ଜନଜାତିଙ୍କୁ ଶୋଷଣ କରିବା ପାଇଁ ସବୁବେଳେ ଷଡଯନ୍ତ୍ର ରଚିଛି ବିଜେଡି, ୨୪ ବର୍ଷର ଶାସନରେ ବିଜେଡି ସରକାର ଜନଜାତିଙ୍କୁ କେବଳ ପ୍ରତାରଣା ଦେଇଛି, ଆଦିବାସୀଙ୍କ ଶିକ୍ଷା, ସଂସ୍କୃତି, ଭାଷା ଓ ଜୀବିକାର ଉନ୍ନତି ପାଇଁ ବଦ୍ଧପରିକର ବିଜେପି

0
70

By Our Correspondent

BHUBANESWAR:  ବିଜେପି ସରକାର ସବୁବେଳେ ଆଦିବାସୀଙ୍କ ଶିକ୍ଷା, ସଂସ୍କୃତି, ଭାଷା ଓ ଜୀବିକାର ଉନ୍ନତି ପାଇଁ ବଦ୍ଧପରିକର । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଶ୍ରୀ ଅଟଳ ବିାହାରୀ ବାଜପେୟୀଙ୍କ ନେତୃତ୍ୱ ବିଜେପି ସରକାରରେ ପ୍ରଥମ ଥର ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଗଠନ ହୋଇଥିଲା ଏବଂ ଓଡିଆ ପୁଅ ଶ୍ରୀ ଜୁଏଲ୍ ଓରାମଙ୍କୁ ଉକ୍ତ ମନ୍ତ୍ରାଳୟର ଦାୟୀତ୍ୱ ପ୍ରଦାନ କରିଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାରରେ ମଧ୍ୟ ଶ୍ରୀ ଜୁଏଲ ଓରାମଙ୍କୁ ସମାନ ଦାୟୀତ୍ୱ ମିଳିଛି । ଓଡ଼ିଆ ଝିଅ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଛନ୍ତି .

ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବା ପରେ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ଜନଜାତି ବର୍ଗର ସାମୁହିକ ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତିି । ଓଡ଼ିଶା ଭଳି ଜନଜାତିବହୁଳ ରାଜ୍ୟକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛନ୍ତିି ମୋଦିଜୀ । ଅପରପକ୍ଷେ ଆଦିବାସୀଙ୍କ ବିକାଶକୁ ନେଇ ରାଜନୀତି କରୁଥିବା ବିଜେଡି ସରକାର ଗତ ୨୪ ବର୍ଷର ଶାସନରେ ଜନଜାତିଙ୍କୁ କେବଳ ପ୍ରତାରଣା ଦେଇଛି ବୋଲି ରାଜ୍ୟ ଉପସଭାନେତ୍ରୀ ତଥା ପୂର୍ବତନ ବିଧାୟିକା ଶ୍ରୀମତି କୁସୁମ୍ ଟେଟେ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଟେଟେ କହିଛନ୍ତି ଯେ, ଆଦିବାସୀଙ୍କ ବିକାଶ ପାଇଁ ମୋଦି ସରକାର ହଜାର ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଜନ ଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଅଧୀନରେ ଗତକାଲି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଅନେକ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ୨୭ ଜିଲାର ୭୬୬୭ ଗ୍ରାମକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି । ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ “ଜନଜାତି ଗୌରବ ଦିବସ” ଭାବେ ପାଳନ କରାଯାଉଛି । ଗତକାଲି ଭଗବାନ ବିର୍ଷାମୁଣ୍ଡାଙ୍କ ୧୫୦ ତମ ଜନ୍ମ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ୧୫୩୫ କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅର୍ଥରେ ୧୬ଟି ଆଶ୍ରମ ହାଇସ୍କୁଲ ଓ  ୧୩ଟି ମାଧ୍ୟମିକ ବିଦ୍ୟାଳୟକୁ ମଧ୍ୟ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଯିବ । ୪୨୬ଟି  ପ୍ରାଥମିକ ବିଦ୍ୟାଳୟ ଓ ହଷ୍ଟେଲ ନିର୍ମାଣ ହେବ ।

