ଗତ ଅକ୍ଟୋବର ମାସରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ଅଧିନସ୍ଥ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ୨୦ ଟି ଅଭିଯୋଗ ପଞ୍ଜୀକରଣ, ସେଥି ମଧ୍ୟରୁ ୦୯ ଟି ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ

0
338
ଗତ ଅକ୍ଟୋବର ମାସରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ଅଧିନସ୍ଥ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ସମୁଦାୟ ୨୦ ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ, ସେଥି ମଧ୍ୟରୁ ୦୯ ଟି ଘଟଣାରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିଛି ।

By Our Correspondent

BHUBANESWAR:  ଗତ ଅକ୍ଟୋବର ମାସରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ଅଧିନସ୍ଥ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ସମୁଦାୟ ୨୦ ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ, ସେଥି ମଧ୍ୟରୁ ୦୯ ଟି ଘଟଣାରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିଛି ।

ସେହିପରି ଜଣେ ମହିଳାଙ୍କୁ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ଜଣଙ୍କ କ୍ଷେତ୍ରରେ ସମ୍ପୃକ୍ତ ଥାନାରେ ମାମଲା ରୁଜୁ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି ଏବଂ ୨ ଜଣଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଛି ।

ଗତ ୨୦୧୪ ମସିହା ସେପ୍ଟେମ୍ବର ୩ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା “ମାଧ୍ୟମ” ନିଜ ପରିବାର, ସମାଜ ତଥା କାର୍ଯ୍ୟ ସ୍ଥଳିରେ ସମୁଖୀନ ହେଉଥିବା ଶାରୀରିକ, ମାନସିକ ଓ ସାମାଜିକ  ନିର୍ଯାତନା, ଘରୋଇ ହିଂସା, ଯୌନ ନିର୍ଯାତନା, ମହିଳା ଚାଲାଣ, ବାଲ୍ୟ ବିବାହ, ଏସିଡ ଆକ୍ରମଣ ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ଉଚିତ ପରାମର୍ଶ ଦେଇ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖିଛି ।

 ଭୁବନେଶ୍ୱରରେ ଥିବା ଏହି ସଂସ୍ଥା ଡି.ସି.ପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟ କରିବା ସହ ପୀଡିତା ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଆବଶ୍ୟକୀୟ ସାହାଯ୍ୟ, ସହଯୋଗ, ପରାମର୍ଶ, ଡାକ୍ତରୀ ସହାୟତା ଓ ନ୍ୟାୟ ପ୍ରଦାନ ଲାଗି ପ୍ରଚେଷ୍ଟା ଚାଲୁ ରଖିଛି। ଯେଉଁ ମହିଳାମାନେ ପୁଲିସ ଥାନା କିମ୍ବା କୋର୍ଟ କଚେରୀକୁ ନଯାଇ ସେମାନଙ୍କ ସମସ୍ୟାର ଆପୋଷ ସମାଧାନ ଚାହିଁଛନ୍ତି “ମାଧ୍ୟମ” ସେମାନଙ୍କର ସମସ୍ୟା ବୁଝି ସମାଧାନର ପନ୍ଥା ବାହାର କରିବାକୁ ଯଥାସାଧ୍ୟ ଚେଷ୍ଟା କରି ଅନେକ ଘଟଣାରେ ସଫଳତା ମଧ୍ୟ ହାସଲ କରିଛି ।

ଏପରିକି “ମାଧ୍ୟମ” ରେ ନିଯୁକ୍ତ କାଉନସିଲର ଓ ଅନ୍ୟ କର୍ମଚାରୀ ମାନେ ପୀଡିତା ମାନଙ୍କ ପାଖରେ ପ୍ରତ୍ୟକ୍ଷ ଭାବରେ ପହଞ୍ଚି ତଥା କୋଭିଡ୍ କଟକଣା ସମୟରେ ଟେଲି କାଉନସେଲିଂ ଓ ଅନ୍ୟ କେତେକ ଘଟଣାରେ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କର ସୁବିଧା ଅସୁବିଧା ସବୁକୁ ବୁଝିଥିଲେ । ଏହି ସଂସ୍ଥା ଦ୍ଵାରା ମଧ୍ୟ କେତେକ ପୀଡିତା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରମାନଙ୍କରେ ମାଗଣା ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ବିବାହ ବିଚ୍ଛେଦ ହେବାକୁ ଯାଉଥିବା କେତକ ଘଟଣାରେ ବ୍ୟକ୍ତିଗତ ଭାବେ ପତି-ପତ୍ନୀଙ୍କୁ ଏକାଠି ବସାଇ, କିମ୍ବା ପରେ ଆବଶ୍ୟକ ହେଲେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଡକାଯାଇ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରୁଛି ।

