ତୃତୀୟ ମହଲାର କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ରାଜ୍ୟରେ ହରିଲୁଟ କରୁଛନ୍ତି, ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
432
ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ଏହିଭଳି ଭାବେ ଦୀର୍ଘ ୨୩ ବର୍ଷର ସ୍ଥାଣୁ ସରକାରରେ ଦୀପ ତଳ ଅନ୍ଧାର ଭଳି ଅନୁଗୋଳ ଅଞ୍ଚଳ ଆଜି ନିଷ୍ପେସିତ ହୋଇଅଛି ବୋଲି ରବିବାର ଅନୁଗୋଳର ଖମାର ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

ANGUL/BHUBANESWAR:  ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ଏହିଭଳି ଭାବେ ଦୀର୍ଘ ୨୩  ବର୍ଷର ସ୍ଥାଣୁ ସରକାରରେ ଦୀପ ତଳ ଅନ୍ଧାର ଭଳି ଅନୁଗୋଳ ଅଞ୍ଚଳ ଆଜି ନିଷ୍ପେସିତ ହୋଇଅଛି ବୋଲି ରବିବାର ଅନୁଗୋଳର ଖମାର ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରଙ୍କ ସୁଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ‘ରାଷ୍ଟ୍ରୀୟ ମହାଜନସମ୍ପର୍କ ଅଭିଯାନ’ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଣିହାଁ ଚଷାଚାଷୀ ଓ କୃଷି ଆଧାରିତ ଅର୍ଥନୀତିର ଅଞ୍ଚଳ । ମାତ୍ର ଦୀର୍ଘ ୨୩ ବର୍ଷର ଅପାରଗ ଶାସନ କାରଣରୁ ଇଞ୍ଚେ ବି ଚାଷ ଜମିରେ ଜଳସେଚନର ବ୍ୟବସ୍ଥା ହୋଇପାରିଲା ନାହିଁ । ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନ ଥିବାରୁ କଣିହାଁ ଅଞ୍ଚଳରେ ଜଳସେଚନର ବ୍ୟବସ୍ଥା ହୋଇନାହିଁ । ରେଙ୍ଗାଲି ଡ୍ୟାମ, ସମଲ ବ୍ୟାରେଜ, ରେଙ୍ଗାଲି ଲେଫ୍ଟ କେନାଲ, ରେଙ୍ଗାଲି ରାଇଟ୍ କେନାଲ, ପ୍ରସ୍ତାବିତ ଦୁର୍ଗାପୁର କେନାଲ ଏହି ଅଞ୍ଚଳରେ ଅଛି । ସମାକୋଇ ନଦୀ ଉପରେ ଥିବା ଜଳସେଚନ ପ୍ରକଳ୍ପ ଆକାଶ କଇଁଆ, ଚିଲିକା ମାଛ ଭଳି ହୋଇ ରହିଅଛି । ଏହାକୁ କଣ ଶାସନ କୁଆଯାଏ ?

ମୋଦି ସରକାରରେ ଅନୁଗୋଳ ଜିଲ୍ଲା ଓଡ଼ିଶାର ରାଜକୋଷକୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଦେଇଛି । ଏହା  ସତ୍ତ୍ୱେ ଅଞ୍ଚଳର ଯୁବକ ଦାଦନ ଖଟିବାକୁ ଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ । ଏଠାରେ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର ଥିବା ପରେ ମଧ୍ୟ ବିଦ୍ୟୁତର ଅଭାବ ଅଛି । ତାଳଚେର କୋଇଲାରେ ଓ ରେଙ୍ଗାଲିର ପାଣିରୁ ଉତ୍ପାଦିତ ହେଉଥିବା ବିଜୁଳିରେ ସାରା ଓଡ଼ିଶା ଆଲୋକିତ ହୁଏ । କିନ୍ତୁ ଦୀପ ତଳ ଅନ୍ଧାର ଭଳି ଏହି ଅଞ୍ଚଳ ଆଜି ନିଷ୍ପେସିତ ।

