By Our Correspondent
BHUBANESWAR: କଫି ବୋର୍ଡ ଚେୟାରମ୍ୟାନ ଶ୍ରୀ ଏମ ଜେ ଦିନେଶ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
ଓଡ଼ିଶାର କୋରାପୁଟ ଜିଲ୍ଲାରେ ପ୍ରାକୃତିକ ପରିବେଶରେ ବର୍ତ୍ତମାନ ବିଭିନ୍ନ ସ୍ୱାଦର କଫି ଚାଷ କରାଯାଉଛି। ଏହାର ସ୍ୱାଦ ଓ ଗୁଣବତ୍ତା ଦୃଷ୍ଟିରୁ ଲୋକଙ୍କ ଦ୍ୱାରା ଖୁବ ଆଦୃତ ହେଉଛି ଏବଂ ଏବେ ବୈଶ୍ବିକ କଫି ମାନଚିତ୍ରରେ ଓଡ଼ିଶାର କୋରାପୁଟ କଫି ସ୍ଥାନ ପାଇପାରିଛି ।
କେବଳ କୋରାପୁଟ ନୁହେଁ ବର୍ତ୍ତମାନ ରାୟଗଡ଼, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରରେ ମଧ୍ୟ କଫି ଚାଷ କରାଯାଉଛି । ଏସବୁର ବଜାର ସଂଯୋଗୀକରଣ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ କଫି ବୋର୍ଡ଼ ଚେୟାରମ୍ୟାନ ଶ୍ରୀ ଦିନେଶ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ଆଲୋଚନା କରିଥିଲେ। କଫିର ଉତ୍ପାଦନ ବୃଦ୍ଧି, ଭିତ୍ତିଭୂମି ବିକାଶ ଓ ଅଧିକ ସଂଖ୍ୟକ ଆଉଟଲେଟ ଖୋଲିବା ଉପରେ ଶ୍ରୀ ସିଂହଦେଓ ଗୁରୁତ୍ୱାରୋପ କରିଥିଲେ.

























