ଢେଙ୍କାନାଳ ପିଏମ୍ ଶ୍ରୀ ପଞ୍ଚସଖା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷରେ ସ୍କୁଲ ଭିତ୍ତିଭୂମି ମଜଭୂତ୍ ହୋଇଛି- ଧର୍ମେନ୍ଦ୍ର ପ୍ରଧାନ

0
271

By Our Correspondent

BHUBANESWAR:   ଭାରତକୁ ଏକବିଂଶ ଶତାବ୍ଦୀର ବିଶ୍ୱ ଜ୍ଞାନ ଶକ୍ତିରେ ପରିଣତ କରିବାକୁ ହେଲେ ଆମକୁ ସମାନ ଶିକ୍ଷା ଓ ସମାନ ସୁଯୋଗକୁ ସୁନିଶ୍ଚିତ କରିବାକୁ ହେବ । ୨୦୩୬ ସୁଦ୍ଧା ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଗୁଣାତ୍ମକ ଶିକ୍ଷା ସହ ଦକ୍ଷତା ଆଧାରିତ ଶିକ୍ଷାକୁ ପ୍ରାଥମିକତା ଦେବାକୁ ହେବ ବୋଲି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା-ଶ୍ରୀମୂଳା ସ୍ଥିତ ପିଏମ ଶ୍ରୀ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭିଡିଓ ମେସେଜ ମାଧ୍ୟମରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି  ପ୍ରାଚୀନ ଯୁଗରୁ ଆମର ଢେଙ୍କାନାଳ ବୀରଭୂମି ନାମରେ ଖ୍ୟାତ । ଢେଙ୍କାନାଳ ଜିଲ୍ଲା ଶହୀଦ ବୀର ବାଜି ରାଉତ, ପବିତ୍ର ମୋହନ ପ୍ରଧାନ, ସଂଗ୍ରାମୀ ମହେଶ ଚନ୍ଦ୍ର ସୁବାହୁ ସିଂହ, ସାରଙ୍ଗଧର ଦାସ, ତୀର୍ଥବାସୀ ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ  ବେଣୁଧର ପଣ୍ଡାଙ୍କ ସଂଗ୍ରାମୀ ଭୂମି । ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନ ଭାରତର ସ୍ୱାଧୀନତା ସଂଗ୍ରାମର ଅଂଶବିଶେଷ ।

ଶିକ୍ଷାର ବିକାଶ ଓ ପ୍ରସାର ପାଇଁ ଏହି ବୀର ଭୂମିର ଅନେକ ଅବଦାନ ଅଛି । ଏହି ଅଞ୍ଚଳରେ ସ୍ଥାପିତ ହୋଇଥିବା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳରେ ଏକ ସମ୍ମାନସ୍ପଦ ଅନୁଷ୍ଠାନରେ ଖ୍ୟାତି ଲାଭ କରିଛି । ପଞ୍ଚସଖା ସରକାରୀ ହାଇସ୍କୁଲ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ପିଏମ ଶ୍ରୀସ୍କୁଲରେ ବିକଶିତ ହେବାକୁ ଯାଉଛି । ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ନିଷ୍ଠା ଓ ପରିଶ୍ରମ ଏହି ସ୍କୁଲକୁ ଢେଙ୍କାନାଳ ଜିଲ୍ଲାରେ ତଥା ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ।

ଓଡ଼ିଆ ଜାତି ଶାନ୍ତି ଓ ଅହିଂସା ଆନ୍ଦୋଳନ ବଳରେ ସାରା ବିଶ୍ୱକୁ ଆଲୋକବର୍ତ୍ତିକା ଦେଖାଇଛି । ପରିବର୍ତ୍ତିତ ସମୟରେ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ, ବୌଦ୍ଧିକ, ଆଧ୍ୟାତ୍ମିକ ବିକାଶ ଓ କୌଶଳକୁ ମଧ୍ୟ ଜାତୀୟ ଶିକ୍ଷା ନୀତି -୨୦୨୦ରେ ପ୍ରାଧାନ୍ୟ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ସ୍କୁଲ ଭିତ୍ତିଭୂମି ମଜଭୂତ୍ ହୋଇଛି । ଜାତୀୟ ଶିକ୍ଷା ନୀତି ଅଧୀନରେ ସମଗ୍ର ଶିକ୍ଷା ଅଭିଯାନ ସ୍କୁଲରେ ଡ୍ରପ ଆଉଟ୍ ହ୍ରାସ କରିବା ଦିଗରେ ବିଶେଷ ସହାୟକ ହୋଇଛି । ସ୍ମାର୍ଟ କ୍ଲାସରୁମ, ଶୌଚାଳୟ, ପାନୀୟ ଜଳ ସୁବିଧା, କମ୍ପ୍ୟୁଟର, ଇଣ୍ଟରନେଟ୍ ସଂଯୋଗ, ପାଠାଗାର, ଖେଳ ପଡ଼ିଆ ଓ ଆନୁଷଙ୍ଗିକ ଭିତ୍ତିଭୂମି ସୁଦୃଢ ହୋଇଛି । ୨୦୩୬ ସୁଦ୍ଧା ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଗୁଣାତ୍ମକ ଶିକ୍ଷା ସହ ଦକ୍ଷତା ଆଧାରିତ ଶିକ୍ଷାକୁ ପ୍ରାଥମିକତା ଦେବାକୁ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ବିକଶିତ କରିବାର ଦାୟିତ୍ୱ ନେଇଛନ୍ତି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତରେ ଏକ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଓ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା, ପଞ୍ଚସଖା ଶିକ୍ଷା ସେତୁ ଅଭିଯାନରେ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ପାଠପଢାରେ ଆଗ୍ରହ ବଢାଇବାରେ ବିଶେଷ ସହାୟକ ହୋଇଛି ବୋଲି କହିଥିଲେ ଶ୍ରୀ ପ୍ରଧାନ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଆସନ୍ତା ୫ ବର୍ଷ ମଧ୍ୟରେ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବଢାଇବା ପାଇଁ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ବହି ଯୋଗାଇ ଦେବା ପାଇଁ ସରକାର ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ ଆରମ୍ଭ କରିବା ପାଇଁ ଯାଉଛନ୍ତି । ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବାକୁ ହେବ । ତେବେ ଯାଇ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ଆହ୍ଵାନ ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

ଶ୍ରୀ ପ୍ରଧାନ ଭିଡ଼ିଓ ବାର୍ତ୍ତାରେ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରିକ ଏବଂ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ଜାତୀୟ ଶିକ୍ଷା ନୀତିର ଶିଳ୍ପକାର ପଦ୍ମବିଭୂଷଣ ଡକ୍ଟର କେ କସ୍ତୁରୀରଙ୍ଗନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here