ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ନିଟ୍ ମାମଲାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ -ଧର୍ମେନ୍ଦ୍ର ପ୍ରଧାନ

0
42

By Our Correspondent

NEW DELHI/BHUBANESWAR:    ନିଟ୍ ପରୀକ୍ଷା ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିରେ କୌଣସି ସ୍ଥିତିରେ ବି ଆପୋଷ ବୁଝାମଣା କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ନିଟ୍ ପରୀକ୍ଷା ବିବାଦ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଆମ ସମସ୍ତଙ୍କ ସାମ୍ନାରେ ଏକ ଚିନ୍ତାଜନକ ପ୍ରସଙ୍ଗ ଆସିଛି । ଆମେ ବିହାର ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛୁ । ପାଟନା ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି ।  ପାଟନା ପୋଲିସ ଖୁବଶୀଘ୍ର ଭାରତ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏନଟିଏ ହେଉ କିମ୍ବା ଏନଟିଏର କୌଣସି ବଡ ବ୍ୟକ୍ତି, ନିଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନଟିଏରେ ସଂସ୍କାର ନେଇ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଯାଉଛନ୍ତି । ଏନଟିଏ, ଏହାର ଢାଞ୍ଚା, କାର୍ଯ୍ୟକାରିତା, ପରୀକ୍ଷା ପ୍ରକ୍ରିୟା, ପାରଦର୍ଶୀତା ଏବଂ ଡାଟା ସୁରକ୍ଷା ପ୍ରୋଟୋକଲରେ ଆହୁରି ଉନ୍ନତି ଆଣିବା ପାଇଁ ଏହି ଉଚ୍ଚସ୍ତରୀୟ କମିଟି ସୁପାରିସ କରିବ ।

ତ୍ରୁଟିଶୂନ୍ୟ ପରୀକ୍ଷା ହେଉଛି ଆମର ପ୍ରତିବଦ୍ଧତା । ବିଦ୍ୟାର୍ଥୀ ଆମ ଦେଶର ଭବିଷ୍ୟତ । ଆମେ ଯେକୌଣସି ପ୍ରକାର ସଂସ୍କାର ପାଇଁ ପ୍ରସ୍ତୁତ। ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ ଗୁଜବ ପ୍ରଚାର କରାଯିବା ଉଚିତ ନୁହେଁ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ଗୁଜବ କିମ୍ବା ସବୁ ବିଷୟକୁ ରାଜନୀତି ଦୃଷ୍ଟିରୁ ଦେଖିବା ଅନୁଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here