ଖୋର୍ଦ୍ଧା ଆଇଟିବିପି କ୍ୟାମ୍ପସ ପରିସରରେ ଖୋଲିଲା କେନ୍ଦ୍ରୀୟ ବିଦ୍ୟାଳୟ , କେନ୍ଦ୍ରୀୟ ବିଦ୍ୟାଳୟ ଦକ୍ଷ ଓ ଭବିଷ୍ୟତଗାମୀ ଛାତ୍ରଛାତ୍ରୀ ତିଆରି କରିବ- ଧର୍ମେନ୍ଦ୍ର ପ୍ରଧାନ

0
165

By Our Correspondent

KHURDA: କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ କେବଳ ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ଭବିଷ୍ୟତର ସର୍ବୋତ୍ତମ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ ବୋଲି ସୋମବାର ଖୋର୍ଦ୍ଧା ସ୍ଥିତ ଆଇଟିବିପି କ୍ୟାମ୍ପସ ପରିସରରେ ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟର କ୍ୟାମ୍ପସ ସ୍ଥାପନ ପାଇଁ ଭୂମିପୂଜନ କରିବା ସହ ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ସେ କହିଛନ୍ତି ଯେ ଆଇଟିବିପି କ୍ୟାମ୍ପସ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାର ସ୍ୱପ୍ନ ପୂରଣ ହୋଇଛି । ୩୦ କୋଟି ଟଙ୍କା ଖର୍ଚ୍ଚରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ହେବ । ସ୍ୱଳ୍ପ ଦିନ ମଧ୍ୟରେ ଏହି ଅସ୍ଥାୟୀ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ ହେବ । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯିବ । ଏହି ଶିକ୍ଷାନୁଷ୍ଠାନ ଦ୍ୱାରା ଆଇଟିବିପି କଲୋନୀରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ସହ ପାଖାପାଖି ଅଞ୍ଚଳର ଗରିବ ପିଲାମାନେ ମଧ୍ୟ ଉପକୃତ ହେବେ। ଖୋର୍ଦ୍ଧା ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାର । ଏହି ବିଦ୍ୟାଳୟ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ ହେବ । ଓଡ଼ିଶାରେ ଅନୁମୋଦିତ ନୂଆ ଆଠଟି କେନ୍ଦ୍ରୀୟ ବିଦ୍ୟାଳୟକୁ ମିଶାଇଲେ ରାଜ୍ୟରେ ମୋଟ ୭୫ଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହୋଇଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପୂର୍ବରୁ ଦେଶକୁ ଦୀର୍ଘ ସମୟ ପରାଧୀନ କରି ରଖିବା ପାଇଁ ବ୍ରିଟିଶ ତଥା ଟି.ବି.ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନୀଚ୍ଚ କରିବାର ଏକ ପ୍ରକ୍ରିୟା ଥିଲା । ତେବେ ଏହି ଶିକ୍ଷା ନୀତିର ବିକଳ୍ପରେ ଦୀର୍ଘ ୩୪ ବର୍ଷ ପରେ ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ନୂଆ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ହୋଇଛି । ଯେଉଁ ନୂଆ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି, ମାକାଉଲେଙ୍କ ପରାଧୀନ ମାନସିକତାକୁ ବଦଳାଇ ଭାରତର ସ୍ୱାଧୀନ ମାନସିକତାକୁ ବିକାଶ କରିବା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ର ପତି ଆନୁଗତ୍ୟକୁ ଜାଗ୍ରତ କରାଇବା । ଅପରପକ୍ଷରେ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ପିଲାମାନେ ପାଠପଢାର ପ୍ରାରମ୍ଭିକ ସମୟରେ ନିଜ ମାତୃଭାଷାରେ ପାଠ ପଢିଲେ ସେମାନଙ୍କର ମୌଳିକ ଚିନ୍ତନର ପରିପ୍ରକାଶ ହୋଇଥାଏ । ମାତୃଭାଷାରେ ପାଠ ପଢିଲେ ହିଁ ଡ଼. ଏପିଜେ ଅବଦୁଲ କଲାମଙ୍କ ଭଳି ବ୍ୟକ୍ତିମାନେ ତିଆରି ହେବେ । ପିଲାମାନଙ୍କୁ ସାହସୀ, ଆତ୍ମବିଶ୍ୱାସୀ ଏବଂ ଆତ୍ମନିର୍ଭର କରିବା ପାଇଁ ହେଲେ ମାତୃଭାଷାରେ ଶିକ୍ଷା ଦେବା ପାଇଁ ପଡ଼ିବ ।

ଆମ ସାମ୍ନାରେ ଦୁଇଟି ବଡ ଲକ୍ଷ୍ୟ ରହିଛି । ୨୦୩୬ ସୁଦ୍ଧା ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ପଡ଼ିବ । ଏଥିପାଇଁ ଆମକୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବାକୁ ଦେବ । ଡିଗ୍ରୀ ଅପେକ୍ଷା ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେବାକୁ ହେବ । ଦକ୍ଷତା ବୃଦ୍ଧିର ଅର୍ଥ ବ୍ୟବସାୟ କରିବା ନୁହେଂ ବରଂ ଡ୍ରୋନ୍ ବନାଇବା ସହ  ଶିକ୍ଷାରେ ଏଆଇ ଭଳି ଅଗ୍ରଣୀ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରାଥମିକତା ଦେବାକୁ ପଡ଼ିବ । ଓଡ଼ିଆ ଯୁବକ ଚାକିରି ଖୋଜିବ ନାହିଁ, ଚାକିରିଦାତା ପାଇଁ ଲକ୍ଷ୍ୟ ରଖିବାକୁ ପଡ଼ିବ । ତେବେ ଯାଇଁ ଆମର ଏହି ଲକ୍ଷ୍ୟ ହାସଲ ହୋଇପାରିବ । ଆଜି ସେ ଦିଗରେ ଆମେ ଗୋଟିଏ ପାଦ ଆଗକୁ ବଢିଲେ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡ଼ିଶା ଇତିହାସରେ ଖୋର୍ଦ୍ଧାର ବିଶେଷ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଆସିଛି । ଓଡ଼ିଆ ଭାଷା, ଶିକ୍ଷା ଓ ସାହିତ୍ୟ ସହ ଖୋର୍ଦ୍ଧାର ଅନନ୍ୟ ସମ୍ପର୍କ ରହିଛି । ଖୋର୍ଦ୍ଧାର ବୀରତ୍ୱକୁ ଶବ୍ଦରେ ନୁହେଁ ଅଭିବ୍ୟକ୍ତି ମାଧ୍ୟମରେ ଅନୁଭବ କରାଯାଇପାରେ । ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ଠାରୁ ଆରମ୍ଭ କରି ପ୍ରାଣନାଥ ପଟ୍ଟନାୟକଙ୍କ ଭଳି ବ୍ୟକ୍ତିମାନେ ଖୋର୍ଦ୍ଧାର ଟେକ ରଖିଛନ୍ତି । ଏହି ଜିଲ୍ଲା ଶିକ୍ଷା, ସାହିତ୍ୟ, ରାଜନୀତି, ପ୍ରଶାସନ ଏବଂ ସାମାଜିକ କ୍ଷେତ୍ରରେ ଅନେକ ଦକ୍ଷ ବ୍ୟକ୍ତିମାନଙ୍କୁ ତିଆରି କରିଛି, ଯେଉଁମାନେ ରାଜ୍ୟ ଓ ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଆଇଟିବିପି ଖୋର୍ଦ୍ଧା ପରିସରରେ ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here