ଢେଙ୍କାନାଳରେ ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ବ୍ୟାପକ କରିବା – ଧର୍ମେନ୍ଦ୍ର ପ୍ରଧାନ

0
45

By Our Correspondent

DHENKANAL/BHUBANESWAR:  ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ମଙ୍ଗଳବାର ଆୟୋଜିତ ‘ଷଷ୍ଠତମ ଜାତୀୟସ୍ତରୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତା’ର ଉଦଯାପନୀ ସମାରୋହରେ ଯୋଗଦେଇ ଜିଲ୍ଲାରେ ମୋଦୀ ସରକାରଙ୍କ ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଢେଙ୍କାନାଳରେ ଖେଳର ଏକ ଅନୁକୂଳ ବାତାବରଣ ଅଛି । ଫୁଟବଲ, କ୍ରିକେଟ୍, ହକି ସମେତ ଅନ୍ୟ ଆଥଲେଟିକ କ୍ରୀଡାରେ ଏହି ଜିଲ୍ଲା ଧୀରେ ଧୀରେ ପରିଚୟ ତିଆରି କରୁଛି ।  ଢେଙ୍କାନାଳ ଜିଲ୍ଲାକୁ ଖେଳ, ପର୍ଯ୍ୟଟନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଚାଷ ଓ ଶିଳ୍ପସମୂହର ପ୍ରକଳ୍ପକୁ ପ୍ରାଥମିକତା ଦେଇ କ୍ରିୟାନ୍ୱୟନ କରିବାକୁ ହେବ । ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ ଏହି ଫୁଟବଲ ମ୍ୟାଚ୍ ମାଧ୍ୟମରେ ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ଯେଉଁ ଉଦ୍ୟମ କରୁଛି, ତାହା ପ୍ରଶଂସନୀୟ । ଏହି  ପ୍ରଚେଷ୍ଟା ଆମ ଅଞ୍ଚଳର ପ୍ରତିଭାବାନ ଯୁବବର୍ଗଙ୍କୁ ଆଗାମୀ ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରାଇବାରେ ସହାୟକ ହେବ । ଏହି ସାଧୁ ଉଦ୍ୟମ ପାଇଁ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ଏହି ଉଦଯାପନୀ ସମାରୋହରେ ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇ ଓ କେରଳ ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡ, କେରଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇ ବିଜୟୀ ହୋଇଥିଲା । ବିଜୟୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ମ୍ୟାଚରେ ଉଭୟ ଦଳର ପ୍ରଦର୍ଶନ ଆକର୍ଷଣୀୟ ଥିଲା । ଦୁଇଟିଯାକ ଦଳ ଭଲ ଖେଳିଲେ । ଢେଙ୍କାନାଳର ଯୁବଶକ୍ତିଙ୍କ ମଧ୍ୟରେ ଫୁଟବଲ ଓ ଅନ୍ୟାନ୍ୟ ଖେଳ ପ୍ରତି ଆଗ୍ରହ ବଢାଇବା ଲକ୍ଷ୍ୟରେଏହି ପ୍ରତିଯୋଗିତା ସ୍ୱାଗତଯୋଗ୍ୟ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here