ଅପରପକ୍ଷରେ ଗତ ୬ ମାସରେ ୧୦୦ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ତଳିଆ ସରକାରୀ କର୍ମଚାରୀଙ୍କ ଠାରୁ ଜବତ ହୋଇଛି । ଓଡ଼ିଶାର ତୃତୀୟ ମହଲାର ପ୍ରଚ୍ଛଦପଟ୍ଟରେ ପ୍ରୋତ୍ସାହନ ମିଳୁଥିବା କାରଣରୁ ଏହା ସମ୍ଭବ ହୋଇଛି । ଷ୍ଟପ୍ ପିସି କହୁଥିବା ମୁଖ୍ୟମନ୍ତ୍ରୀ ଆଜି ଧ୍ରୃତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ତୃତୀୟ ମହଲାର କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ରାଜ୍ୟରେ ହରିଲୁଟ କରୁଛନ୍ତି । ଏହା ଉପରେ ପ୍ରଶ୍ନ କଲେ ଦିନରେ ଲଣ୍ଠନ ଦେଖାଇବା ଭଳି କଥା କହୁଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣ ଯୋଜନାରେ ଅନୁଗୋଳ ବିଶେଷ ଲାଭ ପାଇଛି । ଅନୁଗୋଳରେ ମୋଦିଜୀ ୯ ବର୍ଷରେ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଅନୁଗୋଳ ଜିଲ୍ଲାର ୩ ଲକ୍ଷ ୯ ହଜାର ୩୭୮ ଟି ପରିବାରକୁ ସର୍ବମୋଟ ୮ ହଜାର ୭୨୦ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ପ୍ରାୟ  ୨ ଲକ୍ଷ ୮୧ ହଜାର ୮୫୬ ଟଙ୍କା ମିଳିଛି ।

ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶାକୁ ୨.୨୨ ଲକ୍ଷ କୋଟି ଅନୁଦାନ ମିଳିଛି । ଚତୁର୍ଦ୍ଦଶ କମିଶନରେ ଓଡ଼ିଶାକୁ ୧.୮୪ ଲକ୍ଷ କୋଟି ଏବଂ ତ୍ରୟୋଦ୍ଦଶ ଅର୍ଥ କମିଶନରେ ୬୯ ହଜାର ୩୧୬ କୋଟି ମିଳିଥିଲା। ଖଣି ନୀତିରେ ସଂସ୍କାର କାରଣରୁ ଓଡ଼ିଶା ୨୦୨୨-୨୩ରେ ପ୍ରାୟ ୫୦ ହଜାର କୋଟି ଟଙ୍କା ପାଇଛି । ପୂର୍ବ ସରକାରରେ ଓଡ଼ିଶା ମାତ୍ର ୫ ହଜାର ରାଜସ୍ୱ ପାଉଥିଲା । ସେହିପରି ଓଡ଼ିଶାକୁ ୨୦୨୨-୨୩ରେ ୪୯ ହଜାର ୪୪୨ କୋଟି ଟଙ୍କା ମିଳିଛି । ଓଡ଼ିଶାରେ ୨୦୨୩ ଜାନୁଆରୀ ସୁଦ୍ଧା ୨୧ ହଜାର ୩୭୪ କୋଟି ଡିଏମଏଫ ଟଙ୍କା ଆଦାୟ ହୋଇଛି । ମୋଦି ସରକାରରେ ଗଠିତ ଡିଏମଏଫ ପାଣ୍ଠିରେ ଏହି ଅଞ୍ଚଳରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ସମେତ ଜନକଲ୍ୟାଣକାରୀ କାର୍ଯ୍ୟ କରାଯାଇଛି । ଅନୁଗୋଳ-ସୁକିନ୍ଦା ରେଳ ଲାଇନ ସହ ରେଳ ଭିତ୍ତିଭୂମିକୁ ମଜଭୂତ୍ କରାଯିବା ସହ ସଡକପଥକୁ ବିକଶିତ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଏହି ଅବସରରେ ଶ୍ରୀ ପ୍ରଧାନ କଣିହାଁ ସ୍ଥିତ “ତାଳଚେର ପ୍ରଜାମଣ୍ଡଳ ଶହୀଦ୍ ସ୍ମୃତି ସ୍ତମ୍ଭ” ସମେତ ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କଂସମୁଣ୍ଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ଓ  ମାଉସୀ ମା’ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here