ଉଲ୍ଲେଖଯୋଗ୍ୟ ଯେ, ଏହି ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ଇତିମଧ୍ୟରେ ୮ ବର୍ଷ ପୂରଣ କରିଛି । ଏହି ଅବସରରେ ପ୍ରତ୍ଯେକ ଥାନା ଅଞ୍ଚଳ ମାନଙ୍କରେ ମଧ୍ୟସ୍ଥତା ଓ ପରାମର୍ଶ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ଯଦି କୌଣସି ପୀଡ଼ିତା ପାରିବାରିକ ସମସ୍ଯା ନେଇ “ମାଧ୍ୟମ” କାର୍ଯ୍ୟାଳୟ ସହିତ ଯୋଗଯୋଗ କରିବାକୁ ଚାହୁଁଥାନ୍ତି, ତେବେ ୯୮୬୧୯୨୭୬୨୭ ନମ୍ବରରେ ପ୍ରତ୍ଯେକ କାର୍ଯ୍ୟ ଦିବସର ସକାଳ  ୧୦ଟାରୁ ସନ୍ଧ୍ୟା ୦୫ଟା ମଧ୍ୟରେ ଯୋଗଯୋଗ କରିବାକୁ ଅନୁରୋଧ ।

ଅକ୍ଟୋବର ମାସରେ ମାଧ୍ୟମ ଦ୍ବାରା ସମାଧାନ ହୋଇଥିବା ଏକ ପାରିବାରିକ ଘଟଣା:

ଲିଜା ଏବଂ ସୁଶାନ୍ତ (ଛଦ୍ମ ନାମ) ଙ୍କ ବାହାଘର ପରିବାର ଲୋକ ଏକ ମନ୍ଦିରରେ କରାଇଥଲେ । ସୁଶାନ୍ତ ଏକ ବେସରକାରୀ ମହାବିଦ୍ୟାଳୟରେ ଚାକିରୀ କରନ୍ତି । ବିବାହ ପରେ ଉଭୟ ଘରଭଡା ନେଇ ବାହାରେ ରହିଲେ । ଲିଜା ଏବଂ ସୁଶାନ୍ତ ଙ୍କର ୮ ମାସର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ଛୋଟଛୋଟ କଥାକୁ ନେଇ ଉଭୟ ସ୍ଵାମି ଏବଂ ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଭାବେ ଝଗଡା ଲାଗିରହିଲା ।

ଉଭୟଙ୍କ ମଧ୍ୟରେ ନିୟମିତ ଭାବେ କଳିଝଗଡା ଯୋଗୁଁ ପିଲାଟି ସମ୍ପୂର୍ଣ୍ଣ ଭାବେ ଯତ୍ନ ନିଆଯାଇ ନ ପାରିବା ହେତୁ ତାର ଦେହ ଦିନକୁଦିନ ଖରାପ ହେବାରେ ଲାଗିଲା । ସୁଶାନ୍ତକୁ ଏସବୁ ଭଲ ନଲାଗିବାରୁ ସେ ଲିଜାକୁ ନିୟମିତ ଭାବେ ମାରଧର କରିଥିଲେ । ଉଭୟଙ୍କ ମଧ୍ୟରେ ଝଗଡା ଏତେ ଉଗ୍ରରୂପ ନେଲା ଯେ, ସୁଶାନ୍ତ ଲିଜାକୁ ବାଡ଼େଇ ଘରୁ ବାହାର କରିଦେଲେ । ଫଳରେ ଲିଜା ଆସି ନିଜ ମାଙ୍କ ପାଖରେ ରହିବା ସହିତ “ମାଧ୍ୟମ” କାର୍ଯ୍ୟାଳୟରେ ନିଜର ସମସ୍ଯା ଜଣାଇଲେ ।

 ଉଭୟ ପକ୍ଷ ତଥା ଉଭୟଙ୍କ ପରିବାର ବର୍ଗଙ୍କୁ ଏକାଠି ଡକାଯାଇ ସେମାନଙ୍କର କାଉନସେଲିଂ କରାଯାଇଥିଲା । କାଉନସେଲିଂ ସମୟରେ ଜଣାପଡ଼ିଥିଲା ଯେ, ଲିଜାର ବୟସ ୧୯ ବର୍ଷ ଏବଂ ସୁଶାନ୍ତଙ୍କୁ ୨୧ ବର୍ଷ । ଉଭୟଙ୍କର ବୟସ ବହୁତ କମ ହୋଇଥିବା ସ୍ଥଳେ ଉଭୟଙ୍କ ମାନସିକ ପରିପକ୍ଵତା ଠିକ ଭାବରେ ହୋଇନଥିବା ଯୋଗୁଁ ଉଭୟ ବାରମ୍ବାର ଝଗଡା କରୁଥଲେ ।

ସୁଶାନ୍ତର ବାପା ମା, ସୁଶାନ୍ତ ଓ ଲିଜାଙ୍କ ପାଖରେ ରହିବା ସହିତ ଛୁଆର ଯତ୍ନ ନେବାରେ ଲିଜାକୁ ସାହାଯ୍ୟ କରିବା ଲାଗି ଉଭୟ ପକ୍ଷ ତଥା ତାଙ୍କ ପରିବାରବର୍ଗଙ୍କୁ ପରାମର୍ଶ ଦିଆଯାଇଥିଲା । ଉଭୟ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ କୌଣସି ସମସ୍ଯା ଦେଖାଦେଲେ, ଉଭୟ ଝଗଡା ନକରି ବାପା ମାଙ୍କ ସହିତ ସେ ବିଷୟରେ ଅଲୋଚନା କରିବା ଲାଗି ପରାମର୍ଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here