କେନ୍ଦ୍ରୀୟ ବିଦ୍ୟାଳୟ ଟିଟିଲାଗଡ଼ ଓ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ, ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପ୍ରାୟ ୧୨୦ କୋଟିରୁ ଅଧିକ ଟଙ୍କାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

0
355

By Our Correspondent

BALANGIR/BHUBANESWAR: ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପାଖାପାଖି ୧୨୦ କୋଟିରୁ ଅଧିକ ଟଙ୍କାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି ବୋଲି ଶନିବାର କେନ୍ଦ୍ରୀୟ ବିଦ୍ୟାଳୟ, ଟିଟିଲାଗଡ଼ ଏବଂ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଡିସେମ୍ବରରେ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର ଦେଇଥିଲେ, ଯେଉଁଥିରେ ଓଡ଼ିଶାରେ ନୂଆ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଥିଲା । ଏହି ପରିପ୍ରେକ୍ଷୀରେ ଡବଲ ଇଞ୍ଜିନ ସରକାରର ପ୍ରଚେଷ୍ଟା କାରଣରୁ ବଲାଙ୍ଗିର ଜିଲ୍ଲାର ରେଲଓ୍ୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ଆଜି ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ହୋଇଛି । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଲେଖାଁଏ ଅର୍ଥାତ୍ ମୋଟ୍ ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

ରେଳ ବିଭାଗର ସହଯୋଗରେ ଟିଟିଲାଗଡ଼ ରେଲଓ୍ୱେ କଲୋନୀରେ କେନ୍ଦ୍ରୀୟ ବିଦ୍ୟାଳୟ ଭଳି ପ୍ରମୁଖ ଅନୁଷ୍ଠାନ ଖୋଲାଯିବା ଦ୍ୱାରା ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ । ସେହିପରି ପାଟଣାଗଡ଼ ଉଲବା ଠାରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି  ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତେବେ ଏହି ଦୁଇଟି ବିଦ୍ୟାଳୟ ନିର୍ମାଣ ହେବା ପର୍ଯ୍ୟନ୍ତ ଟିଟିଲାଗଡ଼ କେଭିର ଅସ୍ଥାୟୀ କ୍ୟାମ୍ପସ ବ୍ଲକପଡ଼ା ଠାରେ ଏବଂ ପାଟଣାପଡ଼ା କେଭିର ଅସ୍ଥାୟୀ କ୍ୟାମ୍ପସ ଇଟିଇଆଇ ପରିସରରେ ପରିଚାଳିତ ହେବ ।   ବଲାଙ୍ଗିର ଜିଲ୍ଲାକୁ ଟିଟିଲାଗଡ଼ ଓ ପାଟଣାଗଡ଼ରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଉପହାର ଭାବରେ ଦେଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୬୦ କୋଟି ଟଙ୍କା ଅନୁମୋଦନ ଦିଆଯିବା ବ୍ୟତିତ ମୋଦୀ ସରକାରରେ ବଲାଙ୍ଗିର ଜିଲ୍ଲାରେ ୨୧ଟି ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯାଉଛି । ଏଥିପାଇଁ ପ୍ରତ୍ୟେକ ସ୍କୁଲକୁ ୨ କୋଟି ଲେଖାଁ ମୋଟ ୪୨ କୋଟି ଟଙ୍କାର ଅନୁଦାନର ବ୍ୟବସ୍ଥା ହୋଇଛି । ଏହି ଜିଲ୍ଲାର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୨୦ କୋଟି ଟଙ୍କା ପିଏମ ଉଷା ଯୋଜନାରେ ଦିଆଯାଇଛି । ନବଜାତ ଶିଶୁ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପଢୁଥିବା ବଲାଙ୍ଗିର ଜିଲ୍ଲାର ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ଶାରିରୀକ, ମାନସିକ ସ୍ୱାସ୍ଥ୍ୟ ଓ ବୌଦ୍ଧିକ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର । ଏହି ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା ଦ୍ୱାରା ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ବିଦ୍ୟାଳୟ ସ୍ତରରେ ଶିକ୍ଷାର ମାନରେ ଉନ୍ନତି ହେବ । ଛାତ୍ରଛାତ୍ରୀଙ୍କ ମାନସିକ, ଶାରିରୀକ, କ୍ରିଟିକାଲ ଥିଙ୍କିଂ ସହ ବୌଦ୍ଧିକ କ୍ଷମତା ବିକଶିତ ହେବ । ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ସେ କହିଛନ୍ତି ।

ବଲାଙ୍ଗିର ଜିଲ୍ଲା ସହ ମୋର ଆବେଗର ସମ୍ପର୍କ ଅଛି । ଡବଲ ଇଞ୍ଜିନ ସରକାରରେ ବଲାଙ୍ଗିର ପ୍ରାଥମିକତାରେ ରହିଛି । ତୈଳ କ୍ଷେତ୍ରର ବିକାଶ ସହ ଶିଳ୍ପ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବା ପାଇଁ ବିପିସିଏଲର ଏଲପିଜି ବଟଲିଂ ପ୍ଲାଣ୍ଟ ସ୍ଥାପନା ହୋଇଛି । ବଲାଙ୍ଗିରରେ ନୂତନ ଡେଣ୍ଟାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ମୋଦୀ ସରକାର ବଲାଙ୍ଗିର ଜିଲ୍ଲାକୁ ଶିକ୍ଷା ସମେତ କୃଷି, ଶକ୍ତି, ଜଳସେଚନ ସାସ୍ଥ୍ୟସେବା, ସାମାଜିକ କାର୍ଯ୍ୟକ୍ରମ, ରେଳ ଭିତ୍ତିଭୂମିର ବିକାଶ ଏବଂ ରୋଜଗାର ବିକାଶ ପାଇଁ ଅନେକ ଯୋଜନା ଭେଟି ଦେଇଛନ୍ତି ।

ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଆମ ସରକାରଙ୍କ ପ୍ରାଥମିକତାରେ ରହିଛି । ଏହି ଜିଲ୍ଲାରେ କୃଷି ବିଦ୍ୟାଳୟ, ବାୟୋଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ ଖୋଲାଯିବା ଉପରେ ଯୋଜନା ରହିଛି ।  ଏଠାରେ ସବୁଜ ଉର୍ଜା ଉତ୍ପାଦନ କରିବା ଦିଗରେ ସେ ପ୍ରସ୍ତାବ ଦେଇଥିଲେ । ସେ ଆହୁରି କହିଛନ୍ତି, ବଲାଙ୍ଗିର ଜିଲ୍ଲାକୁ ଦାଦନରୁ ମୁକ୍ତି କରିବା ପାଇଁ ଡବଲ ଇଞ୍ଜିନ ସରକାର କଟିବଦ୍ଧ ।  ବଲାଙ୍ଗିର ଜିଲ୍ଲାର ବିକାଶ ହେଲେ ହିଁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପୂରଣ ହେବ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ ସମସ୍ତେ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବା ।  ଟିଟିଲାଗଡ଼ରେ ଗଛ ଲଗାଇବାର ବଡ ଅଭିଯାନ ଆରମ୍ଭ କରିବା ସହ ସଚେତନତା ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟକ ନବୀନ କୁମାର ଜୈନ୍ ଓ ଲକ୍ଷ୍ମଣ ବାଗ ପ୍ରମୁଖ ଯୋଗଦେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here