By Our Correspondent
SAMBALPUR/BHUBANESWAR: ଚାଷୀ ଓ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବା ଡବଲ ଇଞ୍ଜିନ ସରକାର ଲୋକଙ୍କ ପାଇଁ କାମ କରୁଥିବା ସରକାର ବୋଲି ଶନିବାର “ସମ୍ବଲପୁର ଲୋକ୍ ମହୋତ୍ସବ- ୨୦୨୫”ର ଉଦଘାଟନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରର ଲୋକଙ୍କ ସରକାର ପାଇଁ କାମ କରୁଛି । ରାଜ୍ୟରେ ଅଦିନିଆ ବର୍ଷା ହେଲା ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ କ୍ଷେତକୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ପାଇଁ ଗଲେ । ଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ତ୍ୱରିତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୯୧ କୋଟି ଟଙ୍କା ଘୋଷଣା କରାଗଲା । ଓଡ଼ିଶାରେ ପୂର୍ବରୁ ଏମିତି କେବେ ହୋଇନାହିଁ । ସେହିପରି କେନ୍ଦ୍ର ସରକାରଙ୍କ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ରାଜ୍ୟ ସରକାର ଅଧିକ ୮୦୦ ଟଙ୍କାର ଇନ୍ପୁଟ୍ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪୦୦୦ କୋଟି ଟଙ୍କାର ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଛି । ସୁଭଦ୍ରା ଯୋଜନାରେ ଏ ପର୍ଯ୍ୟନ୍ତ ୮୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ମୋଟ ୪ ହଜାର କୋଟି ଟଙ୍କା ବ୍ୟାଙ୍କ୍ ଖାତାରେ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଏହାବ୍ୟତୀତ ସମ୍ବଲପୁର ସହରରେ ସ୍ୱଚ୍ଛତା, ପାନୀୟ ଜଳ, ସ୍ୱରେଜ, ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ପାଇଁ ଡବଲ ଇଞ୍ଜିନର ସରକାର କାମ କରୁଛନ୍ତି । ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ବିକଶିତ କରିବାର କଳ୍ପନା କରାଯାଇଛି । ହୀରାକୁଦ ବନ୍ଧର ନବୀକରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଏକବିଂଶ ଶତାବ୍ଦୀରେ ଆଧୁନିକ ଏବଂ ବିକଶିତ ସମ୍ବଲପୁର କରିବା ପାଇଁ ଆଗଭର ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଲୋକମହୋତ୍ସବ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଶକ ଦଶକ ଧରି ଲୋକମାନଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇ ଆସୁଥିବା ସମ୍ବଲପୁର ଲୋକ୍ ମହୋତ୍ସବ ଲୋକକଳା, ସାହିତ୍ୟ ଓ ସଂସ୍କୃତିର ମହାକୁମ୍ଭ । ସମ୍ବଲପୁରର ଭାବାବେଗକୁ ପ୍ରତିଫଳିତ କରିବା ଦିଗରେ ସମ୍ବଲପୁର ଲୋକ୍ ମହୋତ୍ସବ ଏକ ଅନନ୍ୟ ମହୋତ୍ସବ । ଲୋକ ସଂସ୍କୃତିର ଏକ ଉତ୍କୃଷ୍ଟ ଉଦାହରଣ । ସମ୍ବଲପୁରର ସାମାଜିକ ଜନଜୀବନ ଲୋକକଳା, ଲୋକସଙ୍ଗୀତ ଏବଂ ଲୋକଚରିତ୍ର ଆଧାରିତ ।
ଭାରତର ସାଂସ୍କୃତିକ ଜଗତରେ ପ୍ରସିଦ୍ଧ ରଙ୍ଗବତୀ ଗୀତର ବିକଳ୍ପ ନାହିଁ । ରଙ୍ଗବତୀ ସମ୍ବଲପୁରର ଲୋକ ସଂସ୍କୃତିର ଏକ ପରିଚୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ଲୋକଗୀତ ‘ରଙ୍ଗବତୀ’ ସହ ଜଡ଼ିତ ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଗାୟକ ଜିତେନ୍ଦ୍ର ହରିପାଲ, ଗାୟିକା କ୍ରୀଷ୍ଣା ପଟେଲଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି, ଯାହା ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ କଳା ଓ ସଂସ୍କୃତିର ଗଭୀରତା ପ୍ରତି ବଡ଼ ସମ୍ମାନ । ସମ୍ବଲପୁରରେ ମହାଆଡମ୍ବର ଭାବେ ଆୟୋଜନ ହୋଇ ଆସୁଥିବା ନୂଆଁଖାଇ ଓ ଶୀତଳଷଷ୍ଠୀ ଏକ ଉତ୍ସବ ନୁହେଁ, ବରଂ ନାଗରିକ ଏବଂ ପରିବାରକୁ ଏକାଠି ହେବାର ଅନନ୍ୟ ପରମ୍ପରା । ସମ୍ବଲପୁର ଲୋକସଭ୍ୟତାର ପରିଚୟ ସର୍ବ ଭାରତୀୟ ସ୍ତରରେ ଅଛି । ଏହି ଲୋକ ପରମ୍ପରାକୁ ଶ୍ରୀବୃଦ୍ଧି କରିବା ପାଇଁ ସମସ୍ତେ ଦାୟିତ୍ୱ ନେବା ଦରକାର ।
ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲାକୁ ୨୦୨୫ ଡିସେମ୍ବର ସୁଦ୍ଧା ଟିବି ମୁକ୍ତ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି, ଏହି ସଂକଳ୍ପ ତେବେ ପୂରଣ ହେବ ଯେବେ ଆମେ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହ ସହଯୋଗୀ ହୋଇ କାମ କରିବା । ସମାଜ ତଥା ସାମାଜିକ ସଂଗଠନ, ସ୍ୱୟଂସେବୀ ସଂଗଠନ ଏବଂ ବ୍ୟକ୍ତିଗତ ସ୍ତରରେ ଆମେ ଦାୟିତ୍ୱ ନେବା ।
ଏହି ଅବସରରେ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳା ବୁଲିବା ସହ ଏହାକୁ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ଅଭିହିତ କରିଥିଲେ । ଏହି ମହୋତ୍ସବରେ ଅଂଶଗ୍ରହଣ କରିଥିବା ଅତିଥି, କଳାକାର ଏବଂ ବ୍ୟକ୍ତିବିଶେଷମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।