ଭୁବନେଶ୍ୱର ଗୋଠପାଟଣାରେ ଜନଜାତି ସଂସ୍କୃତି, ଐତିହ୍ୟ ଭବନ ନିର୍ମାଣ ହେବ । ଗୋଠପାଟଣାରେ ଜନଜାତି ଭାଷା ପ୍ରତିଷ୍ଠାନ ନିର୍ମାଣ, ଜନଜାତି ଅସ୍ମିତା ଭବନ ନିର୍ମାଣ, ୫ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ଆଦିବାସୀ ଭାଷାରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରାଯାଉଛି ।

ଶ୍ରୀ ମାଝି ଆଦିବାସୀଙ୍କ ବିକାଶ ପାଇଁ ଆଦିବାସୀ ଜିଲାରେ ହସ୍ପିଟାଲ ନିର୍ମାଣ ଓ ଗମନାଗମନର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଜଙ୍ଗଲ ଜମି ଅଧିକାର ଆଇନ ବଳରେ ରାଜ୍ୟର ୮ ବିଶେଷ ଅନୁନ୍ନତ ଜନଜାତି (ପିଭିଟିଜି)ଙ୍କୁ ବସବାସର ଅଧିକାର ପ୍ରଦାନ କରିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଏଥିରେ ଅସହିଷ୍ଣୁ ହୋଇପଡିଛନ୍ତି ବିଜୁ ଜନତା ଦଳର ନେତୃବୃନ୍ଦ । ଜନଜାତିଙ୍କୁ କେବଳ ବାଜା ଓ ବାଦ୍ୟଯନ୍ତ୍ର ଦେଇଦେଲେ ବିକାଶ ହେବ ନାହିଁ । ବାସ୍ତବରେ ବିଜେଡି ସରକାର ଅମଳରେ ଜନଜାତିଙ୍କ ବିକାଶକୁ କେବେହେଲେ ଅଗ୍ରାଧିକାର ଦିଆଯାଇନାହିଁ, ବରଂ ସେମାନଙ୍କୁ ଶୋଷଣ କରିବା ପାଇଁ ସବୁବେଳେ ଷଡଯନ୍ତ୍ର ରଚାଯାଇଛି । ଜନଜାତିଙ୍କ ବିକାଶ ପାଇଁ ଆସୁଥିବା ଟଙ୍କାକୁ ଚକ୍ରାନ୍ତ କରି ହଡ଼ପ କରିଛି ବିଜେଡି ସରକାର ବୋଲି ଶ୍ରୀମତୀ ଟେଟେ କହିଛନ୍ତି ।

ଜନଜାତିଙ୍କ ବିକାଶ ସହିତ ସେମାନଙ୍କୁ ପକ୍କାଘର, ପାନୀୟ ଜଳ, ଗମନାଗମନର ବିକାଶ ଉପରେ ତତ୍କାଳୀନ ବିଜେଡି ସରକାର ଆଦୌ ଧ୍ୟାନ ଦେଇନଥିଲେ । ସେମାନଙ୍କ ଜମିକୁ ଅଣ ଅ।।ଦିବାସୀଙ୍କୁ ଦେବାପାଇଁ ଷଡଯନ୍ତ୍ର କରାଯାଇଥିଲା । ଆଦିବାସୀ ବହୁଳ ଖଣିଜ ସମ୍ପଦ ଭରପୁର ସୁନ୍ଦରଗଡ଼ ଜିଲାର ବିକାଶ ପାଇଁ ଗଠିତ ଡିଏମ୍‌ଫ୍ ଫଣ୍ଡକୁ ଲୁଟ୍ କରାଯାଇ ବିଜେଡି କର୍ମୀ ଓ ନେତାଙ୍କୁ ପୋଷା ଯାଉଥିଲା । ଡିଏମ୍‌ଫ୍ ଫଣ୍ଡ ଅର୍ଥରେ ରାଉକେଲାରେ ନିର୍ମିତ ନିମ୍ନ ମାନର ହକି ଷ୍ଟାଡିୟମ ନିର୍ମାଣର ମାତ୍ର ଅଳ୍ପକିଛି ଦିନ ମଧ୍ୟରେ ଭାଙ୍ଗି ଯାଇଥିଲା । ୨୪ ବର୍ଷର ବିଜେଡି ଶାସନରେ ଜନଜାତିଙ୍କୁ ଆଦୈା ସମ୍ମାନ ମିଳିନାହିଁ ବୋଲି ଶ୍ରୀମତୀ ଟେଟେ କହିଛନ୍ତି । ଏହି ଅବସରରେ ଏସ୍‌ଟି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଧ୍ରୁବ ଚରଣ କାଲୋ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here