କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ନେଇ ସମୀକ୍ଷା ବୈଠକ , ସ୍କୁଲ ଓ ଉଚ୍ଚ ଶିକ୍ଷାର ବିକାଶ ସହ ନବଜାତ ଶିଶୁ ଏବଂ ଛାତ୍ରଛାତ୍ରୀଙ୍କ ପୋଷଣକୁ ଦିଆଯିବ ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ

0
353

By Our Correspondent

KORAPUT: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅବିଭକ୍ତ କୋରାପୁଟ ଜିଲ୍ଲା ଯଥା କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ସ୍କୁଲ ଶିକ୍ଷା ଏବଂ ଉଚ୍ଚ ଶିକ୍ଷାର ବିକାଶ ସହ ଶିଶୁ ଓ ମହିଳାଙ୍କ କଲ୍ୟାଣ ଏବଂ ଅନ୍ୟାନ୍ୟ ପ୍ରାଥମିକତା ବିଷୟ ଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି ।

ବୈଠକରେ ଏହି ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ସ୍କୁଲ ଶିକ୍ଷା ଏବଂ ଉଚ୍ଚ ଶିକ୍ଷାର ବିକାଶ, ନବଜାତ ଶିଶୁ ଜନ୍ମ ନେବା ପର ଠାରୁ ୧୮ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ସହ ଶାରିରୀକ ସ୍ୱାସ୍ଥ୍ୟକୁ ଦୃଷ୍ଟି ଦେବା, ମହିଳା ଓ ଶିଶୁ ବିକାଶ, ଦକ୍ଷତା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଆଦି ଆନୁସଙ୍ଗିକ ବିଷୟରେ ସମୀକ୍ଷା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହଯୋଗରେ ଓଡ଼ିଶାର ଏହି ଜିଲ୍ଲା ଗୁଡ଼ିକରେ ସ୍କୁଲ ଭିତ୍ତିଭୂମିର ବିକାଶ, ଖାଲିଥିବା ଶିକ୍ଷକ ପଦବୀ ପୂରଣ କରିବା, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ସହ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡିଆଇଇଟି)ର ଉନ୍ନତିକରଣ, ସର୍ବବ୍ୟାପୀ ଓ ସର୍ବସମାବେଶୀ ଶିକ୍ଷାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା ହୋଇଛି ।

ପ୍ରତ୍ୟେକ ପିଲାମାନଙ୍କୁ ସ୍କୁଲକୁ ଆଣିବା ଏବଂ ସେମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ । ସ୍କୁଲ ଶିକ୍ଷା କ୍ଷେତ୍ରରେ ଡ୍ରପଆଉଟ ହାର ହ୍ରାସ କରିବା ପାଇଁ ‘ଆସ ସ୍କୁଲ ଯିବା’ ଭଳି ଅଭିଯାନ ଆରମ୍ଭ କରିବା, ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହନ, ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ସହ ବୈଷୟିକ ଶିକ୍ଷାରେ ଜନଜାତି ପିଲାଙ୍କୁ ଯୋଡ଼ିବା ପାଇଁ ଯୋଜନା କରିବା ଦିଗରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଭାରତ ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ । ଏହାବ୍ୟତୀତ ଦିବ୍ୟାଙ୍ଗ ସହଯୋଗୀ ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି, ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ । ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ମୂଳ ଚାବିକାଠି ହେଉଛି ଶିକ୍ଷା । ଏହି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକୁ ବିକଶିତ କରିବା ପାଇଁ ହେଲେ ଶିକ୍ଷା ସହ ଜିଲ୍ଲାର ଆର୍ଥିକ ଓ ସାମଗ୍ରିକ ବିକାଶକୁ ଅଗ୍ରାଧିକାର ଦେବାକୁ ହେବ । କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁରରେ ବହୁତ ସମ୍ଭାବନା ଅଛି । ଏହି ଜିଲ୍ଲାର ବିକାଶ କରିବାକୁ ହେଲେ ଆମକୁ ସର୍ବୋଚ୍ଚ ପ୍ରାଥମିକତା ଭିତ୍ତିରେ କାମ କରିବାକୁ ହେବ । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସମସ୍ୟା ସହ ଶିଳ୍ପ ଭିତ୍ତିଭୂମିର ବିକାଶ ଉପରେ ଦୃଷ୍ଟି ଦେବାକୁ ପଡ଼ିବ  । ଏ ଅଞ୍ଚଳକୁ ଆତ୍ମନିର୍ଭର ଓ ସ୍ୱାଭିମାନୀ କରାଇବା ପାଇଁ ପଡ଼ିବ, ତାର ମୂଳ ରାସ୍ତା ହେଉଛି ଶିକ୍ଷା ଏବଂ ଜ୍ଞାନ ।  ଜିଲ୍ଲାରେ ଥିବା ଚ୍ୟାଲେଞ୍ଜ ଗୁଡ଼ିକର ସମାଧାନ କରିବା ସହ ଏ ଦିଗରେ କାମ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧପରିକର ।

ଏହି ବୈଠକରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚ ଶିକ୍ଷା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲାର ସାଂସଦ, ବିଧାୟକ, ଭାରତ ସରକାରଙ୍କ ସ୍କୁଲ ଓ ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀ, ଓଡ଼ିଶାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଅଧିକାରୀ, ଜିଲ୍ଲାପାଳ, ମହିଳା ଓ ଶିଶୁ ଉନ୍ନୟନ, ସ୍ୱାସ୍ଥ୍ୟ, ଦକ୍ଷତା ବିଭାଗର ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here