ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପହଂଚିଯାଇଛି । ଚାଷୀ ଧାନ ବିକ୍ରି କରିବାର ୪୮ ଘଂଟା ମଧ୍ୟରେ ସେମାନଙ୍କ ଟଙ୍କା ପାଇଯାଉଛନ୍ତି । ଏନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ  ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ବୈଠକରେ ଧନ୍ୟବାଦ ଦେଇଥିଲେ ।

ଶ୍ରୀ ସାହୁ କହିଛନ୍ତି ଯେ, ସାରା ରାଜ୍ୟରେ ଧାନକିଣା ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ବିଶେଷକରି ପ୍ରଚୁର ଧାନ ଉତ୍ପାଦନର ପେଣ୍ଠ ପଶ୍ଚିମ ଓଡ଼ିଶାର ଅନେକ ଜିଲାରେ ଶତକଡ଼ା ୭୦ ଭାଗରୁ ଊର୍ଦ୍ଧ୍ୱ ଧାନ କିଣା ସରିଯାଇଛି । ସରକାରଙ୍କ ଏସବୁ ଚାଷୀ କଲ୍ୟାଣକାରୀ ଯୋଜନା ଓ ପଦକ୍ଷେପଗୁଡ଼ିକର ବାର୍ତା ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ପାଖରେ ପହଂଚାଇବା ପାଇଁ ବୈଠକରେ ଆହ୍ୱାନ ଦିଆଯାଇଥିଲା । ପ୍ରତ୍ୟେକ ଧାନମଣ୍ଡିରେ କୃଷକ ମୋର୍ଚ୍ଚାର ସମସ୍ତ କର୍ମକର୍ତା ସଜାଗ ପ୍ରହରୀ ଭଳି ଛିଡ଼ା ହୋଇ ଚାଷୀଙ୍କୁ ନ୍ୟାୟ ଓ ମୂଲ୍ୟ ପ୍ରଦାନରେ ସହାୟକ ହେବା ପାଇଁ ନିଜ ଭୂମିକା ନିର୍ବାହ କରିବାକୁ ନିବେଦନ କରାଯାଇଥିଲା । ଏଥିସହ ତୃଣମୂଳସ୍ତରରେ ଚାଷୀଙ୍କ ପାଖରେ ସରକାରଙ୍କ ଚାଷୀ କଲ୍ୟାଣକାରୀ ବାର୍ତା ପହଂଚାଇବା ପାଇଁ କୃଷକ ମୋର୍ଚ୍ଚା ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ନିଷ୍ପତି ହୋଇଛି ।

ବୈଠକରେ ପୂର୍ବତନ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି, ପୂର୍ବତନ ମୋର୍ଚ୍ଚା ରଜ୍ୟ ସାଧାରଣ ସମ୍ପାଦକ ଯଦୁମଣି ପାଣିଗ୍ରାହୀ, ପାର୍ଟିର ବରିଷ୍ଠ ଚାଷୀ ନେତା ସୌରୀଚରଣ ବାରିକ, ଆଇସିଆର ଡାଇରେକ୍ଟର ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା, ମୋର୍ଚ୍ଚା ଉପସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର, ମୋର୍ଚ୍ଚା ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ ଓ ବରିଷ୍ଠ ନେତା ମଙ୍ଗଳ ସାହୁ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋର୍ଚ୍ଚା ଉପସଭାପତି ପୁଲିନ ପୁହାଣ, ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ, ବିକ୍ରମ କେଶରୀ ରାଉତରାୟ, ଅଶୋକ ରଥ, ରାଜକିଶୋର ମେଣ୍ଡଳୀ, ଜଗନ୍ନାଥ ମହାପାତ୍ର, ସୁଦର୍ଶନ ବିଶ୍ୱାଳ, ଶିବପ୍ରସାଦ ମିଶ୍ର, ଜୟଲକ୍ଷ୍ମୀ ମହାନ୍ତି, ଗୋବିନ୍ଦ ପ୍ରଧାନ, ଅଶୋକ ପୃଷ୍ଟି, କେଶରୀ ଦୁର୍ଗା, ଅଜୟ ପ୍ରଧାନ, ଶ୍ରୀନିବାସ ପ୍ରଧାନ, ସୁମନ୍ତ ମହାରାଣାଙ୍କ ସମେତ ୨୦୦ ଉର୍ଦ୍ଧ୍ୱ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ ।

 

 

 

LEAVE A REPLY

Please enter your comment!
Please enter your name here